Home General କେନ୍ଦ୍ରରୁ ମିଳୁନି ଏମଜିନରେଗା ଟଙ୍କା

କେନ୍ଦ୍ରରୁ ମିଳୁନି ଏମଜିନରେଗା ଟଙ୍କା

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‍ଜିନରେଗା) ପାଇଁ ଆବଶ୍ୟକ ପଡୁଥିବା ପାଣ୍ଠି କେନ୍ଦ୍ରରୁ ମିଳୁନଥିବା ଯୋଗୁଁ ଚଳିତବର୍ଷ ୨୫କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ରାଜ୍ୟ ସରକାର ଯେଉଁ ଆଶା ରଖିଥିଲେ ତାହା ପୂରଣ ହେବାନେଇ ଆଶଙ୍କା ଉପୁଜିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ଓଡିଶା ପାଇଁ ୨୦କୋଟି ୨୪ଲକ୍ଷ ଶ୍ରମ ଦିବସ ସୃଷ୍ଟିରୁ ମଞ୍ଜୁରୀ ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮କୋଟି ୭୬ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇ ସାରିଲାଣି । ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ଶ୍ରମ ଦିବସ ସୃଷ୍ଟିର ସୁଯୋଗ ଥିବାବେଳେ ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଯୋଗାଇ ଦେବାରେ କେନ୍ଦ୍ର ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ନରେଗା ଯୋଜନାରେ କେନ୍ଦ୍ର ସରକାର ଶ୍ରମ ଓ ସାମଗ୍ରୀ ପାଇଁ ଅଲଗା ଅଲଗା ଭାବେ ଅର୍ଥ ଯୋଗାଇଥାନ୍ତି । ଶ୍ରମିକମାନଙ୍କୁ ତାଙ୍କର ମଜୁରୀ ବ୍ୟାଙ୍କ୍‍ ଜରିଆରେ ସିଧାସଳଖ ପ୍ରଦାନ କରାଯାଉଥିବାବେଳେ ସାମଗ୍ରୀ ଯୋଗାଣ ପାଇଁ ଅର୍ଥ ଦେବାରେ କେନ୍ଦ୍ର ସରକାର କାଳବିଳମ୍ବ ନୀତି ଅବଲମ୍ବନ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦୦ କୋଟି ଟଙ୍କା ଏ ବାବଦରେ ଓଡିଶା ସରକାରଙ୍କର କେନ୍ଦ୍ରରୁ ପାଇବାର ଅଛି । ଗତ ନଭେମ୍ବର ମାସରେ ଏହି ପରିମାଣ ୭୦୦କୋଟି ଟଙ୍କା ଥିବାବେଳେ ଏହା ବଢି ବଢି ୧୦୦୦ କୋଟିକୁ ଟପିଗଲାଣି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏମ୍‍ଜି ନରେଗା ପାଣ୍ଠି ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଶ୍ରମିକମାନଙ୍କର ଦେୟ ଦେଇ ଦେଉଥିବାବେଳେ ସାମଗ୍ରୀ ବାବଦୀୟ ଅର୍ଥ ଯୋଗାଉ ନାହାନ୍ତି ।

ପରିସ୍ଥିତିକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାର ନିଜସ୍ୱ ସୂତ୍ରରୁ ପ୍ରାୟ ୭୦୦ କୋଟି ଟଙ୍କା ଏ ବାବଦରେ ପଞ୍ଚାୟତିରାଜ ବିଭାକୁ ଯୋଗାଇ ଦେଇଛନ୍ତି । ତେଣୁ ଅଚଳାବସ୍ଥା ଦୂର ହୋଇଥିବାବେଳେ ପୁଣି ଏହି ସମୟ ମଧ୍ୟରେ ସାମଗ୍ରୀ ଖରିଦ ବାବଦରେ ଆହୁରି ୪୦୦ କୋଟି ଟଙ୍କା ଆବଶ୍ୟକ ପଡିଲାଣି । ତେଣୁ କେନ୍ଦ୍ର ସରକାରଙ୍କୁ ନିକଟରେ ଏହି ଘଟଣା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଚଳିତ ମାସରେ ଶ୍ରମିକମାନଙ୍କ ହାତକୁ କାମ ଦେବାପାଇଁ ବିଶେଷ ସୁଯୋଗ ରହିଥିବା ଯୋଗୁଁ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାପାଇଁ ରାଜ୍ୟ ସରକାର ଆଗ୍ରହୀ ।

ତେବେ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଅନୁରୂପ ଆଗ୍ରହ ଥିବା ପରିଲକ୍ଷିତ ହେଉନାହିଁ ବୋଲି ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରୁଛନ୍ତି । କେନ୍ଦ୍ରୀୟ ବଜେଟ୍‍ରେ ଏମଜିନରେଗା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଥିଲେ ସୁଦ୍ଧା ପାଣ୍ଠି ଯୋଗାଣ କ୍ଷେତ୍ରରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଟାଳଟୂଳ ନୀତି ଅଧିକ ଶ୍ରମଦିବସ ସୃଷ୍ଟି କ୍ଷେତ୍ରରେ ଅନ୍ତରାୟ ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here