Home Education କଲେଜରେ ଡିଜିଟାଲ ପେମେଣ୍ଟ କେବେ ?

କଲେଜରେ ଡିଜିଟାଲ ପେମେଣ୍ଟ କେବେ ?

ଭୁବନେଶ୍ୱର : କରୋନା ସମୟରେ ଡିଜିଟାଲ ପଇଠ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ବିଶେଷକରି କଲେଜଗୁଡିକରେ ଏହା ହୋଇପାରୁ ନାହିଁ । ନାମଲେଖା ଓ ଅନ୍ୟାନ୍ୟ ଦେୟ ପଇଠ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ବି ଲମ୍ବାଧାଡିରେ ଛିଡାହୋଇ ନଗଦ ଅର୍ଥ ପଇଠ କରୁଛନ୍ତି ।

ସାରା ରାଜ୍ୟରେ ଏବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ ପୁନଃ ନାମଲେଖା (ରିଆଡମିଶନ) ଚାଲିଛି । ଏଥିପାଇଁ ନିଜ ନିଜ କଲେଜରେ ଅର୍ଥ ପଇଠ କରିବା ଦରକାର ହେଉଛି । ହେଲେ ଅଧିକଂଶ କଲେଜରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ନାହିଁ । ଅନ୍‍ଲାଇନ୍‍ରେ ଅର୍ଥ ପଇଠ ହୋଇପାରୁ ନାହିଁ କିମ୍ବା କଲେଜ କାଉଣ୍ଟରରେ ବି କ୍ରେଡିଟ୍‍ କିମ୍ବା ଡେବିଟ୍‍ କାର୍ଡ ମାଧ୍ୟରେ ଅର୍ଥ ପଇଠର ବ୍ୟବସ୍ଥା ନାହିଁ । ଏବେ ବି ପୁରୁଣାକାଳିଆ ବ୍ୟବସ୍ଥାରେ କଲେଜଗୁଡିକରେ ନଗଦ ଅର୍ଥ ରଖାଯିବା ସହିତ ଲମ୍ବା ରସିଦ ଧରା ଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ସହିତ ନଗଦ ଅର୍ଥ ପଇଠ କରୁଛନ୍ତି । ଯେଉଁମାନେ ଧାର୍ଯ୍ୟ ଅର୍ଥ ନେଉନାହାନ୍ତି ସେମାନେ ଫେରସ୍ତ ପାଇଁ ବି ଆଉ କିଛି ସମୟ ଅପେକ୍ଷା କରୁଛନ୍ତି ।

ତେବେ ଯେଉଁ ଶିକ୍ଷାନୁଷ୍ଠାନରେ ନଗଦ ଅର୍ଥ ବଦଳରେ ବ୍ୟାଙ୍କ ଚାଲାଣ ନିଆଯାଉଛି ସେଠାରେ ଅବସ୍ଥା ଆହୁରି ଦୟନୀୟ । ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ଅଭିଭାବକ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ କାଉଣ୍ଟରରେ ଧାଡି ଲଗାଇବା ସହିତ ଚାଲାଣ ପାଇଁ ଲମ୍ବା ଫର୍ମ ପୂରଣ କରିବାକୁ ପଡୁଛି । ବ୍ୟାଙ୍କ୍‍ରେ ଅର୍ଥ ଜମା ହେଲାପରେ ସେହି ରସିଦକୁ ଆଣି ପୁଣିଥରେ କଲେଜରେ ଦାଖଲ କରିବାକୁ ପଡୁଛି ।

ବର୍ତ୍ତମାନ ସବୁ ସ୍ଥାନରେ ଡିଜିଟାଲ ଓ ଅନ୍‍ଲାଇନ୍‍ ପେମେଣ୍ଟ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଶିକ୍ଷାନୁଷ୍ଠାନରେ କାହିଁକି ପୂର୍ବଭଳି ନଗଦ ଆଦାୟ ହେଉଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ରେ ପାଠ ପଢାଯାଉଥିବାବେଳେ ଫି ଜମା ପାଇଁ କିନ୍ତୁ କଲେଜ ଆସି ଧାଡିରେ ଛିଡା ହେବାକୁ ପଡୁଛି ।

ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଘରେ ବସି ନିଜ ନିଜ ପିଲାଙ୍କ ମାସିକ ଫି ସହିତ ଅନ୍ୟାନ୍ୟ ଦେୟ ଅତି ସହଜରେ ଅନ୍‍ଲାଇନ୍‍ରେ ପଇଠ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏ ଦିଗରେ ବର୍ତ୍ତମାନ ସୁଦ୍ଧା ପଦକ୍ଷେପ ନେଉ ନାହାନ୍ତି । ଏଥିଯୋଗୁଁ କେଉଁ ଶିକ୍ଷାନୁଷ୍ଠାନ କେତେ ପରିମାଣରେ ଫି ନେଉଛି ତାହା ସରକାରଙ୍କ ନଜରକୁ ଆସୁନଥିବାବେଳେ ଆଦାୟ ହେଉଥିବା ଲକ୍ଷାଧିକ ଟଙ୍କା ବି ତିନି ଚାରିଦିନ ପରେ ରାଜକୋଷକୁ ଆସୁଛି ।

ପ୍ରାୟ ଦେଢବର୍ଷ ତଳୁ ରାଜ୍ୟର ଦୁଇ ଜିଲ୍ଲା କଟକ ଓ ବଲାଙ୍ଗିରରେ ସରକାରୀ ଦପ୍ତରଗୁଡିକରେ ଡିଜିଟାଲ ପେମେଣ୍ଟ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରିବାର ଯୋଜନା ଥିଲା । ତେବେ ଏହି ଦୁଇ ଜିଲ୍ଲାରେ ଡିଜିଟାଲ ପେମେଣ୍ଟ ଚାଲିଥିବାବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଏ ଦିଗ ପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି । (ତଥ୍ୟ)