Home Health ଜଟିଳ ହେଉଛି କରୋନା ସ୍ଥିତି

ଜଟିଳ ହେଉଛି କରୋନା ସ୍ଥିତି

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ସମ୍ପୃକ୍ତ ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଡ଼ା କଟକଣା ଜାରି କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣରେ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦେଶରେ କରୋନା ସଂକ୍ରମଣ କିଛିମାସ ଧରି କମି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ଏବେ ନୂଆ ଷ୍ଟେନ୍‍ର କରୋନା ସଂକ୍ରମଣ ଦେଖାଦେଇଛି । ଏହା ଯେପରି ଦିଲ୍ଲୀକୁ ନ ବ୍ୟାପେ ତାହାକୁ ଆଖି ଆଗରେ ରଖି ଉକ୍ତ ରାଜ୍ୟଗୁଡ଼ିକରୁ ଦିଲ୍ଲୀକୁ ଆସୁଥିବା ଲୋକମାନଙ୍କ ଆର୍‍ଟିପିସିଆର୍‍ ପରୀକ୍ଷା ପରେ ପ୍ରବେଶ ଅନୁମତି ମିଳୁଛି । ଅନ୍ୟ ରାଜ୍ୟଗୁଡ଼ିକ ଏଥିଘେନି ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଗୋଟିଏ ପଟେ କରୋନା ନିୟନ୍ତ୍ରଣ ପାଇଁ ଟିକାଦାନ ଅଭିଯାନ ଚାଲିଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ସମେତ ବହୁ ଅଞ୍ଚଳରେ ଲୋକେ ଆଉ କରୋନା କଟକଣା ମାନୁନାହାନ୍ତି । ତେଣୁ ଏବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣା ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ଜାନୁଆରୀ ୩୦ରେ ଭାରତରେ ପ୍ରଥମ କରୋନା ରୋଗୀ କେରଳରେ ଚିହ୍ନିତ ହୋଇଥିବା ବେଳେ ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିଲେ । ଏଯାବତ୍‍ ସାରା ଦେଶରେ ପ୍ରାୟ ୧ କୋଟି ୧୦ଲକ୍ଷରୁ ଅଧିକ ଲୋକ କରୋନା ପଜିଟିଭ୍‍ ଚିହ୍ନିତ ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ୫୭ ହଜାରଙ୍କର ମୃତ୍ୟୁ ହୋଇଛି ।  

ଏବେ ଦେଶର ବିଭିନ୍ନ ରାଜ୍ୟରେ ଦେଢ଼ଲକ୍ଷରୁ ଅଧିକ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି । ବ୍ୟାପକ ପ୍ରତିଷେଧକମୂଳକ ବ୍ୟବସ୍ଥା ସତ୍ତ୍ୱେ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ୩୭ହଜାର କରୋନା ପଜିଟିଭ୍‍ ଚିହ୍ନିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୧୫ ଜଣ ମରିଛନ୍ତି ଓ ଏବେ ୬୦୦ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ସମଗ୍ର ବିଶ୍ୱରେ ଏବେ ସୁଦ୍ଧା ୧୧ କୋଟି ୩୧ ଲକ୍ଷରୁ ଅଧିକ କରୋନା ପଜିଟିଭ ଚିହ୍ନିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୫ ଲକ୍ଷରୁ ଅଧିକା ରହିଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ କୋଟି ୯୦ ଲକ୍ଷ କରୋନା ପଜିଟିଭ୍‍ ଚିହ୍ନିତ ହୋଇଥିବା ବେଳେ ଏହି ଦେଶରେ ୫ ଲକ୍ଷ ୧୮ହଜାରରୁ ଅଧିକ ଲୋକ ଉକ୍ତ ମହାମାରୀରେ ମରି ସାରିଲେଣି ।

କରୋନା ପ୍ରକଳ୍ପ ହ୍ରାସକୁ ଆଖି ଆଗରେ ରଖି ଜନଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଚଳ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗତ ଚାରିମାସ ମଧ୍ୟରେ କରୋନା କଟକଣା ଅନେକ ମାତ୍ରାରେ କୋହଳ କରିଛନ୍ତି । କିନ୍ତୁ କଟକଣା କୋହଳ ସହ ଟିକା ବଣ୍ଟନ ଚାଲିଥିବା ଦୃଷ୍ଟିରୁ ଏବେ ସଂଖ୍ୟାଧିକ ଲୋକ ସାମାଜିକ ଦୂରତାମାନୁ ନାହାନ୍ତି କି ମାସ୍କ ପିନ୍ଧିବା, ସାବୁନ୍‍ରେ ହାତ ଧୋଇବା ଓ ସାନିଟାଇଜର୍‍ ଆଦି ବ୍ୟବ ହାର କରୁନାହାନ୍ତି ।

ତେଣେ ଶିକ୍ଷାନୁଷ୍ଠାନ ସହିତ ସିନେମା ହଲ୍‍ ଆଦି ଖୋଲିବା ସଙ୍ଗେ ସଙ୍ଗେ ବିବାହ ଭୋଜି ଆଦି ସାମାଜିକ ଉତ୍ସବ ଯେଭଳି ଧୁମ୍‍ଧାମ୍‍ରେ ପାଳିତ ହେଉଛି ସେଥିରୁ କରୋନା କଟକଣା ଥିବାଭଳି ମନେ ହେଉନାହିଁ । ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି କଟକଣା ମାନିବାକୁ ପୁଣି ସଚେତନତା ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ ଭଳି ଅବସ୍ଥା ଯେ ଆଉ ସୃଷ୍ଟି ନ ହେବ ସେଥିଘେନି କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନାହାନ୍ତି ।