Home Agriculture କିଆ ସହ ଲେମନ୍ ଗ୍ରାସ ଚାଷ

କିଆ ସହ ଲେମନ୍ ଗ୍ରାସ ଚାଷ

ଭୁବନେଶ୍ୱର : ଏନ୍‌ଏସ୍‌ଏସ୍ ରାଜ୍ୟ ସରକାର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ଧାନ ବ୍ୟତୀତ ଅନ୍ୟ ସମନ୍ୱିତ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏହି କ୍ରମରେ ନିକଟରେ ଫ୍ରାଗ୍ରାନ୍ସ ଆଣ୍ଡ ଫ୍ଲେଭର ଡେଭେଲପମେଂଟ ସେଂଟର, ରାଜ୍ୟ ସରକାରଙ୍କ ବାୟୋ- ଟେକ୍ନୋଲୋଜି ବିଭାଗ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ବ୍ରହ୍ମପୁରଠାରେ ଏକ ୩ ଦିନିଆ ଚାଷୀ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାରେ ଚାଷୀଙ୍କ କିଆଫୁଲ ସହିତ ଲେମନ୍ ଗ୍ରାସ, ସିଟ୍ରୋନେଲା, ପାମାରୋଜା ଓ ତୁଳସୀ ଚାଷ କରିବା ବିଷୟରେ ପ୍ରଶକ୍ଷିଣ ଦିଆଯାଇଛି । ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ତୋଟାପଲ୍ଲୀ, ହରିଆପଲ୍ଲୀ ଓ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ୩୦ ଜଣ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ ।

ଏହି ଚାଷ କରିବା ଦ୍ୱାରା ଚାଷୀଙ୍କୁ ଏଫଏଫଡିସି ପକ୍ଷରୁ ଘାସର ଚାରା ମାଗଣାରେ ଦିଆଯିବ । ଚାଷ କରିବା ନେଇ ବୈଷୟିକ କୌଶଳ ମଧ୍ୟ ପ୍ରଦାନ କରାଯିବ । ଉତ୍ପାଦନ ହେବା ପରେ ତାହାର ବିକ୍ରି ଦାୟିତ୍ୱ ମଧ୍ୟ ଏଫଏଫଡିସି ବହନ କରିବ ବୋଲି ଚାଷୀମାନଙ୍କୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ଏଫଏଫଡିସିର ନିର୍ଦ୍ଦେଶକ ଶ୍ରୀ ଭି.ଭ.ରାମାରାଓ, ଏମ୍‌ଏସ୍‌ଏମ୍‌ଇର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଡା.ଭାବଗ୍ରାହୀ ଦାସ, ଶିକ୍ଷା ଓ ଅନୁସନ୍ଧାନର ସହଯୋଗୀ ପ୍ରଫେସର ଡ. ବାସୁଦେବ କର, ଅବସରପ୍ରାପ୍ତ ପ୍ରଫେସର ବ୍ରହ୍ମବିହାରୀ ପଣ୍ଡା, ଏଡିଏମ୍ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ ଶ୍ରୀ ମହେଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲାରେ ଯେତିକି ଅଂଚଳରେ କିଆ ଚାଷ ହେଉଛି ସେଠାରେଏହି ଲେମନ୍ ଗ୍ରାସ ଇତ୍ୟାଦି ସୁଗନ୍ଧିତ ଚାଷ ହୋଇପାରିବ । ଏହି ଚାଷ ଢେପ ଜମିରେ ହେଉଥିବାରୁ ଜଳ ସେଚନର ସମସ୍ୟା ନାହିଁ, ବାତ୍ୟା ବା ବର୍ଷା ଦ୍ୱାରା ଫସଲ ନଷ୍ଟ ହେବାର ନାହିଁ ଓ ଏହି ଚାଷ ଦ୍ୱାରା ଚାଷୀ ନିଶ୍ଚିତ ଭାବେ ଲାଭ ପାଇପାରିବେ ବୋଲି ବକ୍ତାମାନେ କହିଥିଲେ ।

ପ୍ରାୟ ୩୦ଏକର ଜମିରେ ଏହି ଚାଷ କରାଗଲେ ଏଥିରୁ ତେଲ ବାହାର କରିବା ନେଇ ଏକ ମେସିନ୍ ସ୍ଥାପନା କରାଯାଇପାରିବ ବୋଲି ଏଫଏଫଡିସିର ନିର୍ଦ୍ଦେଶକ ଶ୍ରୀ ଭି.ଭି. ରାମାରାଓ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ଚାଷକୁ ଆପଣେଇଲେ ଚାଷୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରିବ । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ, ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଳକରେ ପ୍ରାୟ ୭ ହଜାର ହେକ୍ଟର ଜମିରେ କିଆ ଚାଷ କରାଯାଇଛି ଏଥିରେ ଅନ୍ତର ଚାଷ ଭାବେ ଲେମନ୍‌ଗ୍ରାସ ଇତ୍ୟାଦି କରାଯାଇପାରିବ ।