Home Environment କୃତ୍ରିମ ଗ୍ରାନାଇଟ୍‍ କାରଖାନା ଶ୍ରମିକଙ୍କୁ କାଳ

କୃତ୍ରିମ ଗ୍ରାନାଇଟ୍‍ କାରଖାନା ଶ୍ରମିକଙ୍କୁ କାଳ

ଭୁବନେଶ୍ୱର : କୃତ୍ରିମ ଉପାୟରେ ଯେଉଁସବୁ କାରଖାନାରେ ଚକଚକିଆ ଗ୍ରାନାଇଟ୍‍ ଓ ଟାଇଲ୍‍ ପ୍ରସ୍ତୁତ ହେଉଛି ସେହିସବୁ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଏହା କାଳ ହୋଇଛି । ସୁରକ୍ଷା ଅଭାବରୁ ଅଳ୍ପଦିନରେ ଶହ ଶହ ଯୁବ ଶ୍ରମିକ ଯକ୍ଷ୍ମା ଓ ସିଲିକୋସିସ୍‍ ଭଳି ପ୍ରାଣଘାତୀ ରୋଗରେ ପଡି ଜୀବନ ହରାଉଛନ୍ତି ।

ଆମେରିକାନ ସଂସ୍ଥା ଅକ୍ୟୁପେସନାଲ ନଲେଜ ଇଣ୍ଟରନାସନାଲ (ଓକେଆଇ) ଓ ସ୍ୱେଚ୍ଛାସେବୀ ସଂସ୍ଥା ଜୀବନ ରେଖା ପରିଷଦ (ଜେଆରପି)ର ପକ୍ଷରୁ ମିଳିତ ଭାବେ ଦେଶର ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନରେ କରାଯାଇଥିବା ସର୍ଭେରୁ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପଦାକୁ ଆସିଛି ।

ସର୍ଭେରୁ ମିଳିଥିବା ତଥ୍ୟ ସଂକ୍ରାନ୍ତରେ ସୂଚନା ଦେଇ ଜେଆରପିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ପୂର୍ବରୁ ପ୍ରାକୃତିକ ପଥରକୁ କାଟି ଯେଉଁ ଗ୍ରାନାଇଟ୍‍ ଓ ଟାଇଲ୍‍ ପ୍ରସ୍ତୁତ ହେଉଥିଲା ତାହା ଶ୍ରମିକମାନଙ୍କ ପାଇଁ ଏତେ ମାତ୍ରାରେ ମାରାତ୍ମକ ନଥିଲା । ହେଲେ ବର୍ତ୍ତମାନ ଶିଳ୍ପସଂସ୍ଥାଗୁଡିକ ଏହିସବୁ ପଥର କଟାରୁ ବାହାରୁଥିବା ଗୁଣ୍ଡକୁ ବ୍ୟବହାର କରି କୃତ୍ରିମ ଉପାୟରେ ଗ୍ରାନାଇଟ୍‍, ଚଟାଣ ଓ କାନ୍ଥରେ ଲାଗୁଥିବା ଟାଇଲ୍‍ ଆଦି ପ୍ରସ୍ତୁତ କରୁଛନ୍ତି । ଏହା ଦେଖିବାକୁ ଅତି ସୁନ୍ଦର ଓ ଶସ୍ତା ହେଉଥିବାରୁ ଏହାର ବ୍ୟବହାର ମଧ୍ୟ ବଢି ବଢି ଚାଲିଛି ।

ତେବେ ଏହି କୃତ୍ରିମ ଗ୍ରାନାଇଟ୍‍ ଓ ଟାଇଲ୍‍ ପ୍ରସ୍ତୁତ କାରଖାନାରେ କାର୍ଯ୍ୟରତ ଶ୍ରମିମାନେ ପୂର୍ବାପେକ୍ଷା ଅଧିକ ମାତ୍ରାରେ ଘାତକ ଯକ୍ଷ୍ମା ଓ ସିଲିକୋସିସ୍‍ ଭଳି ରୋଗର ଶିକାର ହେଉଛନ୍ତି । ଯକ୍ଷ୍ମାକୁ କୌଣସି ପ୍ରକାରେ ଆୟତ କରାଯାଇ ପାରୁଥିବାବେଳେ ସିଲିକୋସିସ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବାହାରିନାହିଁ । ଏହାର ଏକମାତ୍ର ଉପାୟ ହେଉଛି କାର୍ଯ୍ୟରତ ଶ୍ରମିକମାନଙ୍କୁ ଅତ୍ୟାଧୁନିକ ମାସ୍କ ସହିତ କାରଖାନାରେ ପ୍ରଦୂଷଣ ବିଶେଷକରି ପଥରଗୁଣ୍ଡ ଉଡିବାକୁ ନିୟନ୍ତ୍ରଣ କରିବା । ହେଲେ ଅର୍ଥ ବିନିଯୋଗକୁ ଡରି ବହୁ କାରଖାନା ଏହା ପାଳନ କରୁନଥିବାରୁ ଅଳ୍ପ ବୟସରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି ।

ଯଦିଓ କେନ୍ଦ୍ର ସରକାର ଜାତୀୟ ସିଲିକୋସିସ୍‍ ନୀତି ପ୍ରସ୍ତୁତ କରିଛନ୍ତି ଓ ଏଥିରେ ମୃତ୍ୟୁବରଣ କରୁଥିବା ଶ୍ରମିକମାନଙ୍କ ପାଇଁ କ୍ଷତିପୂରଣର ବ୍ୟବସ୍ଥା ଅଛି, ତଥାପି ଶ୍ରମିକମାନେ ସାଧାରଣତଃ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ସହଜରେ କ୍ଷତିପୂରଣ ରାଶି ପାଇପାରୁ ନାହାନ୍ତି । ବିଶେଷକରି ସିଲିକୋସିସ୍‍ରେ ମରିଥିବା ଶ୍ରମିକଟି ପାଇଁ ଡାକ୍ତରୀବୋର୍ଡର ପ୍ରମାଣପତ୍ର ଜରୁରୀ ହେଉଥିବାରୁ ତାହା କ୍ଷତିପୂରଣ ପାଇବାରେ ବଡ ଅନ୍ତରାୟ ସାଜିଛି ।

ଗୁଜୁରାଟ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ଭଳି ମାର୍ବଲ ଓ ଗ୍ରାନାଇଟ୍‍ ଖଣି ବହୁଳ ରାଜ୍ୟରେ ପଥରଗୁଣ୍ଡରୁ ଏହି କୃତ୍ରିମ ଟାଇଲ୍‍ ପ୍ରସ୍ତୁତ କାରଖାନା ବହୁଳ ମାତ୍ରାରେ ଥିବାବେଳେ ଆମ ରାଜ୍ୟର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ କେତେକ ଉଦ୍ୟୋଗୀ ଏହି ଶିଳ୍ପ ପ୍ରତିଷ୍ଠା ଆରମ୍ଭ କରିଛନ୍ତି । ତେଣୁ କାରଖାନାରୁ ଉନ୍ନତମାନର ସାମଗ୍ରୀ ଉତ୍ପାଦନ ସହିତ ଏଠାରେ କିଭଳି ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ହେବ ସେ ଦିଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାର ବିଶେଷକରି କାରଖାନା ମାଲିକମାନେ ଧ୍ୟାନ ଦେବା ଉଚିତ୍‍ ବୋଲି ଡକ୍ଟର ମିଶ୍ର କହିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here