Home General କସ୍ତୂରବା ନାରୀ ଶକ୍ତି ଜାଗରଣ ସପ୍ତାହ

କସ୍ତୂରବା ନାରୀ ଶକ୍ତି ଜାଗରଣ ସପ୍ତାହ

176
0

ଭୁବନେଶ୍ୱର : ଗାନ୍ଧୀଜୀ ଓ କସ୍ତୂରବାଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନକୁ ସ୍ମରଣୀୟ କରି ରଖିବା ପାଇଁ ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ନାରୀ ଶକ୍ତି ଜାଗରଣ ସପ୍ତାହ ପାଳନ କରିବାକୁ କସ୍ତୂରବା ଗାନ୍ଧୀ ଜାତୀୟ ସ୍ମାରକ ନିଧି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏକ ସମାବେଶରେ ଆହ୍ୱାନ ଦିଆଯାଇଛି ।

ସତ୍ୟଭାମାପୁରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ଏହି ଟ୍ରଷ୍ଟ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଅନେକ କେନ୍ଦ୍ର ରହିଛି ଯେଉଁଠି ଶିଶୁ ଓ ମାତୃ କଲ୍ୟାଣ ସହିତ ଅନ୍ୟାନ୍ୟ ସାମାଜିକ ସଂସ୍କାର ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି ।

ଭାରତଛାଡ଼ ଆନ୍ଦୋଳନ ବେଳେ ଗାନ୍ଧୀଜୀଙ୍କ ସହ ବନ୍ଦୀଥିବା ଅବସ୍ଥାରେ କସ୍ତୂରବାଙ୍କର ପୁନେର ଆଗା ଖାଁ ପ୍ୟାଲେସ୍‍ କ୍ୟାମ୍ପ୍‍ ଜେଲ୍‍ରେ ମୃତ୍ୟୁ ଘଟିଥିଲା ୧୯୪୪ ଫେବୃଆରୀ ୨୨ ତାରିଖରେ । ସେତେବେଳେ ଜେଲ୍‍ ମଧ୍ୟରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁଯୋଗ ମିଳିନଥିଲା । ଏହି ଘଟଣାରେ ଶୋକବ୍ୟକ୍ତ କରି ଆଇଏନ୍‍ଏର ମୁଖ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ କସ୍ତୂରବାଙ୍କ ମୃତ୍ୟୁକୁ ବ୍ରିଟିଶ୍‍ ସରକାରର ନିର୍ମମ ହତ୍ୟାକାଣ୍ଡ ବୋଲି ଉଲ୍ଲେଖ କରି ଦେଶବାସୀଙ୍କ ମାତୃ ପ୍ରତିମା ବା’ଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ରୀୟ ଟ୍ରଷ୍ଟର ଉପସଭାପତି ଗାୟତ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କସ୍ତୂରବାଙ୍କ ପୂଣ୍ୟତିଥି ପାଳନ ସମାବେଶ ଅବସରରେ ତାଙ୍କ ଉପରେ ଲିଖିତ ‘ରାଷ୍ଟ୍ରମାତା କସ୍ତୂରବା’ ପୁସ୍ତକର ଷଷ୍ଠ ସଂସ୍କରଣ ଲୋକାର୍ପିତ ହୋଇଛି । ବିଶିଷ୍ଟ ସାହିତ୍ୟ ସାଧିକା ଡକ୍ଟର ସଙ୍କୁନ୍ତଳା ବଳିୟାରସିଂ ଏହି ଅବସରରେ ଭାରତବର୍ଷରେ ନାରୀ ଶକ୍ତି ଜାଗରଣ କ୍ଷେତ୍ରରେ କସ୍ତୂରବାଙ୍କର ଅବଦାନର ସ୍ମୃତିଚାରଣ କରିଥିଲେ ।

ବିଶିଷ୍ଟ ସାହିତ୍ୟିକ ତଥା ପ୍ରଶାସକ ବିଜୟ ନାୟକ ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ସହ କସ୍ତୂରବାଙ୍କ ୧୯୨୧ ମସିହାରେ ସପ୍ତାହବ୍ୟାପି ପ୍ରଥମ ଓଡ଼ିଶା ଗସ୍ତ ରାଜ୍ୟରେ ରାଜନୈତିକ ଜାଗରଣକୁ ତ୍ୱରାନ୍ୱିତ କରିବା ସହ ମହିଳାମାନଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ରଚନାତ୍ମକ କାର୍ଯ୍ୟ ପାଇଁ ବେଶ୍‍ ଉତ୍ସାହିତ କରିଥିଲା ବୋଲି ମତବ୍ୟକ୍ତ କରିଥିଲେ ।

ଗାନ୍ଧୀ ବିଚାରର ଅନ୍ୟତମ ଚିନ୍ତକ ତଥା ସ୍ତମ୍ଭକାର ପ୍ରହଲାଦ ସିଂହ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତରେ ନାରୀ ସମାଜର ପୁନର୍ଜାଗରଣ ତଥା ସ୍ୱାଧୀନତା ସଂଗ୍ରାମକୁ ନୂଆ ମୋଡ଼ ଦେବାଲାଗି ୭ ଥରରେ କସ୍ତୂରବା କିଭଳି ପାଖାପାଖି ୩ ବର୍ଷ କାରାଗାରରେ କାଟିଥିଲେ ସେ ସଂକ୍ରାନ୍ତରେ ଇତିହାସର ରୋମନ୍ଥନ କରିବା ସହିତ ବିଭିନ୍ନ ସଭା ସମିତିରେ କସ୍ତୂରବାଙ୍କ ଉପସ୍ଥିତି ମହିଳାମାନଙ୍କୁ ସ୍ୱାଧୀନତା ଆନ୍ଦୋଳନ ପାଇଁ କିପରି ଅନୁପ୍ରେରିତ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ ।

କସ୍ତୂରବା ଟ୍ରଷ୍ଟ ଗାନ୍ଧୀ ଓ କସ୍ତୂରବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୬ ମସିହାରୁ ନିରବଚ୍ଛିନ୍ନ ଭାବେ ସେବା, ସଂସ୍କାର ଓ ସଂଘର୍ଷର ବୈଜୟନ୍ତୀ ଉଡ଼ାଉଥିବା ବେଳେ ସମାଜ, ଗାଁ, ରାଜ୍ୟ, ଦେଶ ତଥା ବିଶ୍ୱ ଯେଉଁସବୁ ପରିସ୍ଥିତିରେ ଘାଣ୍ଟି ହେଉଛନ୍ତି ତାହାର ଏକମାତ୍ର ଉପଚାର ଗାନ୍ଧୀ ଦର୍ଶନର ସଫଳ ପ୍ରୟୋଗ ବୋଲି ସେ କହିଥିଲେ ।

ଟ୍ରଷ୍ଟର ଓଡ଼ିଶା ଶାଖାର ମୁଖ୍ୟ ସନ୍ଧ୍ୟାରାଣୀ ମଲ୍ଲିକ ଏହି ଅବସରରେ ବା’, ବାପୁଙ୍କଠାରୁ ଆରମ୍ଭ କରି ମା’ ରମାଦେବୀ, ଅନ୍ନପୂର୍ଣ୍ଣା ମହାରାଣାଙ୍କ ପର୍ଯ୍ୟନ୍ତ ମନିଷୀମାନଙ୍କ ଉପରେ ବକ୍ତବ୍ୟ ରଖିବା ସହ ବା’ ଓ ବାପୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପ୍ରତିପାଳନକୁ ଅବିସ୍ମରଣୀୟ କରି ରଖିବା ଲାଗି ଦଳମତ ନିର୍ବିଶେଷରେ ସରକାରୀ ଓ ବେସରକାରୀ ସ୍ତରରେ ନାରୀ ଶକ୍ତି ଜାଗରଣ ସପ୍ତାହ ପାଳନ ଲାଗି ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here