Home Covid କରୋନା ମୃତ୍ୟୁରେ ନୂଆ ରେକର୍ଡ

କରୋନା ମୃତ୍ୟୁରେ ନୂଆ ରେକର୍ଡ

ଭୁବନେଶ୍ୱର : କରୋନା ମୃତ୍ୟୁରେ ଓଡିଶା ନୂଆ ରେକର୍ଡ କରିଛି । ୨୪ଘଣ୍ଟାରେ ରାଜ୍ୟରେ ୨୭ଜଣଙ୍କ ଜୀବନ ଯାଇଛି ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୨୪୩୦ରେ ପହଞ୍ଚିଛି ।

ମୃତ୍ୟୁବରଣ କରିଥିବା ୨୭ଜଣଙ୍କ ମଧ୍ୟରେ ଖୋରଧା ଓ କୋରାପୁଟରେ ୪ଜଣ କରି ଥିବାବେଳେ ସୁନ୍ଦରଗଡ, ରାୟଗଡା ଓ ନୂଆପଡାରୁ ୩ଜଣ କରି ଏବଂ କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଝାରସୁଗୁଡା, ଗଜପତି, ବୌଦ, ବଲାଙ୍ଗିର, ବରଗଡ ଓ ପୁରୀ ଜିଲ୍ଲାରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ୬ଜଣଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଜଣାଯାଇଛି ।

ସେହିଭଳି ରାଜ୍ୟରେ ୨୪ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୨,୫୨୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୮୪୨ ଚିହ୍ନଟ ହୋଇଥିବାବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୧୦୪୮ଜଣ ବାହାରିଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳରୁ ୯୩୦, ପୁରୀରୁ ୫୬୮, ମୟୁରଭଞ୍ଜରୁ ୫୪୬, ବାଲେଶ୍ୱରରୁ ୫୧୦ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକରେ କରୋନା ସଂକ୍ରମଣ ୫ଶହ ତଳେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୫୩ଜଣ ଗଜପତିରେ ଚିହ୍ନଟ ହୋଇଥିବାବେଳେ ୭୩ଜଣ ମାଲକାନଗିରିରେ ଚିହ୍ନଟ ହୋଇଛନ୍ତି ।

ଆଜି ସୁଦ୍ଧା ରାଜ୍ୟରେ ଏକ କୋଟି ୧୧ଲକ୍ଷରୁ ଅଧିକ କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏହା ମଧ୍ୟରୁ ୫.୯୮ ପ୍ରତିଶତ ପଜିଟିଭ ଚିହ୍ନଟ ବାହାରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬,୬୮,୪୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୯,୪୩୮ ରହିଛି ।