Home General କରୋନା ପରେ ଗାନ୍ଧୀ କାର୍ଯ୍ୟକ୍ରମ

କରୋନା ପରେ ଗାନ୍ଧୀ କାର୍ଯ୍ୟକ୍ରମ

ଭୁବନେଶ୍ୱର : କରୋନା ସଂକ୍ରମଣ ଲାଗି ରହିଥିବାରୁ ଓଡିଶାକୁ ମହତ୍ମାଗାନ୍ଧୀଙ୍କ ପ୍ରଥମ ଆଗମନର ଶତବାର୍ଷିକୀ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କରୋନା କବଳରୁ ମୁକ୍ତ ହେବାପରେ ସରକାରୀ ଓ ବେସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ସପ୍ତାହବ୍ୟାପି ଓଡିଶାଗସ୍ତ ହୋଇଥିଲା । ଏହି ଗସ୍ତ ଅବସରରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଏହି ଗସ୍ତକ୍ରମ ଯୋଗୁଁ ଓଡିଶାରେ ସ୍ୱାଧୀନତା ଆନ୍ଦୋଳନର ଲହର ବେଶ୍‍ ଗତିଶୀଳ ହୋଇଥିଲା । ଏହାଛଡା ସେତେବେଳେ ରାଜ୍ୟର କେତେକ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଭିକ୍ଷ ପରିସ୍ଥିତିର ମୁକାବିଲାପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଠକ୍କରବାପାଙ୍କ ମାଧ୍ୟମରେ ଗାନ୍ଧୀଜୀ ବ୍ୟାପକ ରିଲିଫ କାମ ଚଳାଇ ଲୋକଙ୍କ ଜୀବନ ବଞ୍ଚାଇଥିଲେ ।

ଓଡିଶାରେ ସ୍ୱାଧୀନତା ଆନ୍ଦୋଳନର ଏହି ଅବିସ୍ମରଣୀୟ ସ୍ମୃତିକୁ ନୂତନ ପୀଢି ନିକଟରେ ଜାଗ୍ରତ କରି ରଖିବାପାଇଁ ଓଡିଶା ସରକାର ବର୍ଷବ୍ୟାପି କାର୍ଯ୍ୟକ୍ରମ ପ୍ରତିପାଳନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ତଦନୁଯାୟୀ ମାର୍ଚ୍ଚ ମାସର ଶେଷ ସପ୍ତାହରେ ବିଭିନ୍ନ ସ୍ଥାନରେ ଅନେକଗୁଡିଏ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ପ୍ରତିପାଳନ ଲାଗି ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବାପରେ ସଂସ୍କୃତି ବିଭାଗ ପକ୍ଷରୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ କାର୍ଯ୍ୟକ୍ରମର ରୂପରେଖ ସଂକ୍ରାନ୍ତରେ ଚିଠାପ୍ରସ୍ତାବ ତିଆରି କରାଯାଇଥିଲା ଏବଂ ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ ଉପସମିତି ମଧ୍ୟ ମୋହର ଲଗାଇଥିଲେ ।

ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ଗାଁକୁ ଆଦର୍ଶଗ୍ରାମରେ ପରିଣତ କରିବା ଏବଂ ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ବିଭିନ୍ନ ଶହୀଦ ସଂଗ୍ରାମୀ ପୀଠ ଏବଂ ସ୍ୱରାଜ ଆଶ୍ରମ,ଚୌଧୁରୀ କୋଠି, ସତ୍ୟବାଦୀ ବନ ବିଦ୍ୟାଳୟ ଆଦିର ସଂରକ୍ଷଣ କରିବାପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ସେହିପରି ଗାନ୍ଧୀ-୧୫୦ର ଯେତେସବୁ କାର୍ଯ୍ୟକ୍ରମ କରୋନାପାଇଁ ଅଧୁରା ରହିଯାଇଛି ତାହାକୁ ମଧ୍ୟ ସାକାର କରିବାଲାଗି ସରକାର ଚାହୁଁଛନ୍ତି । ବିଶେଷକରି ଗାନ୍ଧୀ ସର୍କିଟ ସ୍ଥାପନ ଓ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ ପଞ୍ଚାୟତକୁ ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ଗଢିତୋଳିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମିତି ବୈଠକରେ ଯେଉଁ ଘୋଷଣା କରାଯାଇଥିଲା ତାହାର ରୂପାୟନ ସହିତ ଅଧିକ ଗାନ୍ଧୀ ସାହିତ୍ୟ ସୃଷ୍ଟିଲାଗି ବି ପ୍ରସ୍ତାବ ରହିଛି ।

ଗାନ୍ଧୀଜୀଙ୍କ ଓଡିଶାରେ ବ୍ୟାପକ ପଦଯାତ୍ରା ଢାଞ୍ଚାରେ ଏବର୍ଷ ମଇରୁ ଜୁନ୍‍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଲାଗି ରହିଥିବା ପ୍ରସ୍ତାବ କରୋନା ପରିପ୍ରେକ୍ଷୀରେ ସ୍ଥଗିତ ରହିଛି । ତେବେ ପରିସ୍ଥିତି ସ୍ୱାଭାବିକ ହେବାପରେ ଏହି କାର୍ଯ୍ୟକ୍ରମ କରାଯିବ ଏବଂ ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ନଜର ରଖିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)