Home Education କାର୍ଯ୍ୟକ୍ଷମ ହେବ ମୁକ୍ତ ବିଶ୍ୱବିଦ୍ୟାଳୟ

କାର୍ଯ୍ୟକ୍ଷମ ହେବ ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ କାରଣ ଦର୍ଶାଇ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଚଳିତ ଶିକ୍ଷାବର୍ଷରୁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମାଙ୍କନ ବନ୍ଦ ରଖିଥିବାବେଳେ ଏହି ଶିକ୍ଷାନୁଷ୍ଠାନକୁ ସକ୍ରିୟ କରିବା ଲାଗି ଉଚ୍ଚ ଶିକ୍ଷା ବିଭାଗ ଜୋର୍‍ଦାର ପ୍ରୟାସ କରୁଛି । ତେବେ ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଘେନି ସୁପ୍ରିମ୍‍କୋର୍ଟରେ ଝୁଲି ରହିଥିବା ମାମଲା ଏଠାରେ ନିୟମିତ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଜଣାପଡିଛି ।

ସମ୍ବଲପୁର ନିକଟ ବସନ୍ତପୁରଠାରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୪୦ ଏକର ଜମି ଯୋଗାଇ ଦେବା ସହିତ ଏଠାରେ ବିଶ୍ୱବିଦ୍ୟାଳୟର କୋଠାବାଡି ନିର୍ମାଣ ପାଇଁ ପ୍ରାୟ ୨୦କୋଟି ଟଙ୍କା ଦେଇଛନ୍ତି । ଏହି ଅର୍ଥରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣକାରୀ ସଂସ୍ଥା ମୁକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୋଠାବାଡି ହସ୍ତାନ୍ତର କରିବା ଆଶା କରାଯାଉଛି ।

ମୁକ୍ତ ବିଶ୍ୱବିଦ୍ୟାଳୟରେ ଏବେ ୧୩ଟି ସ୍ନାତକୋତ୍ତର ଓ ୧୧ଟି ସ୍ନାତକ ବିଷୟ ରହିଥିବାବେଳେ ଆଉ କେତେ ଗୁଡିଏ ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟ ଚାଲୁଛି । ଯେଉଁମାନେ ନିୟମିତ ଶ୍ରେଣୀକୁ ଆସି ପାଠ ପଢିପାରୁନାହାନ୍ତି ସେମାନଙ୍କ ଲାଗି ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଓ ତାହାର ବିଷୟ ବସ୍ତୁ ବ୍ୟବସ୍ଥା କରିବା ସହ ପରୀକ୍ଷା ପରିଚାଳନା କରି ଡିଗ୍ରୀ ଓ ଡିପ୍ଲୋମା ଦେଇ ଆସୁଛି । ଏଥିଯୋଗୁ ଅଧାରୁ ପାଠ ପଢା ଛାଡୁଥିବା ହଜାର ହଜାର ବ୍ୟକ୍ତି ଉଚ୍ଚଶିକ୍ଷା ଲାଭ କରିବାରେ ସଫଳ ହେଉଛନ୍ତି ।

ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୫ବର୍ଷ ଲାଗି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟକୁ ପାଠପଢା ପାଇଁ ଅନୁମତି ଦେଇଥିଲା । ଏହି ସମୟସୀମା ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୁରଣ ସହିତ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‍ ସୃଷ୍ଟି କରିବାରେ କର୍ତ୍ତୃପକ୍ଷ ସଫଳ ହୋଇନଥିଲେ । ଏ ପରିପ୍ରେକ୍ଷୀରେ ଚଳିତ ଶିକ୍ଷାବର୍ଷରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ କୌଣସି ପାଠ୍ୟକ୍ରମରେ ନାମାଙ୍କନ ଉପରେ ଆୟୋଗ ରୋକ୍‍ ଲଗାଇଛନ୍ତି । ତେବେ ଯେଉଁମାନେ ଏଠାରେ ପୂର୍ବରୁ ନାମାଙ୍କନ କରିଛନ୍ତି ସେମାନେ ଚଳିତବର୍ଷ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ । ବିଶ୍ୱବିଦ୍ୟାଳୟର କୂଳପତି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମସ୍ୟାକୁ ଗୁରୁତ୍ୱର ସହ ନେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଓ ବିଭାଗୀୟ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏହି ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଇତିମଧ୍ୟରେ ସମୀକ୍ଷା ବୈଠକ କରି ସମସ୍ୟାର ତ୍ୱରିତ ସମାଧାନ ଲାଗି ଚେଷ୍ଠା ଚଳାଇଛନ୍ତି ।

ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି ଏବଂ ଅନ୍ୟ ଅଣଶିକ୍ଷକ ପଦବୀ ଗୁଡିକ କିଭଳି ଅଗ୍ରାଧିକାର ଭିତ୍ତିରେ ପୁରଣ କରାଯାଇପାରିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । କିନ୍ତୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ସପକ୍ଷରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୟୁଜିସି ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିବା ଫଳରେ ଲୋକସେବା ଆୟୋଗ ମାଧ୍ୟମରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ସମ୍ଭବପର ହେଉନାହିଁ ।

ଏହି ମାମଲାର ତ୍ୱରିତ ଫଇସଲା ଲାଗି ଉଚ୍ଚଶିକ୍ଷା ବିଭାଗ ଆଡ୍‍ଭୋକେଟ ଜେନେରାଲଙ୍କ ସମେତ ମାମଲା ପରିଚାଳନା କରୁଥିବା ସରକାରୀ ପକ୍ଷର ଓକିଲଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ମାମଲା ଫଇସଲାରେ ବିଳମ୍ବ ହେଲେ ଛାତ୍ରଛାତ୍ରୀ ତଥା ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ସ୍ଥାନରୁ ଡେପୁଟେସନରେ ଶିକ୍ଷକ ଆଣି ଓଡିଶା ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । କେବଳ ମୁକ୍ତ ବିଶ୍ୱବିଦ୍ୟାଳୟ ନୁହେଁ ମାମଲା ଯୋଗୁ ରାଜ୍ୟରେ ସରକାରୀ ନିୟନ୍ତ୍ରଣରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଠାରୁ ପ୍ରଫେସର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ପଦବୀ ପୁରଣ କରିବାରେ ସମସ୍ୟା ଲାଗି ରହୁଛି । (ତଥ୍ୟ)