Home Finance କରୋନା ସମୟରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ

କରୋନା ସମୟରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ

ଭୁବନେଶ୍ୱର : କରୋନା ମହାମାରୀ ରାଜ୍ୟ ଅର୍ଥନୀତି ପାଇଁ ପ୍ରମୁଖ ଆହ୍ୱାନ ହୋଇଥିବାବେଳେ ଏହି ସାମୟରେ ରାଜ୍ୟ ସରକାର ଗ୍ରହଣ କରିଥିବା କେତେକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏବେ ସୁଫଳ ମିଳିବାରେ ଲାଗିଛି । ରାଜ୍ୟ ସରକାର ଏହାକୁ ଏକ ସୁଯୋଗ ଭାବେ ବ୍ୟବହାର କରି ଅନେକଗୁଡିଏ ଜନହିତକାରୀ ସେବା ପ୍ରଚଳନ କରିବା ଯୋଗୁଁ ସାଧାରଣ ଲୋକଙ୍କ ସହିତ ସରକାରୀ କର୍ମଚାରୀ ଏପରିକି ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏଥିରୁ ସୁଫଳ ପାଇଲେ ।

ସର୍ବଶେଷ ଆର୍ଥିକ ସଂସ୍କାର ରିପୋର୍ଟ ଅନୁଯାୟୀ ଲକ୍‍ଡାଉନ୍‍ ସମୟରେ ଟ୍ରେଜେରୀ ଦ୍ୱାରା ଅନ୍‍ଲାଇନ୍‍ ଜରିଆରେ ବିଲ୍‍ ପ୍ରସ୍ତୁତ କାର୍ଯ୍ୟକାରୀ ହେଲା ଯାହାଦ୍ୱାରା ମାତ୍ର ଗୋଟିଏ ଫର୍ଦ୍ଦରେ କର୍ମଚାରୀଙ୍କ ଦରମା ବିଲ୍‍ ରହିପାରିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଆଧାରରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ସବୁଜ ସଙ୍କେତ ଦେଇଥିବାବେଳେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏହାକୁ କାର୍ଯ୍ୟକାରୀ କରିଥିଲେ ।

ଗୋଟିଏ ଫର୍ଦ୍ଦରେ ଦରମା ବିଲ୍‍ ପ୍ରସ୍ତୁତ ଯୋଗୁଁ ଟନ୍‍ ଟନ୍‍ କାଗଜ ବଞ୍ଚିବା ସହିତ ଲକ୍ଷ ଲକ୍ଷ ଗଛ ମଧ୍ୟ କଟାହେବାରୁ ରକ୍ଷାପଇଲା । ଏଥି ସହିତ ଉଭୟ କର୍ମଚାରୀ ଏବଂ ଅଫିସରମାନଙ୍କ ସମୟ ବି ବଞ୍ଚିଗଲା । ଏଥି ସହିତ ଓଡିଶା ସରକାର ଗ୍ଲୋବାଲ ଆଲଟମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରିବା ଫଳରେ ଦରମା ଏବଂ ବ୍ୟକ୍ତିଗତ ଅଗ୍ରୀମ ଧାର୍ଯ୍ୟ ସମୟରେ ମିଳିବା ସମ୍ଭବପର ହୋଇଛି । ଠିକଣା ସମୟରେ କର୍ମଚାରୀଙ୍କୁ ଦରମା ପ୍ରଦାନ କର୍ତ୍ତୃପକ୍ଷଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।

ଅନୁରୂପ ଭାବେ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍‍ଏମ୍‍ଏସ୍‍)ରେ ଉଠାଣ ପାଇଁ ଇଲେକଟ୍ରୋନିକ ବୁକ୍‍ ବ୍ୟବସ୍ଥା କରିବା ଫଳରେ ବିଲ୍‍ ଦାଖଲ ପାଇଁ ବ୍ୟକ୍ତିଗତ ଭାବେ ଟ୍ରେେଜେରୀକୁ ଦଉଡିବା ଝାମେଲାରୁ ମୁକ୍ତି ମିଳିଛି । ରାଜ୍ୟ ସରକାର ଆଇଏଫ୍‍ଏମ୍‍ଏସ୍‍ ମୋବାଇଲ୍‍ ଆପ୍ଲିକେଶନ ସହିତ ନୂଆ ୱେବ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଚାଲାଣ ସ୍ଥିତି, ପ୍ରୋଭିଡେଣ୍ଟ ଫଣ୍ଡ୍‍ ଏବଂ କର୍ମଚାରୀଙ୍କୁ ଅନ୍ୟାନ୍ୟ ସୂଚନା ମିଳିପାରୁଛି । ସାଧାରଣ ନାଗରିକ, ପେନ୍‍ସନଧାରୀ ଏବଂ ପ୍ରଶାସନିକ ବିଭାଗର ବ୍ୟବହାରକାରୀମାନେ ଏହାର ସୁଫଳ ପାଉଛନ୍ତି ।

ଅନୁରୂପ ଭାବେ ଅର୍ଥ ବିଭାଗ ପକ୍ଷରୁ ଆଇଏଫ୍‍ଏମ୍‍ଏସ୍‍ ରେ ଡିଡିଓ ମଡୁଲ କାର୍ଯ୍ୟକାରୀ ହୋଇଛି । ଏହା ଦ୍ୱାରା ଅନ୍‍ଲାଇନ୍‍ରେ ଡିଡିଓ କୋଡ୍‍ ଏବଂ ସମସ୍ତ ସୂଚନା ଆଇଏଫ୍‍ଏମ୍‍ଏସ୍‍ ଓଡିଶାରେ ଉପଲବ୍ଧ ହୋଇପାରୁଛି । ସେହିଭଳି ପେନ୍‍ସନ ପ୍ରଦାନ, ଅବସର ଏବଂ ମୃତ୍ୟୁ କାଳୀନ ଗ୍ରାଚ୍ୟୁଇଟି ଆଦି ପ୍ରଦାନ ଲାଗି ଇଲେକଟ୍ରୋନିକ ଡିଜିଟାଲ ଦସ୍ତଖତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ।

ଏହା ଫଳରେ ପେନ୍‍ସନଧାରୀ କିମ୍ବାର ପରିବାର ପେନସନଧାରୀ ବ୍ୟକ୍ତିଗତ ଭାବେ ଟ୍ରେଜେରୀକୁ ନଆସି ସେମାନଙ୍କ ପ୍ରଥମ ପେନ୍‍ସନ ଅର୍ଥ ପାଇପାରିବେ । ପେନ୍‍ସନଧାରୀଙ୍କ ପାଇଁ ଲାଇଫ୍‍ ସାର୍ଟିଫିକେଟ ପ୍ରଦାନ ଅବଧିକୁ ନଭେମ୍ବର ୨୦୨୦ ରୁ ମଇ ୨୦୨୧କୁ ବୃଦ୍ଧି କରାଯାଇଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‍ ଜରିଆରେ ପେନ୍‍ସନଧାରୀମାନେ ଡିଜିଟାଲ ବ୍ୟବସ୍ଥାରେ ସେମାନଙ୍କ ଘରେ ରହି ସେମାନଙ୍କ ଲାଇଫ୍‍ ସାର୍ଟଫିକେଟ ଦେବାପାଇଁ ବ୍ୟବସ୍ଥା ହୋଇଛି । (ତଥ୍ୟ)