Home Finance କରୋନାରେ ବି ଅଧିକ ଟିକସ ସଂଗ୍ରହ

କରୋନାରେ ବି ଅଧିକ ଟିକସ ସଂଗ୍ରହ

ଭୁବନେଶ୍ୱର : କୋଭିଡ ମହାମାରୀ ସତ୍ୱେ ଓଡିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଅଧିକ ଟିକସ ସଂଗ୍ରହ କରିଛନ୍ତି । ରାଜସ୍ୱ ସଂଗ୍ରହ ନେଇ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଜଣାପଡିଛି ଯେ ୨୦୨୧ ମାର୍ଚ୍ଚରେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ୨୦୨୦ ମାର୍ଚ୍ଚ ଠାରୁ ୧୮ ପ୍ରତିଶତ ଅଧିକ ରହିଛି ।

୨୦୨୦-୨୧ ବର୍ଷରେ ଆଦାୟ ହୋଇଥିବା ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ପରିମାଣ ୫୫,୫୧୧ କୋଟି ୬୩ଲକ୍ଷ ଆଦାୟ ହୋଇଛି ଯାହାକି କରୋନା ସମୟରେ ସର୍ବକାଳୀନ ରେକର୍ଡ । ନିଜସ୍ୱ ଟିକସ ରାଜସ୍ୱ ପରିମାଣ ୩୪,୪୨୧କୋଟି ୯ଲକ୍ଷ ଟଙ୍କା ଥିବାବେଳେ ଅଣଟିକସ ରାଜସ୍ୱ ପରିମାଣ ୨୧,୦୯୦କୋଟି ୫୪ଲକ୍ଷ ଟଙ୍କା ରହିଛି । ନିଜସ୍ୱ ଟିକସ ରାଜସ୍ୱ ମଧ୍ୟରେ ବାଣିଜ୍ୟକର ପରିମାଣ ୨୧,୦୯୦କୋଟି ୩୮ଲକ୍ଷ ଟଙ୍କା ରହିଥିବାବେଳେ ଏଥି ମଧ୍ୟରେ ଭାଟ୍‍, ପ୍ରବେଶକର, ଏସ୍‍ଜିଏସ୍‍ଟି ଏବଂ ଆଇଜିଏସ୍‍ଟି ଅଂଶଧନ ରହିଛି ।

ଅବକାରୀ ଟିକସ ପରିମାଣ ପୂର୍ବ ବର୍ଷ ତୁଳନାରେ କମ୍‍ ରହିଛି । ୨୦୨୦-୨୧ ବର୍ଷରେ ଅବକାରୀ ରାଜସ୍ୱ ବାବଦରେ ୩୯୬୨କୋଟି ୩୭ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୪୪୯୫କୋଟି ୪୨ଲକ୍ଷ ଟଙ୍କା ରହିଥିଲା । ତେବେ ଷ୍ଟାମ୍ପ ଓ ପଞ୍ଜିକରଣ ଆଦାୟ ଗତବର୍ଷ ତୁଳନାରେ ଅଧିକ ରହିଛି । ୨୦୨୦-୨୧ରେ ଏହି ଦୁଇ କ୍ଷେତ୍ରରୁ ୨୮୮୭କୋଟି ୮୯ଲକ୍ଷ ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ଶତ ପ୍ରତିଶତ ଅଧିକ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ୧୦୧.୨୬ ପ୍ରତିଶତ ଅଧିକ ସମ୍ବଳ ସଂଗ୍ରହ ହୋଇଛି । ତେବେ ଯାନବାହାନ ଟିକସ ଆଦାୟ କମିଛି । ୨୦୨୦-୨୧ରେ ମୋଟରଯାନ ଟିକସ ବାବଦରେ ୧୭୭୬କୋଟି ୯୦ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ପୂର୍ବବର୍ଷ ଏହା ୧୮୩୬କୋଟି ୩୨ଲକ୍ଷ ଟଙ୍କା ରହିଥିଲା । ବିଜୁଳି ଟିକସ ଓ ଡ୍ୟୁଟି ବାବଦରେ ୨୦୨୦-୨୧ ବର୍ଷରେ ଓଡିଶା ୩୯୩୮ କୋଟି ୧୩ଲକ୍ଷ ଟଙ୍କା ଆଦାୟ କରିଥିବାବେଳେ ୨୦୧୯-୨୦ ରେ ଏହା ୨୮୧୯କୋଟି ୬୭ଲକ୍ଷ ଟଙ୍କା ଥିଲା । ବିଦ୍ୟୁତ୍‍ କ୍ଷେତ୍ରରୁ ଆଦାୟ ହୋଇଥିବା ଟିକସ ନିଜସ୍ୱ ଟିକସ ବୃଦ୍ଧିରେ ସହାୟକ ହୋଇଛି ।

ସେହିଭଳି ଅଣଟିକସ ରାଜସ୍ୱ ଆଦାୟ କ୍ଷେତ୍ରରେ ଖଣି ଓ ଖଣିଜ କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛି । ଯଦିଓ ଏହି କ୍ଷେତ୍ର କୋଭିଡ ଦ୍ୱାରା ସର୍ବାଧିକ ହୋଇଛି । ଅଣ ଫେରୋ ଖଣି ଓ ଖଣିଜ କ୍ଷେତ୍ରରୁ ୨୦୨୦-୨୧ ବର୍ଷରେ ୧୩,୫୯୧କୋଟି ୫୮ଲକ୍ଷ ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୨୩.୩୪ ପ୍ରତିଶତ ଅଧିକ ରହିଛି । ରାଜ୍ୟ ସରକାର ଏହି କ୍ଷେତ୍ରରୁ ୧୨,୫୦୦ କୋଟିରୁ ଟିକସ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ଟିକସ ଲକ୍ଷ୍ୟ ଟପିବା ରାଜ୍ୟ ରାଜକୋଷକୁ ବେଶ୍‍ ସହାୟକ ହୋଇଛି ।

ସୁଧ, ଅଂଶଧନ ଏବଂ ଶିକ୍ଷା କ୍ଷେତ୍ରରୁ ଆଦାୟ ହୋଇଥିବା ଅଣଟିକସ ରାଜସ୍ୱ ୨୦୧୯-୨୦ ବର୍ଷ ତୁଳନାରେ ଅଧିକ ରହିଛି । ତେବେ କେନ୍ଦ୍ରୀୟ ଅଂଶଧନ ଟିକସ ଏବଂ ଅନୁଦାନ ପରିମାଣ ହ୍ରାସପାଇଛି । କେନ୍ଦ୍ରରୁ ମିଳୁଥିବା ଅଂଶଧନ ଟିକସ ପରିମାଣ ୯.୫୬ ପ୍ରତିଶତ ହ୍ରାସ ପାଇଥିବାବେଳେ ଅନୁଦାନ ପରିମାଣ ୫.୭୯ ପ୍ରତିଶତ କମିଛି । (ତଥ୍ୟ)