Home General କରୋନାରେ ନିଶାବେପାରୀ ମାଲେମାଲ

କରୋନାରେ ନିଶାବେପାରୀ ମାଲେମାଲ

ଭୁବନେଶ୍ୱର : କରୋନା ଜନିତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ପାଇଁ ଅନେକ ଲୋକଙ୍କ ଜୀବିକା ବୁଡି ଯାଉଥିବାବେଳେ ନିଶାବେପାରୀମାନେ କିନ୍ତୁ ମାଲେମାଲ । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଠାରୁ ଆରମ୍ଭ କରି ଚୋରାମଦ ଗଞ୍ଜେଇ, ବ୍ରାଉନସୁଗାର ଆଦିର ବେପାର ଏହି ସମୟ ଭିତରେ ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି ।

କରୋନା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ତେଜରାତି, ପନିପରିବା ଆଦି ଦୋକାନ ଖୋଲା ରହୁଥିବାବେଳେ ଔଷଧ ଦୋକାନ କିନ୍ତୁ ୨୪ଘଣ୍ଟା ଖୋଲା । ତେବେ ହୋମ ଡେଲିଭରୀ ନାଁରେ ଘରେ ଘରେ ମଦ ପହଞ୍ଚାଇବାପାଇଁ ଅବକାରୀ ବିଭାଗ ବ୍ୟବସ୍ଥା କରିଥିବା ପରିପ୍ରେକ୍ଷୀରେ ମଦ କାରବାର କିନ୍ତୁ ବେଶ୍‍ ଭଲ ଚାଲୁଛି । ମଦ ସହିତ ସୁଗି, ଜମାଟୋ ଆଦି ସଂସ୍ଥାର ଡେଲିଭରୀବୟମାନେ ମଟନ ଚିକେନ ଆଦି ପହଞ୍ଚାଇବାର ବ୍ୟବସ୍ଥା କରିଥିବାରୁ ଆଗେ ଲୁଚାଛପାରେ ବାହାରେ ମଦ ପିଇ ଘରକୁ ସୁନାପିଲା ଭଳି ଫେରୁଥିବା ମଦୁଆମାନେ ଏବେ ଘରେ ପିଲାଛୁଆ, ବାପ ମା’, ଭାଇ ଭଉଣୀ ଆଦିଙ୍କ ସାମ୍ନାରେ ଖୋଲାଖୋଲି ମଦ୍ୟପାନ କରୁଥିବାର ଅନେକ ଅଭିଯୋଗ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ମିଳୁଛି । ଏହାର ସୁଦୂରପ୍ରସାରୀ କୁପ୍ରଭାବ ପିଲାମାନଙ୍କ ଉପରେ ପଡିବ ବୋଲି ମନସ୍ତତ୍ୱବିତ୍‍ ଓ ସମାଜବିଜ୍ଞାନୀମାନେ ମତ ଦେଉଥିବାବେଳେ କୌଣସି ରାଜନୈତିକଦଳ ଏ ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି ।

ଇତି ମଧ୍ୟରେ ରାଜଧାନୀରେ ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିବା ଗୋଟିଏ ସଂସ୍ଥା ଧରାପଡିଛି । ଏହା ସତ୍ୱେ ବି ଆଉ ଅନେକ ସ୍ଥାନରେ ନକଲି ଆଇକାର୍ଡ ସହିତ ବିଭିନ୍ନ ହୋମଡେଲିଭରୀ ସଂସ୍ଥା ଓ ଅନ୍ୟ ଅନୁଷ୍ଠାନଗୁଡିକର ପୋଷାକ ତିଆରି ହେଉଛି । ନକଲି ଆଇକାର୍ଡ ଓ ନକଲି ପୋଷାକ ପିନ୍ଧି ଚୋରା ବେପାରୀମାନେ ଚୋରା ମଦ ସହ ବ୍ରାଉନସୁଗାର, ଗଞ୍ଜେଇ, ଗୁଟ୍‍ଖା ଆଦି ମଧ୍ୟ ଘରେ ଗରେ ପହଞ୍ଚାଉଛନ୍ତି ।

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଅପେକ୍ଷା ଏହି ଚୋରାମଦର ଦର କମ୍‍ ରହୁଛି । ବ୍ରାଉନସୁଗାର, ଗଞ୍ଜେଇ ଆଦିରେ ଅଭ୍ୟସ୍ତ ନିଶାଡିମାନେ ଘରେ ରହିପାରୁ ନାହାନ୍ତି । ସେମାନେ ନିଶା ସାମଗ୍ରୀ ଖୋଜିବାପାଇଁ ବାଇକ୍‍ ଧରି ଚକ୍କର କାଟୁଥିବାବେଳେ ଚୋରା ନିଶାବେପାରୀମାନେ ବି ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ଏହା ଯୋଗାଉଥିବା ପଟିଆ, ନିଳାଦ୍ରୀବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ନୂଆପଲ୍ଲୀ, ସାଲିଆସାହି ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛି ।

ଦୁଗ୍ଧ ବିକିବାପାଇଁ ଅନୁମତିପ୍ରାପ୍ତ ସଂଖ୍ୟାଧିକ ଓମଫେଡ୍‍ ଦୋକାନରେ ଚା’ ଆସରର ଖଟି ଜମୁଛି । ତାହା ସହିତ ବିଡି, ସିଗାରେଟ, ଗୁଟ୍‍ଖା, ପାନମସଲା ଆଦି ମଧ୍ୟ ବିପୁଳ ପରିମାଣରେ ଉପଲବ୍ଧ ହେଉଛି । ଯେଉଁଲୋକ ଦିନକୁ ଦି ଚାରି ଖଣ୍ଡ ସିଗାରେଟ କିମ୍ବା ଦୁଇ ତିନି ପ୍ୟାକେଟ ଗୁଟ୍‍ଖା ଖାଉଥିଲା ସିଏ ଏବେ ପ୍ୟାକେଟ ପ୍ୟାକେଟ ସିଗାରେଟ ଓ ମାଳ ମାଳ ଗୁଟ୍‍ଖା ସଂଗ୍ରହ କରିନେଉଥିବା ଦେଖିବାକୁ ମିଳୁଛି । ବସ୍ତୁତଃ ଓମଫେଡ୍‍ ବୁଥ୍‍ ଗୁଡିକରେ ଲକଡାଉନ୍‍ ଓ ସଟ୍‍ଡାଉନ ସମୟରେ ଯେତେ ଦୁଗ୍ଧ ବିକ୍ରି ହେଉଛି ତାହାଠାରୁ ଢେର ଅଧିକ ପରିମାଣର ଏଭଳି ନିଶା ସାମଗ୍ରୀ ବିକ୍ରି ଚାଲୁଥିଲେ ବି ତାହା ବନ୍ଦ କରିବା ଦିଗରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ତେବେ କମିଶନରେଟ ପୁଲିସ୍‍ ଭୁବନେଶ୍ୱର, କଟକ ଓ ତାହାର ଆଖପାଖ ଅଞ୍ଚଳରେ ମାସକ ମଧ୍ୟରେ ବିପୁଳ ପରିମାଣର ଚୋରା ନିଶା ସାମଗ୍ରୀ ଜବତ କରିଥିବା ପରିପ୍ରେକ୍ଷୀରେ କରୋନା ସମୟରେ ନିଶାଡିମାନେ କଟକଣା ମାନୁଥିବା ଶୃଙ୍ଖଳିତ ଲୋକଙ୍କ ପାଇଁ କାଳ ସାଜୁଛନ୍ତି । (ତଥ୍ୟ)