Home Covid କରୋନା କଟକଣା ଉଲ୍ଳଂଘନ ବଢ଼ୁଛି

କରୋନା କଟକଣା ଉଲ୍ଳଂଘନ ବଢ଼ୁଛି

ଭୁବନେଶ୍ୱର : କରୋନା ସଂକ୍ରମଣର ଭୟାବହତା ରୋକିବା ପାଇଁ ସରକାର ଯେଉଁ କଟକଣାମାନ ଜାରି କରିଛନ୍ତି ତାହାର ଖୋଲା ଉଲ୍ଲଂଘନ ହାଟ ବଜାରରେ ଦେଖିବାକୁ ମିଳୁଛି । ଏମିତିକି ରାଜନୈତିକ ଦଳମାନେ ବି ଏହି ମାର୍ଗନିର୍ଦ୍ଦେଶିକାକୁ ମାନୁ ନଥିବାରୁ ବୈଜ୍ଞାନିକ ଓ ଚିକିତ୍ସକମାନେ ବିଶେଷ ଚିନ୍ତିତ ।

ପାର୍ବଣ ଋତୁରେ ଅଧିକ ଜନସମାଗମ ହେବାକୁ ଥିବାରୁ ପୂଜାମଣ୍ଡପଗୁଡିକ ଉପରେ ସରକାର କଟକଣା ଜାରି କରି ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖିବା ଏବଂ ପରଦା ଆଡୁହାଳରେ ପୂଜାର୍ଚ୍ଚନା ଲାଗି କହିଛନ୍ତି । ଏହି କଟକଣା ହଟାଇବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ସରକାରୀ କଟକଣାକୁ କୋହଳ କରି ମୂର୍ତ୍ତିର ଉଚ୍ଚତା ବଢ଼ାଇବା ଓ ପୂଜାମଣ୍ଡପଗୁଡିକୁ ଦର୍ଶକମାନଙ୍କୁ ଆସିବା ଲାଗି ଅନୁମତି ଦେବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ତେଣୁ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କଟକଣା ମଧ୍ୟରେ ଦୁର୍ଗାପୂଜା ହେଉଛି । ତେବେ ଅନେକ ପୂଜାମଣ୍ଡପରେ ପ୍ରସାଦ ସଂଗ୍ରହ କରିବା ବାହାନାରେ ଅଧିକ ସଂଖ୍ୟକ ଲୋକ ଏବେଠାରୁ ଜମୁଥିବା ଦେଖାଯାଉଛି ।

ଦୋକାନ ବଜାରରେ ଗହଳି ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା କଟକଣାକୁ ରାଜଧାନୀ ସମେତ ରାଜ୍ୟର ଅନ୍ୟ ବହୁ ସହରରେ ଉଲ୍ଲଂଘନ କରାଯାଉଛି । ଏମିତିକି ହାଟ, ମଲ୍‍ ଓ ଅନ୍ୟାନ୍ୟ ବ୍ୟାବସାୟିକ ସ୍ଥଳୀରେ ଏବେଠାରୁ ଜନଗହଳି ବଢ଼ୁଥିବାରୁ ଦୁର୍ଗାପୂଜା ସମୟ ବେଳକୁ ତାହାର ଆକାର କି ଧରଣର ହେବ କଳ୍ପନା କରିବା ମୁସ୍କିଲ । ଏଠାରେ ଉଲ୍ଲେଖନୀୟ ଯେ ଭୋଜିଭାତ ଉପରେ ବିଏମସି ଜାରି କରିଥିବା କଟକଣାକୁ ବିରୋଧ ହେବାରୁ ଇତିମଧ୍ୟରେ ସେଥିରେ କିଛି କୋହଳ କରାଯାଇଛି ।

ରାଜନୈତିକ ନେତାମାନେ କିନ୍ତୁ କରୋନା କଟକଣା ଠାରୁ ନିଜକୁ ଊର୍ଦ୍ଧ୍ୱରେ ଥିବା ମଣୁଛନ୍ତି । ପିପିଲି ଉପନିର୍ବାଚନ ଓ ତାହାର ପରବର୍ତ୍ତୀ ବିଜୟ ଉତ୍ସବଠାରୁ ଆରମ୍ଭ କରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ରାଜନୈତିକ ଦଳମାନଙ୍କର ସଭା, ସମିତି, ଶୋଭାଯାତ୍ରା, ବିକ୍ଷୋଭ, ଧାରଣା ଆଦି ହେଉଛି ସେଥିରେ ପରସ୍ପର ମଧ୍ୟରେ ୬ଫୁଟ ଦୂରତାରେ ଥିବା ତ ଦୂରର କଥା ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି ।

ଏହି ଦୃଶ୍ୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରଦର୍ଶିତ ହେଉଛି ଏବଂ ଖବରକାଗଜମାନଙ୍କରେ ବି ଏଭଳି ଫଟୋ ପ୍ରାୟ ସବୁଦିନ ବାହାରୁଛି । ତେବେ ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ସମୟରେ ପୋଲିସ ଓ ଅନ୍ୟ କର୍ତ୍ତୃପକ୍ଷ ଯେମିତି ଉଲ୍ଲଂଘନକାରୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ, ଏବେ କିନ୍ତୁ ତାହା ଆଉ ଦେଖିବାକୁ ମିଳୁନାହିଁ ।

ଅନେକଙ୍କର ଧାରଣା ଯେ ଟିକା ନେଇସାରିଥିବାରୁ ଆଉ କରୋନା ହେବନାହିଁ । ତେବେ ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି ଯେ ଯାହାଙ୍କୁ ଥରେ କରୋନା ହେଉଛି ତାଙ୍କୁ ପୁନର୍ବାର କରୋନା ସଂକ୍ରମଣ ହେଉଛି ଏବଂ ଟିକା ନେଇଥିବା ଲୋକ ବି କରୋନା ସଂକ୍ରମିତ ହେଲେ ମଧ୍ୟ ଟିକାର ପ୍ରତିଷେଧକ ଶକ୍ତି ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଏହା ସାଂଘାତିକ ହେଉନାହିଁ ।

କରୋନା ପ୍ରତିଷେଧକ ଟିକା ଶରୀରରେ ସୀମିତ ସମୟ ପାଇଁ କାମ କରିଥାଏ । ଏଥିଯୋଗୁଁ ଦ୍ୱିତୀୟ ଡୋଜ ଟିକା ନେଇସାରିଥିବା ଲୋକଙ୍କ ଲାଗି ଆମେରିକାରେ ଏବେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଆରମ୍ଭ ହେଲାଣି । ଆମେରିକା, ଇଂଲଣ୍ଡ, ବ୍ରାଜିଲ ସମେତ ବହୁ ଦେଶରେ କରୋନା ତାହାର କରାଳକାୟା ମେଲାଇଥିବା ବେଳେ ଭାରତରେ ଏଯାବତ ତୃତୀୟ ପର୍ଯ୍ୟାୟ ସଂକ୍ରମଣର ଭୟ ଦୂର ହୋଇନାହିଁ ।

ଏହାକୁ ଦୃଷ୍ଟିରେ ରଖି କରୋନା କଟକଣା ଯେଭଳି କଡାକଡି ଭାବେ ପାଳିତ ହୁଏ ଏବଂ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ବ୍ୟବସ୍ଥା ହୁଏ ସେ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)