Home Energy ଚାରି ବିତରଣ କମ୍ପାନୀର ୫୮୯୯ କୋଟି କ୍ଷତି

ଚାରି ବିତରଣ କମ୍ପାନୀର ୫୮୯୯ କୋଟି କ୍ଷତି

ଭୁବନେଶ୍ୱର : ରାଜ୍ୟର ୪ଟି ବିଦ୍ୟୁତ୍‍ ବିତରଣ କମ୍ପାନୀ ବିଗତ ଛଅ ବର୍ଷ ୨୦୧୪-୧୫ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ୫୮୯୯ କୋଟି ଟଙ୍କାର କ୍ଷତି ସହିଛନ୍ତି । ୨୦୧୮-୧୯ ବର୍ଷରେ କ୍ଷତିର ପରମାଣ ସର୍ବାଧିକ ୧୫୩୯କୋଟି ଟଙ୍କା ରହିଥିଲା ।

କେନ୍ଦ୍ର ଶକ୍ତି ଏବଂ ନୂତନ ଅଣପାରମ୍ପିକ ଶକ୍ତି ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୪ ବିତରଣ କମ୍ପାନୀ ସେସୁ, ନେସ୍କୋ, ସାଉଥ୍‍କୋ ଏବଂ ୱେସ୍କୋ ପକ୍ଷରୁ ୨୦୧୪-୧୫ ବର୍ଷରେ ୮୮୨ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିବାବେଳେ ୨୦୧୫-୧୬ ରେ ୯୩୧କୋଟି, ୨୦୧୬-୧୭ ବର୍ଷରେ ୯୧୩ କୋଟି, ୨୦୧୭-୧୮ ରେ ୭୯୨ କୋଟି, ୨୦୧୮-୧୯ ରେ ୧୫୩୯କୋଟି ଏବଂ ୨୦୧୯-୨୦ ରେ ୮୪୨ କୋଟି ଟଙ୍କାର କ୍ଷତି ହୋଇଛି ।

ଏହି ସମୟରେ ସେସୁ ସବୁଠାରୁ ଅଧିକ ୨୩୨୩ କୋଟି ଟଙ୍କାର କ୍ଷତି ସହିଥିବାବେଳେ ୱେସ୍କୋ ୧୪୬୪ କୋଟି, ସାଉଥ୍‍କୋ ୧୨୮୪ କୋଟି ଏବଂ ନେସ୍କୋ ୮୨୭ କୋଟି ଟଙ୍କା କ୍ଷତି ସହିଛି ଏବଂ ନିକଟରେ ଟାଟା ପାୱାର ଏହିସବୁକୁ ଅଧିଗ୍ରହଣ କରିଛି । ଶକ୍ତି ଅର୍ଥ ନିଗମ (ପିଏଫ୍‍ସି) ଲିମିଟେଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ବିଜୁଳି ବିତରଣ କମ୍ପାନୀର କ୍ଷତି ୨୦୧୪-୧୫ ରେ ୫୪,୫୫୮ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ରେ ତାହା ୩୨,୮୯୮ କୋଟି ଟଙ୍କାକୁ ହ୍ରାସ ପାଇଛି । ଏହାବାଦ୍‍ ହାରାହାରି ବୈଷୟିକ ଏବଂ ବାଣିଜ୍ୟିକ (ଏଟିଆଣ୍ଡସି) କ୍ଷତି ୨୦୧୪-୧୫ରୁ ୨୫.୭୨ ପ୍ରତିଶତରୁ ୨୦୧୯-୨୦ ବର୍ଷରେ ୨୧.୮୩ ପ୍ରତିଶତକୁ ହ୍ରାସ ପାଇଛି ।

ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କର କ୍ଷତି କମାଇବାପାଇଁ ଏକ ସଂସ୍କାରମୂଳକ ବିତରଣ ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ଲାଗି ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଏହାର ଲକ୍ଷ୍ୟ ହେଉଛି ଏଟିଆଣ୍ଡସି କ୍ଷତିକୁ ୧୨ରୁ ୧୫ ପ୍ରତିଶତକୁ ହ୍ରାସ କରିବା ଏବଂ ଆଭରେଜ କଷ୍ଟ ଅଫ୍‍ ସପ୍ଲାଇ (ଏସିଏସ୍‍) ଏବଂ ଆଭରେଜ ରେଭେନ୍ୟୁ ରିଅଲାଇଜ୍‍ଡ (ଏଆରଆର) ପାର୍ଥକ୍ୟକୁ ୨୦୨୪-୧୫ ସୁଦ୍ଧା ଶୂନରେ ପହଞ୍ଚାଇବା ।

ଏହି ଯୋଜନାପାଇଁ ୩,୦୩,୭୫୮ କୋଟିର ବ୍ୟବବରାଦ ହୋଇଛି । ଏହି ଯୋଜନାରେ ଯୋଗ୍ୟ ବିତରଣ କମ୍ପାନୀକୁ ବିତରଣ ଭିତ୍ତିଭୂମି ବିକାଶ ଏବଂ ସ୍ମାର୍ଟ ମିଟର ବିଶେଷକରି ପ୍ରି-ପେଡ୍‍ ମିଟିର ପାଇଁ ଆର୍ଥିକ ସହାୟତା ଦିଆଯିବ । ପାଣ୍ଠି ପାଇବା ପାଇଁ ସ୍ମାର୍ଟ ମିଟର ଓ ସିଷ୍ଟମ ମିଟରିଂ ବାଦ୍‍ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ମାନଦଣ୍ଡରେ ବିତରଣ କମ୍ପାନୀଗୁଡିକ ଅତି କମ୍‍ରେ ୬୦ ପ୍ରତିଶତ ମାର୍କ ପାଇବାକୁ ପଡିବ ।

ଲିକ୍ୟୁଡିଟି ଇନଫ୍ୟୁଜନ ସ୍କିମ୍‍ ଅଧିନରେ ରାଜ୍ୟ ସରକାରମାନେ ବିଭିନ୍ନ ସରକାରୀ ବିଭାଗରେ ପଡିଥିବା ବାକିଆ ବିଜୁଳି ବିଲ୍‍ ପ୍ରଦାନ ସହିତ ସ୍ମାର୍ଟ ପ୍ରି-ପେଡ୍‍ ମିଟର କିମ୍ବା ପ୍ରି-ପେଡ୍‍ ମିଟର ଲଗାଇବାପାଇଁ ସମ୍ମତି ଦେବା ଜରୁରୀ । ରାଜ୍ୟ ସରକାର ଆହୁରି ମଧ୍ୟ ସବ୍‍ସିଡ୍‍ ଅର୍ଥ ବିତରଣ କମ୍ପାନୀମାନେ ଯେଭଳି ପ୍ରତ୍ୟେକ ତିନି ମାସରେ ପଆନ୍ତି ସେ ସଂକ୍ରାନ୍ତରେ ନିଶ୍ଚିତ କରିବେ । ୨୦୨୦-୨୧ ବର୍ଷରେ ଏଟିଆଣ୍ଡିସି କ୍ଷତି ହ୍ରାସ ସହିତ ଏସିଏସ୍‍-ଏଆରର ପ୍ରାର୍ଥକ୍ୟ ହ୍ରାସ କରିଥିବା ରାଜ୍ୟଗୁଡିକୁ ସେମାନଙ୍କର ଜିଏସ୍‍ଡିପିର ୦.୦୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ଅନୁମତି କେନ୍ଦ୍ର ସରକାର ପ୍ରଦାନ କରିବେ ।

ପଞ୍ଚଦର୍ଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ରାଜ୍ୟମାନଙ୍କୁ ପ୍ରଦର୍ଶନ ଆଧାରରେ ଅତିରିକ୍ତ ଭାବେ ଜିଏସ୍‍ଡିପିର୦.୦୫ ପ୍ରତିଶତ ଅତିରିକ୍ତ ଋଣ ଅନୁମତି ମିଳିବ । ଏଥି ସହିତ ନିକଟରେ ରାଜ୍ୟମାନଙ୍କୁ କର୍ପୋରେଟ ପ୍ରଶାସନ ମାର୍ଗଦର୍ଶିକା ପଠାଯିବା ସହିତ ଭବିଷ୍ୟତରେ ପିଏଫ୍‍ସି ଓ ଆରଇସିରୁ ପାଣ୍ଠି ପାଇବାକୁ ହେଲେ ବିତରଣ କମ୍ପାନୀର ପ୍ରଦର୍ଶନକୁ ବିଚାରକୁ ନିଆଯିବ ବୋଲି କୁହାଯାଇଛି । (ତଥ୍ୟ)