Home Agriculture କୃଷି ଯନ୍ତ୍ରପାତି କିଣି ଚାଷୀ ହଟହଟା

କୃଷି ଯନ୍ତ୍ରପାତି କିଣି ଚାଷୀ ହଟହଟା

ଭୁବନେଶ୍ୱର : ଓଡିଶା ବଜାରରେ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା କମ୍ପାନୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ରାଜ୍ୟର ଚାଷୀମାନେ ଏବେ ହଟହଟା ହେଉଛନ୍ତି । ଚାଷୀଙ୍କୁ ବିକ୍ରି କରୁଥିବା ଯନ୍ତ୍ରପାତିର ଉତ୍ପାଦନ ଅଳ୍ପଦିନରେ ବନ୍ଦ କରିବା ଓ ଏହାର ସ୍ପେୟାର ପାର୍ଟସ ଯୋଗାଣ କରୁନଥିବାରୁ ଏଭଳି ଅବସ୍ଥା ଉପୁଜିଛି । ଏଥିଯୋଗୁଁ ଅନେକ ଚାଷୀଙ୍କ ନିକଟରେ ଥିବା ପାୱାରଟିଲର, ଥ୍ରେସର, ରିପର ଭଳି ଯନ୍ତ୍ରପାତି ଖତ ହେଲାଣି ।

ଓଡିଶା ବଜାରରେ କୃଷି ଯନ୍ତ୍ରପାତି ବିକ୍ରି କରିବାପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ । ଏଥିପାଇଁ ରାଜ୍ୟ ସ୍ତରୀୟ ବୈଷୟିକ କମିଟି ରହିଛି । ଏହାର ଅଧ୍ୟକ୍ଷ କୃଷି ନିର୍ଦ୍ଦେଶକ ହୋଇଥିବାବେଳେ ଏଥିରେ ଯନ୍ତ୍ରୀ, ବୈଜ୍ଞାନିକ ଆଦି ଅଛନ୍ତି । ଏହି କମିଟି ସବୁଜ ସଙ୍କେତ ଦେବାପରେ କମ୍ପାନୀଗୁଡିକ ଓଡିଶା ବଜାରରେ ପ୍ରବେଶ କରିଥାନ୍ତି ।

ତେବେ ଚାଷୀଙ୍କ ଅଭିଯୋଗ ହେଉଛି ଯେ ସରକାରଙ୍କ ଠାରୁ ସବୁଜ ସଙ୍କେତ ପାଇ ଚାଷୀଙ୍କୁ ରିହାତି ଦରରେ ପାୱାରଟିଲର ଠାରୁ ଆରମ୍ଭକରି ଧାନରୁଆ, ଧାନକଟା ଆଦି ଯନ୍ତ୍ରପାତି ବିକ୍ରି କରୁଥିବା କମ୍ପାନୀ ଅଳ୍ପଦିନ ପରେ ଉଭାନ ହେଉଛନ୍ତି । ଯେଉଁମାନେ ଓଡିଶାରେ ରହୁଛନ୍ତି ସେମାନେ ବିକ୍ରି କରୁଥିବା ଯନ୍ତ୍ରପାତିର ମଡେଲର ଉତ୍ପାଦନ ଅଳ୍ପଦିନରେ ବନ୍ଦକରି ଦେଉଛନ୍ତି । ଏଥିସହିତ ଏହାର ମରାମତି ପାଇଁ ଆବଶ୍ୟକ ପଡୁଥିବା ସାଜ ସରଞ୍ଜାମ ବି ଯୋଗାଉ ନାହାନ୍ତି । ଫଳରେ ଚାଷୀମାନେ କିଣିଥିବା ଯନ୍ତ୍ରପାତିକୁ ମରାମତି କରିପାରୁ ନାହାନ୍ତି । ଋଣ ଆଣି ଥରେ ଯନ୍ତ୍ରପାତି କିଣିଲା ପରେ କମ୍ପାନୀ କର୍ତ୍ତୃପକ୍ଷ ଆଉ ଚାଷୀଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ପୁରୀ ଜିଲ୍ଲାରେ ଅନେକ ଚାଷୀ ଏବେ ନିର୍ଦ୍ଦିଷ୍ଟ ଗୋଟିଏ କମ୍ପାନୀର ଯନ୍ତ୍ରପାତି କିଣି ହଟହଟା ହେଉଛନ୍ତି ।

ରାଜ୍ୟ ସରକାର ଏବେ କୃଷି ଯନ୍ତ୍ରପାତି ଉପରେ ୪୦ ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛନ୍ତି । ସାଧାରଣ ବର୍ଗର ଲୋକେ କୃଷି ଯନ୍ତ୍ରପାତି କିଣିଲେ ୪୦ ପ୍ରତିଶତ ରିହାତି ପାଉଥିବାବେଳେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ବର୍ଗଙ୍କ ପାଇଁ ଏହା ୫୦ ପ୍ରତିଶତ ରହିଛି । ତେଣୁ ଓଡିଶାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା କମ୍ପାନୀଗୁଡିକ ବିପୁଳ ସବସିଡ୍‍ ହାତେଇବା ସହିତ ଭଲ ବ୍ୟବସାୟ ବି କରୁଛନ୍ତି ।

ହେଲେ ଅନୁଧ୍ୟାନରୁ ଜଣାଯାଇଛି ଯେ ରାଜ୍ୟ ସ୍ତରୀୟ କମିଟିର ଅନୁମତି ପରେ ଚାଷୀଙ୍କୁ ସାମଗ୍ରୀ ବିକ୍ରି କରୁଥିବା ଅନେକ କମ୍ପାନୀ ପରବର୍ତ୍ତୀ ସମୟରେ ଆଉ ଧରାଛୁଆଁ ଦେଉନାହାନ୍ତି । ଏ ସଂକ୍ରାନ୍ତରେ ବୈଷୟିକ କମିଟି ବି କିଛି ପଦକ୍ଷେପ ନେଉନାହାନ୍ତି । କମିଟି ଅନୁମତି ଦେଉଥିବା ଯନ୍ତ୍ରପାତି କେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ରି ହେବ ଓ ଏହାର ବିକ୍ରି ପରବର୍ତ୍ତୀ ସେବା କ’ଣ ହେବ ସେ ଦିଗରେ କାହାର ନଜର ନାହିଁ । ବିଶେଷକରି ଅନୁମତି ଦେଲାପରେ କମ୍ପାନୀଗୁଡିକ ଉପରେ ଆଉ ସରକାରଙ୍କର କୌଣସି ନିୟନ୍ତ୍ରଣ ରହୁନାହିଁ । ଫଳରେ ଏହାର ସୁଯୋଗ ନେଇ ସେମାନେ ଗୋଟିଏ ମଡେଲର କିଛି ଯନ୍ତ୍ରପାତି ବିକ୍ରି କରିଦେଲା ପରେ ତାହାକୁ ହଠାତ୍‍ ବନ୍ଦକରି ଦେଉଛନ୍ତି ଓ ବଜାରକୁ ତାହାର ପାର୍ଟସ ଛାଡୁ ନାହାନ୍ତି ।

ଏଥିଯୋଗୁଁ ବ୍ୟାଙ୍କ୍‍ ଋଣ ସୁଝିବା ପୂର୍ବରୁ ଚାଷୀ କିଣିଥିବା ଯନ୍ତ୍ରପାତି ମରାମତି ଅଭାବରୁ ଖତ ଖାଇଯାଉଛି । ଏହାଦ୍ୱାରା ଯାନ୍ତ୍ରିକ କୃଷି ପାଇଁ ସରକାର ଯେଉଁ ମୋଟା ଅଙ୍କର ସବ୍‍ସିଡ୍‍ ଦେଉଛନ୍ତି ତାହା ବି କାମରେ ଆସୁନାହିଁ । ତେଣୁ ତୁରନ୍ତ ଓଡିଶାର ଚାଷୀମାନଙ୍କୁ ଏଭଳି ହଟହଟା କରୁଥିବା କମ୍ପାନୀଗୁଡିକ ଉପରେ ରାଜ୍ୟ ସରକାର ନଜର ରଖିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନହେଲେ ସବସିଡ୍‍ ପ୍ରଦାନ ଓ କୃଷି ଯନ୍ତ୍ରପାତି ବିକ୍ରିର ପରିମାଣ ଯେତେ ବଢିଲେ ବି ବାସ୍ତବ କ୍ଷେତ୍ରରେ ଚାଷୀ କିମ୍ବା ଚାଷର ସେଭଳି ଉନ୍ନତି ହୋଇପାରିବ ନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here