Home Covid କରୋନାରେ ବିକାଶ ଓ ନିଯୁକ୍ତି ପ୍ରଭାବିତ

କରୋନାରେ ବିକାଶ ଓ ନିଯୁକ୍ତି ପ୍ରଭାବିତ

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ନିଯୁକ୍ତି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବ । ଏଥିଘେନି ଅର୍ଥନୀତି ବିଶାରଦମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । କେବଳ ଓଡିଶା ନୁହେଁ, ସମଗ୍ର ଦେଶ ଏବଂ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆର୍ଥିକ ବ୍ୟବସ୍ଥାକୁ କରୋନା ଏକ ପ୍ରକାର କୋମାକୁ ନେଇଯାଇଛି ।

ଏଥିଯୋଗୁଁ ଉତ୍ପାଦନ ଓ ରୋଜଗାର ଗୁରୁତରଭାବେ ବ୍ୟାହତ ହେବା ସଂଗେ ସଂଗେ କୋଟି କୋଟି ଲୋକ ନିଯୁକ୍ତି ହରାଇବାରେ ଲାଗିଛନ୍ତି । ଫଳରେ ବେକାରୀ ଓ ବେରୋଜଗାରୀ ସାଂଘାତିକ ଭାବେ ବଢିଚାଲିଛି ।

ବିଶେଷକରି ଅନେକ ଆଇଟି କମ୍ପାନୀ ପ୍ରଥମ ଲହର ଠାରୁ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି । ଅନେକ ସଂସ୍ଥା ମାସ ମାସ ଧରି କର୍ମଚାରୀ ଓ ଶ୍ରମିକମାନଙ୍କୁ ପାରିଶ୍ରମିକ ଦେଇପାରୁ ନାହାନ୍ତି । ଏଣେ ବିଭିନ୍ନ ସଂସ୍ଥାରେ ତାଲା ପଡୁଥିବାରୁ ଶ୍ରମିକମାନେ କର୍ମସ୍ଥଳ ଛାଡି ଘରବାହୁଡା କରିବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ସାଧାରଣ ଉତ୍ପାଦ କ୍ଷେତ୍ର ଗୁରୁତରଭାବେ ସଂକ୍ରମିତ ହେବାରେ ଲାଗିଛି ।

କରୋନା ସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ଜରୁରୀକାଳୀନ ଓ ଦୀର୍ଘମିଆଦୀ ପଦକ୍ଷେପ ପାଇଁ ଆମ ଦେଶରେ ଲକ୍ଷାଧିକ କୋଟି ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି । ଏହି ଭିତ୍ତିଭୂମିରେ ରାଜ୍ୟଗୁଡିକରେ କେନ୍ଦ୍ରୀୟ ଯୋଜନାମାନରେ ବ୍ୟୟ ସଙ୍କୋଚନ ହେବାର ଆଶଙ୍କା ଢେର ଅଧିକ ।

ଓଡିଶା ସରକାର ବିଭିନ୍ନ ବିଭାଗ ପାଇଁ ବିଧାନସଭାରେ ଯେଉଁ ବଜେଟ୍‍ ଗୃହୀତ କରାଇଛନ୍ତି ସେଥିରେ ଆୟ ବ୍ୟୟ କ୍ଷେତ୍ରରେ ସାମଞ୍ଜସ୍ୟ ରହିନପାରେ । ଟିକସ ଓ ଅଣଟିକସ ରାଜସ୍ୱ ଆଦାୟ କମିବା ସମ୍ଭାବନା ଥିବାବେଳେ କରୋନା ପରିପ୍ରେକ୍ଷୀରେ ବ୍ୟୟ କିନ୍ତୁ ଢେର ବଢିବାକୁ ଯାଉଛି । ଲୋକଙ୍କ ଜୀବନ ରକ୍ଷାକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବାବେଳେ ଅତିରିକ୍ତ ବଜେଟ୍‍ରେ ବ୍ୟାପକ ପରିବର୍ତ୍ତନ ଅଣାଯିବାର ସମ୍ଭାବନା ରହିଛି । ଏଣେ ଜିଡିପି ହାର ଉଦ୍‍ବେଗଜନକ ଭାବେ ଖସିବାରେ ଲାଗିଛି । ଆର୍ଥିକ ବ୍ୟବସ୍ଥାକୁ ବ୍ୟକ୍ତି ଓ ପରିବାର ସ୍ତରରୁ ଆରମ୍ଭ କରି ରାଜ୍ୟ ଓ ରାଷ୍ଟ୍ର ପର୍ଯ୍ୟନ୍ତ କରୋନା ମହାମାରୀରେ ଯେଭଳି ସଂକ୍ରମିତ ହୋଇଛି ତାହା ସୁଧାରିବାପାଇଁ ଢେର ବର୍ଷ ସମୟ ଲାଗିପାରେ ।

ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ ସାମ୍ପ୍ରତିକ ସ୍ଥିତିରେ ବଡ ବଡ କଳକାରଖାନା ସ୍ଥାପନ କରାଇ ତାହା ମାଧ୍ୟମରେ ନିଯୁକ୍ତି ଓ ରୋଜଗାର କ୍ଷେତ୍ରକୁ ବିଶେଷ ସମ୍ପ୍ରସାରିତ କରାଯାଇ ପାରିବନାହିଁ । କୃଷି ଭିତ୍ତିକ ଓ ଜଙ୍ଗଲଜାତ ସାମଗ୍ରୀ ଆଦିକୁ ଆଖିଆଗରେ ରଖି କୁଟୀର, ଗ୍ରାମ୍ୟ ଓ କୃଷିଭିତ୍ତିକ ଶିଳ୍ପକୁ ସମ୍ପ୍ରସାରିତ କରାଯାଇ ଗ୍ରାମଦ୍ୟୋଗ ସାମଗ୍ରୀର ବ୍ୟବହାର ଉପରେ ଗୁରୁତ୍ୱଆରୋପ କଲେ ଅଳ୍ପ ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଅର୍ଥନୀତିଜ୍ଞମାନେ ଆଶାବାଦୀ । ତେବେ ରାଜ୍ୟ ସରକାରଙ୍କର ବ୍ୟୟ ତୁଳନାରେ ଆୟ ଢେର କମିବା ଆଶଙ୍କା ଥିବାରୁ ଚଳିତ ଆର୍ଥିକବର୍ଷରେ ସରକାର ଅଧିକ ପରିମାଣରେ ଋଣ କରିବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । (ତଥ୍ୟ)