Home General ବର୍ଷ ଶେଷ ସୁଦ୍ଧା ସମସ୍ତ ସହରବାସୀଙ୍କୁ ପାଇପ୍‍ ଜଳ

ବର୍ଷ ଶେଷ ସୁଦ୍ଧା ସମସ୍ତ ସହରବାସୀଙ୍କୁ ପାଇପ୍‍ ଜଳ

ଭୁବନେଶ୍ୱର : ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ । ଏଥବପାଇଁ ୯୦% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଉୀ । ରାଜ୍ୟର ମୋଟ୍‍ ୩୧୪ଟି ବ୍ଲକ ମଧ୍ୟରୁ ୧୬୦ଟି ବ୍ଲକରେ ୧୧୦ଟି ବୃହତ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହଛି ଏବଂ ୧୨ଟି ବ୍ଲକରେ ୯ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ ହୋଇଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ।

ଆଜି ପ୍ରଶ୍ନକାଳରେ ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ ଓ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତି ସମାନ ଧରଣର ପ୍ରଶ୍ନ ପଚାରିଥିବାରୁ ବାଚସ୍ପତି ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଡାକିଥିଲେ । ଶ୍ରୀ ଶତପଥୀ ଓ ଶ୍ରୀ ବାହନିପତିଙ୍କ ମୂଳ ପ୍ରଶ୍ନ ଉପରେ ସଦସ୍ୟ ସର୍ବଶ୍ରୀ ନରସିଂହ ମିଶ୍ର, ପ୍ରଦୀପ ଅମାତ, ମୋହନ ମାଝି, ଭାଷ୍କର ମଢେଇ, ସନାତନ ବିଜୁଳି ଓ ସତ୍ୟ ନାରାୟଣ ପ୍ରଧାନ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ଶତପଥୀ କହିଥିଲେ ଯେ ତାଙ୍କ ଅଞ୍ଚଳରେ ପ୍ରତିଷ୍ଠାହେଉଥିବା ବୃହତ୍‍ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ୨୦୧୯ ମସିହାରେ ଆରମ୍ଭ ହୋଇଥିବାବେଳେ ଏହା ୨୦୨୧ରେ ସରିବାକଥା । ହେଲେ ଏହା ଭିତରେ ବର୍ଷଟିଏ ବିଳମ୍ବ ହୋଇଗଲାଣି । ଲୋକେ ପାଣି ଟିକେ ପାଇପାରୁ ନାହାନ୍ତି । ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ କୋଭିଡ ପାଇଁ ଆବଶ୍ୟକ ସାଜ ସରଞ୍ଜାମ ମିଳୁନଥିବାରୁ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରହିଛି । ବିଜେଡି ବିଧାୟକ ପ୍ରଦୀପ ଅମାତ କହିଥିଲେ ଯେ ମେଗା ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଆଉ ଟିଉବୱେଲ ବସାଯାଉ ନାହିଁ ।

ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାଦାର ରାସ୍ତାଖୋଳି ପଳାଉଛନ୍ତି । ତେଣୁ ପ୍ରକଳ୍ପକାର୍ଯ୍ୟ ହେଉଥିବା ଅଞ୍ଚଳରେ କାମସାରିବା ପୂର୍ବରୁ ରାସ୍ତାଘାଟ ସଂକ୍ରାନ୍ତରେ ସ୍ଥାନୀୟ ବିଡିଓଙ୍କ ଠାରୁ ପ୍ରମାଣପତ୍ର ଆଣିବାର ବ୍ୟବସ୍ଥା ହେଉ । ଯେଉଁଠାରେ ପ୍ରକଳ୍ପକାର୍ଯ୍ୟ ଚାଲିଛି ସେଠାରେ ଟିଉବୱେଲ ବସାଇବାର ବ୍ୟବସ୍ଥା ହେଉ । ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ୭୦ଜଣ ଲୋକଙ୍କ ପାଇଁ ଗୋଟିଏ ଟିଉବୱେଲ ବସାଇବାର ବ୍ୟବସ୍ଥା ରହିଛି ।

ସେହିଭଳି କୌଣସି ଠାରେ ମରାମତି ଆବଶ୍ୟକ ହେଲେ ଏଥିପାଇଁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରାଯାଇ ପାରିବ । ଅଧିକ ବ୍ୟୟ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ । ଏହାଛଡା ଲୋକଙ୍କୁ ଟାଙ୍କର ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା ହୋଇଛି । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଦେଓଗାଁ, ବଲାଙ୍ଗିର, ଆଲପୁର, ଲୋଇସିଂହା ଆଦି ଅଞ୍ଚଳରେ ଏବେ ପାଣି ପାଇଁ ହା ହା କାର ଅବସ୍ଥା ।

ପ୍ରକଳ୍ପ କାର୍ଯ୍ୟରେ ଢେର ବିଳମ୍ବ ହେଉଥିବାବେଳେ ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଅଧିକାଂଶ ସ୍ଥାନରେ ପାନୀୟଜଳ ପ୍ରକଳ୍ପ ସରିବାରେ ବିଳମ୍ବ ଯୋଗୁଁ ଦଳମତ ନିର୍ବିଶେଷରେ ସଦସ୍ୟମାନେ ଗୃହରେ ଉଦ୍‍ବେଗ ପ୍ରକାଶ କରିବା ସହିତ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ପୁରୁଣା ପ୍ରକଳ୍ପର ରକ୍ଷଣା ବେକ୍ଷଣ ସହିତ ବିଧାୟକମାନଙ୍କୁ ଟିଉବୱେଲ ସ୍ଥାପନ ପାଇଁ କ୍ଷମତା ପ୍ରଦାନ ପାଇଁ ଦାବି କରିଥିଲେ । ମନ୍ତ୍ରୀ କହିଥିଲେ ଯେ ଯେଉଁଠାରେ ଆବଶ୍ୟକ ରହିଛି ସେଠାରେ ତୁରନ୍ତ ଟିଉବୱେଲ ବସାଯିବାରେ କୌଣସି ସମସ୍ୟା ନାହିଁ ।