Home Industry କେନ୍ଦ୍ରୀୟ ଯୋଜନା ଅଧା ବାଟରେ

କେନ୍ଦ୍ରୀୟ ଯୋଜନା ଅଧା ବାଟରେ

ଭୁବନେଶ୍ୱର : ପାରମ୍ପରିକ ସାମଗ୍ରୀ ଓ ହସ୍ତଶିଳ୍ପ ଜରିଆରେ ଲୋକଙ୍କ ଆତ୍ମନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାରଙ୍କ ସ୍କିମ୍‍ ଅଫ୍‍ ଫଣ୍ଡ ଫର୍‍ ରେଜିଷ୍ଟ୍ରେସନ ଅଫ୍‍ ଟ୍ରାଡିସିନାଲ ଇଣ୍ଡଷ୍ଟ୍ରିଜ୍‍ (ଏସ୍‍ଏଫ୍‍ୟୁଆରଟିଆଇ) ଏବେ ଓଡିଶାରେ ଅଧାବାଟରେ ଅଟକି ଗଲାଣି । । ରାଜ୍ୟ ଶିଳ୍ପ ନିର୍ଦ୍ଦେଶାଳୟର ମଞ୍ଜୁରୀ ଓ ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‍ଏସ୍‍ଏମ୍‍ଇ)ର ଏହି ନିଯୁକ୍ତି ଭିତ୍ତିକ ଯୋଜନା ରାଜ୍ୟରେ ଧିମେଇ ଯାଉଛି ।

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଏନ୍‍ଜିଓମାନଙ୍କ ସହାୟତାରେ ରାଜ୍ୟରେ ୪୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ବାଉଁଶ ଶିଳ୍ପ ଠାରୁ ଆରମ୍ଭକରି ବେତ, ଲାଖ, ମହୁ ଆଦି ପ୍ରକ୍ରିୟାକରଣ ଶିଳ୍ପ ହେଉଛି । ତେବେ ପ୍ରାୟ ୩୦ଟି ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏହି ଯୋଜନାରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ଏନ୍‍ଜିଓମାନେ ଅବଶିଷ୍ଟ ୧୦ ପ୍ରତିଶତ ଅର୍ଥ ନଗଦ ଆକାରରେ ଦାଖଲ କରୁଛନ୍ତି । 

ଯୋଜନା କାର୍ଯ୍ୟକାରୀ ପାଇଁ ରାଜ୍ୟରେ ଇନଷ୍ଟିଟ୍ୟୁଟ ଏଣ୍ଟରପ୍ରିନିୟରସିପ୍‍ ଡେଭଲପମେଣ୍ଟ ଓଡିଶା (ଆଇଡିଓ) ନୋଡାଲ ଏଜେନ୍ସି ଥିବାବେଳେ ଶିଳ୍ପ ନିର୍ଦ୍ଦେଶାଳୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ଶିଳ୍ପ ନିର୍ଦ୍ଦେଶକ ଆଇଡିଓର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ତେଣୁ କାର୍ଯ୍ୟ ମୁଖ୍ୟତଃ ତ୍ୱରାନ୍ୱିତ ହେବାକଥା । 

ହେଲେ ପ୍ରାୟ ୨୫ଟି ପ୍ରକଳ୍ପ ଏବେ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । କାହାର ଛାତ ପଡିପାରୁ ନାହିଁ ତ ଆଉ କିଏ ଯନ୍ତ୍ରପାତି ଖରିଦ ପାଇଁ ଅଗ୍ରୀମ ପ୍ରଦାନ କରିପାରୁନାହିଁ । ମିଳିଥିବା ସୂଚନା ଅନୁଯାୟୀ ଶିଳ୍ପ ନିର୍ଦ୍ଦେଶାଳୟ ଜରିଆରେ ଏହି କାର୍ଯ୍ୟ ଚଳାଯାଉଥିବାବେଳେ ଠିକଣା ସମୟରେ ଅର୍ଥ ପ୍ରଦାନ କରାଯାଇ ପାରୁନାହିଁ । ଖୋଲା ଟେଣ୍ଡର ଜରିଆରେ ଠିକାଦାରମାନେ କାମ କରୁଥିବାବେଳେ  ସେମାନଙ୍କୁ ଠିକଣା ସମୟରେ ଅର୍ଥ ମିଳୁନଥିବାରୁ ବହୁ ସ୍ଥାନରେ କାମ ଅଟକି ଗଲାଣି । 

ସେହିଭଳି ବିଭିନ୍ନ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟ ବାହାରୁ ଯନ୍ତ୍ରପାତି ଖରିଦ କରିବାକୁ ଥିବାବେଳେ ସେମାନଙ୍କୁ ଆଗୁଆ କିଛି ପ୍ରତିଶତ ଅର୍ଥ ଦେବାକୁ ପଡୁଛି । ହେଲେ ଶିଳ୍ପ ନିର୍ଦ୍ଦେଶାଳୟ ଏହି ଅର୍ଥ ଦେବାପାଇଁ ବି ସମୟ ଗଡାଇ ଚାଲିଛି । ମୋଟାମୋଟି ଭାବେ ଏହି କେନ୍ଦ୍ରୀୟ ଯୋଜନାର ଗତି ଏବେ ରାଜ୍ୟରେ ଏକ ପ୍ରକାର ମନ୍ଥର । ଏନ୍‍ଜିଓମାନେ ସେମାନଙ୍କ ଅଂଶଧନ ଦେଇସାରିଥିବାବେଳେ କେନ୍ଦ୍ରୀୟ ଅର୍ଥରେ ବି କୌଣସି ସମସ୍ୟା ନାହିଁ । ତେବେ ଶିଳ୍ପ ନିର୍ଦ୍ଦେଶାଳୟର କାଳକ୍ଷେପଣ ନୀତି ଏ କ୍ଷେତ୍ରରେ ବାଧକ ସାଜିଛି । ଏ ନେଇ ଉଭୟ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଓ ରାଜ୍ୟ କର୍ତ୍ତୃପକ୍ଷଙ୍କ ଅହେତୁକ ନିରବତା ବିଳମ୍ବର ଅନ୍ୟତମ କାରଣ ପାଲଟିଛି । ତେଣୁ ଗାଁ ଗହଳରେ ଲୋକଙ୍କ ହାତକୁ କାମ ଯୋଗାଇବାକୁ ଥିବା ଏହି ଯୋଜନାକୁ ତ୍ୱରାନ୍ୱିତ ଲାଗି ମତପ୍ରକାଶ ପାଉଛି । 


LEAVE A REPLY

Please enter your comment!
Please enter your name here