Home Health କରୋନା ଚିକିତ୍ସା ପାଇଁ ୩୮୯ କୋଟି ଖର୍ଚ୍ଚ

କରୋନା ଚିକିତ୍ସା ପାଇଁ ୩୮୯ କୋଟି ଖର୍ଚ୍ଚ

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣା ଚିକିତ୍ସା ବାବଦରେ ରାଜ୍ୟରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ୪୭ହଜାରରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ବାବଦରେ ୩୨ଟି ଘରୋଇ ଡାକ୍ତରଖାନାକୁ କରୋନା ଚିକିତ୍ସା ବାବଦରେ ଏହି ଅର୍ଥ ପୈଠ କରାଯାଇଛି ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜାନୁଆରୀ ସୁଦ୍ଧା ରାଜ୍ୟରେ ୪୭,୦୫୫ ଜଣ କରୋନା ସଂକ୍ରମିତଙ୍କୁ ୩୨ଟି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଛି । ମାଗଣା ଚିକିତ୍ସା ବାବଦରେ ଏହିସବୁ ଡାକ୍ତରଖାନାକୁ ୩୮୯ କୋଟି ୫୯ଲକ୍ଷ ୬୬ହଜାର ୪୬୬ ଟଙ୍କା ପୈଠ କରାଯାଇଛି ।

ସବୁଠାରୁ ଅଧିକ ୪୩୩୦ ଜଣ କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ସାଳନ୍ଦୀ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଚିକିତ୍ସା ବାବଦରେ ଉକ୍ତ ଡାକ୍ତରଖାନାକୁ ୧,୭୩,୭୮,୦୨୬ ଟଙ୍କା ପ୍ରଦାନ କରାଯାଇଛି । ଏହାପଛକୁ ୩୫୯୧ ଜଣ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ହାଇଟେକ୍‍ ମେଡ଼ିକାଲ କଲେଜ ରାଉରକେଲାରେ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କ ପାଇଁ ୧୫,୨୯,୦୪,୦୪୪ ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରର ହାଇଟେକ୍‍ ମେଡ଼ିକାଲ କଲେଜରେ ତୃତୀୟ ସର୍ବାଧିକ ୩୨୫୮ ଜଣ କରୋନା ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଏମାନଙ୍କ ବାବଦରେ ୧୯,୧୦,୬୩,୨୫୦ ଟଙ୍କା ପୈଠ ହୋଇଛି । ବାରିପଦାଠାରେ ଥିବା କିମ୍ସ କ୍ୟାମ୍ପସ ଡାକ୍ତରଖାନାରେ ୨୩୨୧ ଜଣ କରୋନା ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଏମାନଙ୍କ ୧୭ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ସବୁଠାରୁ ଅଧିକ ଅର୍ଥ ବ୍ୟୟ ହୋଇଛି ଆଇଏମଏସ ଏବଂ ସମ ହସ୍ପିଟାଲରେ ରୋଗୀ ଚିକିତ୍ସା ବାବଦରେ । ଏଠାରେ ୬୯୮ ଜଣ ରୋଗୀଙ୍କ ପାଇଁ ୫୮,୫୯,୭୨,୨୫୦ ଟଙ୍କା ପୈଠ ହୋଇଥିବା ବେଳେ କିମ୍ସ ହସ୍ପିଟାଲରେ ୨୨୯୫ ଜଣ ରୋଗୀଙ୍କ ପାଇଁ ୪୪,୧୫,୫୨,୫୦୦ ଟଙ୍କା ପୈଠ ହୋଇଛି ।

କଟକର ଅଶ୍ୱିନୀ ହସ୍ପିଟାଲରେ ୧୯୩୨ କରୋନ ସଂକ୍ରମିତଙ୍କ ଚିକିତ୍ସା ଲାଗି ୩୨,୪୫,୮୫,୫୫୬ ଟଙ୍କା ପୈଠ ହୋଇଥିବା ବେଳେ ରାଉରକେଲାର ଶାନ୍ତି ମେମୋରିଆଲ୍‍ ହସ୍ପିଟାଲରେ ୪୩୬ ଜଣ ରୋଗୀଙ୍କ ପାଇଁ ୩୦,୦୩,୪୮,୨୮୯ ଟଙ୍କା ପୈଠ ହୋଇଛି ।

ଭୁବନେଶ୍ୱରର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୧୯୮୬ ରୋଗୀଙ୍କ ଚିକିତ୍ସା ବାବଦରେ ୧୮,୨୮,୪୫,୫୦୦ ଟଙ୍କା ବ୍ୟୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଛତାଠାରେ ଥିବା କୋଭିଡ୍‍ ଚିକିତ୍ସାକେନ୍ଦ୍ରରେ ୧୫୮୬ ରୋଗୀଙ୍କ ଚିକିତ୍ସା ବାବଦରେ ୧୩,୪୫,୫୫,୩୪୦ ଟଙ୍କା ପୈଠ କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ଥିବା କିସ କ୍ୟାମ୍ପସ ଡାକ୍ତରଖାନାରେ ୧୨୦୪ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ୧୬,୩୯,୬୨,୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବାଳକାଟିଠାରେ ଥିବା ନିଳାଚଳ ହସ୍ପିଟାଲରେ ୧୦୮୨ ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ୧୨,୧୮,୩୮,୭୭୦ ଟଙ୍କା ପୈଠ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାସ୍ଥିତ ଜୟପ୍ରକାଶ ହସ୍ପିଟାଲରେ ୨୮୯ ଜଣ ରୋଗୀଙ୍କ ଚିକିତ୍ସା ଲାଗି ୧୧,୯୫,୯୭,୦୧୭ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର କାନୁନଗୋ ଇନଷ୍ଟିଚ୍ୟୁଟ ଅଫ ଡାଇବେଟିସରେ ୯୮୮ଜଣ ସଂକ୍ରମିତଙ୍କ ଚିକିତ୍ସା ଲାଗି ୭,୩୩,୦୮,୭୫୦ ଟଙ୍କା ବ୍ୟୟ ହୋଇଥିବା ବେଳେ ବ୍ରହ୍ମପୁରଠାରେ ଥିବା ଅମିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୮୩୩ ରୋଗୀଙ୍କ ଚିକିତ୍ସା ଲାଗି ୫,୯୯,୨୮,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ।