Home Covid କରୋନା ରୋକିବାକୁ ହୋଇପାରେ କାର୍ଯ୍ୟାନୁଷ୍ଠାନ

କରୋନା ରୋକିବାକୁ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନୂଆଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ପରିପ୍ରେକ୍ଷୀରେ ପୂର୍ବର ତିନିଟି ଲହରର ଅଭିଜ୍ଞତାକୁ ଆଖିଆଗରେ ରଖି ଯେକୌଣସି ମୂହୂର୍ତ୍ତରେ ପୁଣି ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିପାରନ୍ତି । ଏହି ଆଶଙ୍କା ଏବେ ସାଧାରଣ ଲୋକଙ୍କୁ ଘାରୁଥିବାବେଳେ ମାସ୍କ ପରିଧାନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଛନ୍ତି ।

ତୃତୀୟ ଲହରରୁ ନିସ୍ତାର ପାଇବାପରେ ଏବେ ପ୍ରାୟ ସବୁ କରୋନା କଟକଣା ହଟିଯାଇଛି । ହାଟ ବଜାରରେ ସାମାଜିକ ଦୂରତା ରହୁନାହିଁ କିମ୍ବା ସଂଖ୍ୟାଧିକ ଲୋକ ମାସ୍କ ପିନ୍ଧୁ ନାହାନ୍ତି । ଏମିତିକି ସାନିଟାଇଜର ବ୍ୟବହାର ଏବଂ ହାତଧୁଆ ଭଳି ଅଭ୍ୟାସ ବି ଅଧିକାଂଶ ଲୋକ ଛାଡି ସାରିଲେଣି । ଏବେ ଚୀନ୍‍ରେ କରୋନା ସଂକ୍ରମଣ ବଢିବା ପରେ ପରେ ଦିଲ୍ଲୀରେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଏଥି ସହ ତାଳଦେଇ ଅନ୍ୟ କେତେକ ରାଜ୍ୟରେ ବି କରୋନାର ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ଜିନମ ସିକ୍ୱେନ୍ସିଂ ପରେ ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ତଥ୍ୟ ମିଳିବା ସମୟ ସାପେକ୍ଷ ।

କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ଚାରି ସପ୍ତାହ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେବାସହ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ସହିତ ଲୋକେ ପୂର୍ବଭଳି ମାସ୍କ ପିନ୍ଧିବା, ଅଯଥାରେ ଗହଳି ନଜମାଇବା ଏବଂ ପୂର୍ବ କରୋନା କଟକଣା ମାନି ଚଳିବାକୁ କହୁଛନ୍ତି ।

କରୋନାର ପ୍ରକୋପ କମିଯିବାପରେ କିଛିଦିନ ଧରି ବିବାହ ବ୍ରତୋପନୟନ ସମେତ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ବେଶ୍‍ ଗହଳି ପରିଲକ୍ଷିତ ହେଉଛି । ମଇ ଓ ଜୁନ୍‍ ମାସରେ ଅନେକ ବାହାଘର ତିଥି ଥିବାରୁ ଏଥିଲାଗି ଉଦ୍ୟୋକ୍ତାମାନେ ମଣ୍ଡପ, ହୋଟେଲ ଆଦି ବୁକିଂ କରିବା ସହ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ଇତି ମଧ୍ୟରେ ଯଦି କରୋନା ସଂକ୍ରମଣ ବ୍ୟାପେ ତାହେଲେ ପୁଣି ଭୋଜିଭାତ, ଶୋଭାଯାତ୍ରା ସମେତ ଅନ୍ୟ ଜନସମାଗମ ଉପରେ ସରକାର ପୂର୍ବଭଳି କଟକଣା ଜାରି କରିପାରନ୍ତି । ଏହି ଆଶଙ୍କା ଥିବାରୁ ହୋଟେଲ ଓ ମଣ୍ଡପ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଆୟୋଜକମାନେ ଚିନ୍ତାରେ ପଡିଛନ୍ତି ।

ସେହିଭଳି କରୋନା ବହୁ ମାତ୍ରାରେ ନିୟନ୍ତ୍ରିତ ହୋଇଯାଇଥିବାରୁ ଶିକ୍ଷାନୁଷ୍ଠାନଗୁଡିକରେ ପରୀକ୍ଷା ପର୍ବ ଆରମ୍ଭ ହେଉଛି ଏବଂ ନୂତନ ଶିକ୍ଷାବର୍ଷ ପାଇଁ ବି ପ୍ରସ୍ତୁତି ଚାଲିଛି । ରାଜ୍ୟ ସରକାର ତାଙ୍କ ନିୟନ୍ତ୍ରିତ ଶିକ୍ଷାନୁଷ୍ଠାନଗୁଡିକରେ ଖରାଛୁଟି ହ୍ରାସ କରିଥିବାବେଳେ ମଇ ମାସରେ ପୂରା ପାଠପଢା ହେବ ବୋଲି ସ୍ଥିର କରିଛନ୍ତି । ଇଂରାଜୀମାଧ୍ୟମ ବିଦ୍ୟାଳୟଗୁଡିକରେ ଗ୍ରୀଷ୍ମଛୁଟି କେବେ ଠାରୁ ହେବ ତାହା ଏଯାବତ୍‍ ସ୍ପଷ୍ଟ ଜଣାପଡିନାହିଁ ।

ତେବେ ଯଦି କରୋନା ସଂକ୍ରମଣ ବୃଦ୍ଧିପାଏ ତା ହେଲେ ଖରାଦିନିଆ ଛୁଟିକାଟ କରି ଶିକ୍ଷାନୁଷ୍ଠାନରେ ପାଠ ପଢାଇବା ନିଷ୍ପତ୍ତିରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିବା ସମ୍ଭାବନାକୁ ଏଡାଇ ଦେଇହେବନାହିଁ । ସମ୍ଭାବ୍ୟ ସଂକ୍ରମଣକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ଏବଂ ଦରକାର ପଡିଲେ ଠିକଣା ସମୟରେ ପୂର୍ବଭଳି ଠିକଣା ନିଷ୍ପତ୍ତି ନେଇପାରନ୍ତି ବୋଲି ଉଭୟ ପ୍ରଶାସକ ଓ ବିଶେଷଜ୍ଞ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)