Home Covid କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର : କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା | ଜଣେ   ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ | 

ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ  ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର  କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ  ଅସୁସ୍ଥ ହୋଇ ପଡିଥିଲେ । ତାଙ୍କର ଥଣ୍ଡା ଓ  କାଶ  ଲାଗି ରହିଥିଲା ।  ତାଙ୍କୁ ଜ୍ୱର ମଧ୍ୟ  ହୋଇଥିଲା ।

ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍ ଆଂଟିଜେନ୍ ପରୀକ୍ଷା କରାଯାଇଥିଲା । ଉଭୟଙ୍କର ନେଗେଟିଭ୍ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍ ଥିଲା । ଅମ୍ଳଜାନ ସ୍ତର ୫୬ ପର୍ଯ୍ୟନ୍ତ ଖସିଆସିଥିଲା ।

ତାଙ୍କୁ ତୁରନ୍ତ ଜୁନ୍ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲ ରେ ଭର୍ତି କରାଯାଇଥିଲା । ସେଠାରେ  କ୍ଷୀରୋଦାଙ୍କର କୋଭିଡ୍ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ  ପଜିଟିଭ୍ ବାହାରିଥିଲା । ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା ।

 ଗୁରୁତର ହୋଇପଡିଥିଲେ କ୍ଷୀରୋଦା  । ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା ।

ମେଡିକାଲ୍ ଟିମ୍ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ତାଙ୍କୁ ସୁଷମ ଖାଦ୍ୟ ଦେଇଥିଲେ । ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । 

ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ  ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତ।  ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here