Home General କରୋନା ଆଶଙ୍କାରେ ବି କଟକଣା ହୁଗୁଳା

କରୋନା ଆଶଙ୍କାରେ ବି କଟକଣା ହୁଗୁଳା

ଭୁବନେଶ୍ୱର : କୋଭିଡର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ରୋକିବା ପାଇଁ ଦେଶ ବିଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ବେଳେ ଖୋଦ୍‍ ରାଜଧାନୀ ଭୁବନେଶ୍ୱରରେ କିନ୍ତୁ କୋଭିଡ କଟକଣା ନିୟମ ଅଧିକାଂଶ କ୍ଷେତ୍ରରେ ଉଲ୍ଲଂଘନ କରାଯାଉଛି । କରୋନାକୁ ଏବେ ଲୋକେ ଯେଭଳି ହାଲୁକା ଭାବେ ନେଉଛନ୍ତି ଏବଂ ପୋଲିସ ଓ ପ୍ରଶାସନ ପକ୍ଷରୁ ଆଉ ଧରପଗଡ ହେଉନାହିଁ ତାହା ଅବ୍ୟାହତ ରହିଲେ ଭବିଷ୍ୟତରେ ଭୟଙ୍କର ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଜାରି ରହିଥିବା କୋଭିଡ କଟକଣା ମୁତାବକ ଲୋକେ ପରସ୍ପରଠାରୁ ଅନ୍ୟୂନ ୬ ଫୁଟ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ ବାନ୍ଧିବା, ନିୟମିତ ବ୍ୟବଧାନରେ ହାତ ସାନିଟାଇଜ୍‍ କରିବା, ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗହଳି ଏଡାଇବା ଆଦି ବ୍ୟବସ୍ଥା ରହିଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ସତେ ଯେମିତି ଏ ସମସ୍ତ କଟକଣାକୁ ସଂଖ୍ୟାଧିକ ଲୋକ ଉପେକ୍ଷା କରିଚାଲିଛନ୍ତି । ବିବାହ ଉତ୍ସବଠାରୁ ଆରମ୍ଭ କରି ସଭାସମିତି, ଧାରଣା, ଧର୍ମଘଟ ଆଦିରେ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରାଯାଉନାହିଁ କିମ୍ବା ମାସ୍କ ପିନ୍ଧିବା ଉପରେ ବି ସେତେଟା ଗୁରୁତ୍ୱ ଆଉ ଦିଆଯାଉନାହିଁ ।

ଅତୀତରେ ମାସ୍କ ପରିଧାନ କରିନଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପର୍ଯ୍ୟନ୍ତ ବହୁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏମିତିକି ଅପରାଜିତାଙ୍କ ଦପ୍ତରକୁ ବି ସିଲ୍‍ କରାଯାଇଥିଲା । ଏବେକିନ୍ତୁ ପୂର୍ବାପେକ୍ଷା ଢ଼େର୍‍ ଅଧିକ ଗୁଣର ଗହଳି ଚହଳି ଲାଗି ରହୁଥିବା ଏବଂ ଉତ୍ସବାନୁଷ୍ଠାନ ଓ ରାଜନୈତିକ କାର୍ଯ୍ୟକ୍ରମରେ ଲୋକେ ଖୁନ୍ଦାଖୁନ୍ଦି ହୋଇ ବସିବା ସହ ମାସ୍କ ପରିଧାନ ନ କରିବା ଓମିକ୍ରନ ପରିପ୍ରେକ୍ଷୀରେ ଉଦ୍‍ବେଗଜନକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ।

ରାଜ୍ୟରେ ଏବେ ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେଉଥିଲେ ବି ଅନେକ ଶିକ୍ଷାର୍ଥୀ ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ନିରାପଦ ନ ମଣି ଘରେ ଅନ୍‍ଲାଇନରେ ପାଠ ପଢ଼ୁଛନ୍ତି । ଯେଉଁସବୁ ଶିକ୍ଷାନୁଷ୍ଠାନକୁ ପିଲାମାନେ ଯାଉଛନ୍ତି ସେଠାରେ ୬ ଫୁଟିଆ ଦୂରତ୍ୱ ରକ୍ଷା ଅସମ୍ଭବପର ହେଉଥିବା ବେଳେ ପିଲାମାନେ ପରସ୍ପର ସହ ଅତି ନିକଟରୁ ମିଶିବା ଏବଂ ବହୁ କ୍ଷେତ୍ରରେ ମାସ୍କ ଖୋଲି ଦେଉଥିବା ଲକ୍ଷ୍ୟ କରାଯାଉଛି । ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ ଆଦି କେତେକ ଜିଲ୍ଲାରେ କିଛି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବ୍ୟାପିଛି । ଏହା ସମଗ୍ର ରାଜ୍ୟର ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି ।

ରାଜଧାନୀର ବିଭିନ୍ନ ହାଟ, ମଲ୍‍ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ଅଞ୍ଚଳରେ ମାତ୍ରାଧିକ ଜନସମାଗମ ଲକ୍ଷ୍ୟ କରାଯାଉଛି । ବିଶେଷକରି ସଂଖ୍ୟାଧିକ ମଦ ଦୋକାନ ସମ୍ମୁଖରେ ମଦୁଆମାନଙ୍କର ଯେଭଳି ଗହଳି ଚହଳି ଲାଗି ରହୁଛି ଏବଂ ମଦ କିଣିବା ପରେ ଆଖପାଖ ଅଞ୍ଚଳରେ ସେମାନେ ଯେପରି ଉତ୍ପାତ କରୁଛନ୍ତି ସେସବୁ ଘଟଣାକୁ ପାଟ୍ରୋଲିଂରେ ଯାଉଥିବା ପିସିଆର ଭ୍ୟାନ୍‍ଗୁଡିକ ବିଶେଷ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ଆସୁଛି ।

ସଚେତନ ନାଗରିକ, ଡାକ୍ତର, ବୈଜ୍ଞାନିକ, ପଦସ୍ଥ ପୋଲିସ ଅଧିକାରୀ ଆଦି କରୋନା କଟକଣାର କଡାକଡି ଅନୁପାଳନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଛନ୍ତି । ପ୍ରାୟତଃ ୨ବର୍ଷର ଅଭିଜ୍ଞତାରୁ ଲୋକେ କରୋନାର ଭୟାବହତା ସଂକ୍ରାନ୍ତରେ ସଚେତନ ନ ହେଲେ ପୁଣି କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ଏବଂ ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ସାଧାରଣ ଜନଜୀବନ ବିଶେଷ ଭାବେ ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜୁଛି ।

ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏବେ ଶିକ୍ଷାନୁଷ୍ଠାନଗୁଡିକ ଉପରେ କଡା ନଜର ରଖିଛନ୍ତି । ଯଦି କରୋନା ବ୍ୟାପେ ଓ ବିଶୃଙ୍ଖଳା ବଢ଼େ ତେବେ ପୁଣିଥରେ ଶିକ୍ଷାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ବନ୍ଦ ରଖିବା ପାଇଁ ସରକାର ବାଧ୍ୟ ହୋଇପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)