Home Finance କେନ୍ଦ୍ରରୁ ମିଳିଛି କମ୍‍ ଅର୍ଥ

କେନ୍ଦ୍ରରୁ ମିଳିଛି କମ୍‍ ଅର୍ଥ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଯେତେ ଅର୍ଥ ସଂଗ୍ରହ କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ଗତ ଡିସେମ୍ବର ସୁଦ୍ଧା ତାହାର ପ୍ରାୟ ୫୪ ପ୍ରତିଶତ ସଂଗୃହୀତ ହୋଇଥିବା ବେଳେ ଶେଷ ତିନିମାସରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା କଷ୍ଟକର ବ୍ୟାପାର ହୋଇପାରେ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୨୪ହଜାର ୩୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଡିସେମ୍ବର ସୁଦ୍ଧା ୬୭ହଜାର ୫୪୩ କୋଟି ୫୯ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି । ମୋଟାମୋଟି ଭାବେ କେନ୍ଦ୍ରଠାରୁ ଓଡ଼ିଶା ଯେତେ ପରିମାଣର ଅନୁଦାନ ଓ କେନ୍ଦ୍ରୀୟ ଟିକସର ଅଂଶ ପାଇବା କଥା ତାହାଠାରୁ ଢେର୍‍ କମ୍‍ ଅର୍ଥ ମିଳିଛି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ଟିକସରୁ ୩୮,୩୫୦ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଥିଲେ । ଡିସେମ୍ବର ସୁଦ୍ଧା ଏ ବାବଦରେ ୨୧,୯୬୧ କୋଟି ୮୦ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୨.୮୦ ପ୍ରତିଶତ କମ୍‍ । ସେହିଭଳି ଏ ବର୍ଷ ରାଜ୍ୟ ସରକାର ଅଣଟିକସ ରାଜସ୍ୱ ଆକାରରେ ୧୭,୬୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଡିସେମ୍ବର ସୁଦ୍ଧା ୧୨,୦୨୩ କୋଟି ୯୦ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଯାହାକି ଗତବର୍ଷର ଡିସେମ୍ବର ତୁଳନାରେ ୨୬ ପ୍ରତିଶତ ଅଧିକ ।

ମୋଟାମୋଟି ଭାବେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜର ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ୫୬ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଡିସେମ୍ବର ସୁଦ୍ଧା କିନ୍ତୁ ୩୩,୯୮୫ କୋଟି ୭୦ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି । ଗତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ଏ ବାବଦରେ ଯେତେ ରାଜସ୍ୱ ସଂଗ୍ରହ କରାଯାଇଥିଲା ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ହୋଇଥିବା ସଂଗ୍ରହ ପରିମାଣ ତାହାଠାରୁ ୫.୭୬ ପ୍ରତିଶତ ଅଧିକ ବୋଲି କୁହାଯାଉଛି ।

ବିଭିନ୍ନ କେନ୍ଦ୍ରୀୟ ଟିକସରୁ ଅଂଶ ଆକାରରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୩୬,୨୯୯ କୋଟି ୭୪ ଲକ୍ଷ ଟଙ୍କା ପାଇବାକୁ ବଜେଟ୍‍ରେ ଆଶା ରଖିଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ଏ ବାବଦରେ ମିଳିଛି ୧୭,୨୦୩ କୋଟି ୨୫ ଲକ୍ଷ ଟଙ୍କା । ସେହିପରି ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଆକାରରେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କଠାରୁ ୩୨ହଜାର କୋଟି ୨୬ ଲକ୍ଷ ଟଙ୍କା ପାଇବାକୁ ବଜେଟ୍‍ରେ ବ୍ୟବସ୍ଥା ଥିବା ବେଳେ ଗତ ଡିସେମ୍ବର ସୁଦ୍ଧା କିନ୍ତୁ ଏ ବାବଦରେ ମିଳିଛି ୧୬,୩୫୪ କୋଟି ୬୪ ଲକ୍ଷ ଟଙ୍କା ।

କରୋନା ମହାମହାରୀ ସତ୍ତେ୍ୱ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଓଡ଼ିଶାର ଟିକସ ଓ ଅଣଟିକସ ରାଜସ୍ୱ ଆୟ ଗତ ଆର୍ଥିକ ବର୍ଷର ଡିସେମ୍ବର ତୁଳନାରେ ୫.୭୬ ପ୍ରତିଶତ ବଢ଼ିଥିବା ବେଳେ ଏହି ସମୟସୁଦ୍ଧା କେନ୍ଦ୍ରୀୟ ଟିକସରୁ ଓଡ଼ିଶାର ଅଂଶ ବାବଦରେ ୨୨.୫୦ ପ୍ରତିଶତ ଓ କେନ୍ଦ୍ରୀୟ ଅନୁଦାନ ୧୭.୮୧ ପ୍ରତିଶତ କମିଛି । ମୋଟାମୋଟି ଭାବେ ବିଗତ ଆର୍ଥିକବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ୱ ପ୍ରାପ୍ତି ପରିମାଣ ପ୍ରାୟ ୯ ପ୍ରତିଶତ କମିଛି ।