Home Education କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ବିଷୟକୁ ୧୭ ଶିକ୍ଷକ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୪ବିଷୟକୁ ୧୭ ଶିକ୍ଷକ

ଭୁବନେଶ୍ୱର : ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ୯୦ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡିଛି । ଅତିଥି ଅଧ୍ୟାପକଙ୍କୁ ଭରସା କରି ଚାଲିଛି ଏହି ଜାତୀୟ ଶିକ୍ଷାନୁଷ୍ଠାନ ।

କୋରାପୁଟ ଜିଲ୍ଲାର ସୁନାବେଡା ନିକଟରେ ରହିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ୨୦୦୯ ମସିହାରେ ସଂସଦରେ ସ୍ୱତନ୍ତ୍ର ବିଧେୟକ ଅଣାଯାଇ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଚାଲିଥିବା ଏହି ଉଚ୍ଚ ଶିକ୍ଷାନୁଷ୍ଠାନରେ କଳା, ବାଣିଜ୍ୟ ଓ ବିଜ୍ଞାନର ୧୪ଟି ବିଷୟରେ ପାଠପଢା ବ୍ୟବସ୍ଥା ଅଛି । ଏହାଛଡା ପିଏଚ୍‍ଡି ସମେତ ଅନ୍ୟାନ୍ୟ ଗବେଷଣା ଲାଗି ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବାବେଳେ ଅଧିକାଂଶ ବିଭାଗରେ ନିୟମିତ ପ୍ରଫେସର ଓ ସହଯୋଗୀ ପ୍ରଫେସର ନାହାନ୍ତି ।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ୧୫୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୩୭ଟି ଖାଲିପଡିଛି । ମାତ୍ର ୧୭ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ଏହି ବିଶ୍ୱବିଦ୍ୟାଳୟ । ଏତେ କମ୍‍ ସଂଖ୍ୟକ ଶିକ୍ଷକରେ ପାଠପଢା ସହିତ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ କିଭଳି ହେଉଥିବ ତାହା ସହଜରେ ଅନୁମେୟ ।

ଗୋଟିଏ ଗୋଟିଏ ବିଭାଗରେ ମାତ୍ର ଜଣେ ଲେଖାଁଏ ଶିକ୍ଷକ ଥିବାବେଳେ ସଂଖ୍ୟାଧିକ ବିଭାଗରେ ପ୍ରଫସର ନାହାନ୍ତି । ତେବେ କରୋନା କବଳରେ ଦୁଇଟି ଶିକ୍ଷାବର୍ଷ ରହିଯାଇଥିବାରୁ ଏଠି ଶିକ୍ଷକ ମରୁଡି ଅବସ୍ଥା ବେଶି ଅନୁଭବ କରିହେଉନାହିଁ । ପ୍ରାୟ ୯୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଏହି ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ ତୃତୀୟ ଓ ଚତୁର୍ଥଶ୍ରେଣୀର କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀ ପଦବୀ ମଧ୍ୟ ଖାଲିପଡିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସବୁ ପୂରଣ ଲାଗି ବାରମ୍ବାର ଦାବି କରୁଥିବାବେଳେ ରାଜ୍ୟର କୌଣସି ରାଜନୈତିକଦଳ ଓ ଛାତ୍ର ସଂଗଠନ ପକ୍ଷରୁ ଏ ସଂକ୍ରାନ୍ତରେ ସେମିତି କିଛି ଜୋରଦାର ଦାବି ହେଉନାହିଁ ।

ଏବେ ଓଡିଆ ଯୁବକ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ଶିକ୍ଷାମନ୍ତ୍ରୀ ଥିବା ପରିପ୍ରେକ୍ଷୀରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଶୀଘ୍ର ପୂରଣ ହେବ ଏବଂ ଏଠାରେ ନୂଆ ନୂଆ ପାଠ୍ୟକ୍ରମ ଖୋଲିବା ସହିତ ଭିତ୍ତିଭୂମିର ବିକାଶ ଘଟିବ ବୋଲି ଆଶା କରାଯାଉଛି । ଏହି କ୍ରମରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବିଶ୍ୱବିଦ୍ୟାଳୟ ଗସ୍ତରେ ଆସି ସମସ୍ୟା ଓ ସମ୍ଭାବନାର ସମୀକ୍ଷା କରିବାକୁ ମତପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଭଳି ଭାଷା ସହିତ ନୃତତ୍ୱ,ସମାଜବିଜ୍ଞାନ, ଅର୍ଥନୀତି, ସାମ୍ବାଦିକତା, ଶିକ୍ଷା, ଗଣିତ, କମ୍ପ୍ୟୁଟରବିଜ୍ଞାନ, ପରିସଂଖାନ, ବ୍ୟବସାୟ ପ୍ରବନ୍ଧନ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଭଳି ବିଷୟମାନ ରହିଛି । ଏଠାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ, ଆଇନ୍‍ ଆଦି ବିଷୟର ପାଠ୍ୟକ୍ରମ ଖୋଲିବାପାଇଁ ଦଳ ମତ ନିର୍ବିଶେଷରେ ମତପ୍ରକାଶ ପାଉଛି । (ତଥ୍ୟ)