Home Agriculture କୁକୁଡାଚାଷୀଙ୍କ ସ୍ୱାର୍ଥ ପାଇଁ ଅଣ୍ଟା ଭିଡିଲା ସଂଘ

କୁକୁଡାଚାଷୀଙ୍କ ସ୍ୱାର୍ଥ ପାଇଁ ଅଣ୍ଟା ଭିଡିଲା ସଂଘ

ଭୁବନେଶ୍ୱର : ଅଣ୍ଡା ଦରରେ ଅସ୍ଥିରତା ଓ କୁକୁଡାଚାଷୀମାନେ ବାରମ୍ବାର ସାମ୍ନା କରୁଥିବା ବାର୍ଡ ଫ୍ଲୁ ସଂକ୍ରାନ୍ତରେ ଆଜି ଅଲ ଓଡିଶା ଲେଆର ଫାମର୍ସ ଆସୋସିଏସନ ପକ୍ଷରୁ ଆଲୋଚନା ହୋଇଯାଇଛି । ହୋଟେଲ ମାରିଅନ ଠାରେ ସଂଘର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜଙ୍ଗ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁକୁଡାଚାଷ ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।

ରାଜ୍ୟର କୁକୁଡା ଚାଷୀମାନେ ବାରମ୍ବାର ବାର୍ଡ ଫ୍ଲୁ କୁ ସାମ୍ନା କରୁଥିବାବେଳେ ଅଣ୍ଡା ଦରରେ ଅସ୍ଥିରତା, ଅଣ୍ଡା ବ୍ୟବସାୟୀଙ୍କ ବିଶୃଙ୍ଖଳିତ ଆଚରଣ, ବିନା କାରଣରେ ଭିଏଚ୍‌ ଗ୍ରୁପ୍‌ ଦ୍ୱାରା କୁକୁଡା ଚିଆଁର ଦରବୃଦ୍ଧି, ଭିଏଚ୍‌ ଗ୍ରୁପ୍‌ କୁକୁଡା ଚିଆଁଙ୍କ ଠାରେ ଦେଖା ଦେଉଥିବା ରୋଗ ଏବଂ ସଂଘ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରାଯାଇ କୁକୁଡାଚାଷୀଙ୍କୁ ଲାଭ ଦିଆଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଶ୍ରୀ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଂଘର ଉପସଭାପତି ଦେବବ୍ରତ ବିଶ୍ୱାଳ, ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ ପାତ୍ର, ପରାମର୍ଶଦାତା ପ୍ରସନ୍ନ କୁମାର ବସ୍ତିଆ ଓ ମଦନ ମୋହନ ରାଉତ, କାର୍ଯ୍ୟନିର୍ବାହୀ ସଦସ୍ୟ ଦିନେଶ କୁମାର ମେହେର, ସଂଘର ପୂର୍ବତନ ସଦସ୍ୟ ତଥା ଏନ୍‌ଇସିସିର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଓ ବରିଷ୍ଠ ସଦସ୍ୟ ମଦନ ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

କୁକୁଡା ଚିଆଁଙ୍କ ଅହେତୁକ ଦରବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଭିଏଚ୍‌ ଗ୍ରୁପ୍‌କୁ ପତ୍ର ଲେଖିବା ପାଇଁ ବୈଠକରେ ସ୍ଥିର ହୋଇଛି । ଏଥି ସହିତ ଖୁବ୍‌ଶୀଘ୍ର ଓଡିଶା ସରକାର ଏବଂ ଏନ୍‌ଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଜି.ଆନନ୍ଦଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ, ନୂଆ ଚାଷୀ ଏବଂ ବ୍ୟବସାୟୀଙ୍କୁ ନେଇ ଆଗାମୀ ଦିନରେ ଅଣ୍ଡା ବ୍ୟବସାୟର ନୀତି ନିର୍ଦ୍ଧାରଣ, ଆସନ୍ତା ତୈ୍ରମାସିକ ଠାରୁ ଚାଷୀମାନଙ୍କୁ ନେଇ ଜୋନ୍‌ ୱାରୀ ବୈଠକ, ନୂଆ ଚାଷୀମାନଙ୍କୁ ବଜାର ବ୍ୟବସ୍ଥା ସହିତ ସେମାନେ ଯେଭଳି ଠକଙ୍କ ହାବୁଡରେ ନପଡିବେ ସେଥିପାଇଁ ତାଲିମ ଦେବା, କ୍ଷୁଦ୍ର ଓ ନୂତନ ଚାଷୀମାନେ ଯେଭଳି ସେମାନଙ୍କ ଉତ୍ପାଦିତ ଅଣ୍ଡାକୁ ସୁବିଧାରେ ବିକ୍ରି କରିବେ ସେଥିପାଇଁ ସଂଘ ପକ୍ଷରୁ ସହାୟତା ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି ।