Home Covid କରୋନାକୁ ବିଗାଡୁଛି ନିଶା ସେବନ

କରୋନାକୁ ବିଗାଡୁଛି ନିଶା ସେବନ

ଭୁବନେଶ୍ୱର : କରୋନାରେ ଭାରତ ସମେତ ସାରା ଓଡିଶା କଲବଲ ହେଉଥିବାବେଳେ ଗୋଟିଏ ପଟେ ଅର୍ଥନୀତି ଭୁଷୁଡି ପଡୁଛି ଓ ଅନ୍ୟନଟେ ନିଶା କାରବାର ଯୋଗୁଁ ସ୍ଥିତି ଉଦ୍‍ବେଗଜନକ ହେଉଛି । ନିଶାପାନ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକଶକ୍ତି ହ୍ରାସ ପାଉଥିବା ଘେନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍‍ଆର ସମେତ ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଥିବା ସତ୍ୱେ ନିଶାଡିମାନେ କିନ୍ତୁ ଏହାକୁ ଖାତିର କରୁନାହାନ୍ତି ।

ବିଶେଷକରି ମଦ, ଗଞ୍ଜେଇ, ଚରସ, ବ୍ରାଉନସୁଗାର, ସିଗାରେଟ, ଗୁଟ୍‍ଖା, ଖଇନି ଆଦିର କବଜାରେ ପଡିଥିବା ଯୁବଗୋଷ୍ଠି ଲକଡାଉନ୍‍ ସଟ୍‍ଡାଉନ୍‍ ଆଦିକୁ ଖାତିର ନକରି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜୋରିମାନା ଦେଉଛନ୍ତି ପଛେ ନିଶାଦ୍ରବ୍ୟ ସଂଗ୍ରହ କାମରେ ମାତୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ମାସକ ଭିତରେ ଏଭଳି ଅମାନିଆଙ୍କ ଠାରୁ ପୁଲିସ୍‍ ପ୍ରାୟ ୮କୋଟି ଟଙ୍କାର ଜୋରିମାନା ଆଦାୟ କରିସାରିଲାଣି ।

ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ ସମେତ ଏହାର ଆଖପାଖ ଅଞ୍ଚଳରେ ସଟ୍‍ଡାଉନ୍‍ ଓ ଲକଡାଉନ୍‍ ସମୟରେ ବି ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଯୋଗାଇ ଚୋରା ବେପାରୀମାନେ ବ୍ୟାପକ ମୁନାଫା ଉଠାଉଛନ୍ତି । ଏମିତିକି ଅନେକ ଲାଇସେନ୍ସପ୍ରାପ୍ତ ମଦଦୋକାନର ମୁଖ୍ୟଦ୍ୱାର ଲକଡାଉନ୍‍ ଓ ସଟ୍‍ଡାଉନ୍‍ ବେଳେ ବନ୍ଦ ରହୁଥିଲେ ବି ପଛଦ୍ୱାର ଦେଇ କିନ୍ତୁ ପେଟି ପେଟି ମଦ ଚାଲାଣ ହେଉଛି ।

ଲକ୍‍ଡାଉନ୍‍ ଘୋଷଣା ପୂର୍ବରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେମିତି ମଦ କିଣିବାପାଇଁ ବ୍ୟାପକ ଗହଳି ହେଲା ଏବଂ ଗଣମାଧ୍ୟମରେ ଏ ଦୃଶ୍ୟ ପ୍ରସାରିତ ହେବା ସତ୍ୱେ ବି କ୍ରେତା ଓ ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ ତାହା ଅନେକଙ୍କୁ ଚିନ୍ତାରେ ପକାଇଛି । ଚୌଦ୍ୱାରା, ବାଙ୍କି, ଗୁରୁଡିଝାଟିଆ ଆଦି ଅଞ୍ଚଳରୁ କଟକକୁ ଏବଂ ବାଲିଅନ୍ତା, ବାଲିପାଟଣା, ଖୋରଧା, ପିପିଲି, ଜଟଣି ଆଦିରୁ ଭୁବନେଶ୍ୱରକୁ ମଦର ବନ୍ୟା ଛୁଟିଛି । ଅବଶ୍ୟ କମିଶନରେଟ ପୁଲିସ୍‍ ସପ୍ତାହକ ମଧ୍ୟରେ ବିପୁଳ ପରିମାଣର ଚୋରା ମଦ ଜବତ କରିବା ସହ କେତେକଙ୍କୁ ଗିରଫ କରିଛି । ଏହାଛଡା ରାଜ୍ୟର ବିଭିନ୍ନ ସ୍ଥାନରେ ଇତି ମଧ୍ୟରେ ମଦ ସମେତ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନସୁଗାର ଆଦି ଜବତ ହୋଇଛି ।

ଏହି ନିଶାଡିମାନଙ୍କ ପାଇଁ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି । ନିଶାଡିମାନଙ୍କ ରକ୍ତରେ ଆଲକହଲ ଓ ନିକୋଟିନ୍‍ର ପରିମାଣ ଅଧିକ ରହୁଥିବାରୁ ସେମାନଙ୍କ ରୋଗ ପ୍ରତିରୋଧକଶକ୍ତି ଢେର କମ୍‍ । ଏହାଛଡା ବିଡି, ସିଗାରେଟ, ଗଞ୍ଜେଇ ଆଦି ଟାଣୁଥିବା ଲୋକଙ୍କର ଶ୍ୱାସନଳୀ ଓ ଫୁସ୍‍ଫୁସ୍‍ ଦୁର୍ବଳ ଥିବାରୁ କୋଭିଡ ସଂକ୍ରମଣ ଶୀଘ୍ର ହେଉଛି । ସେହିଭଳି ଗୁଟ୍‍ଖା, ଖଇନି ଆଦି ବ୍ୟବହାର କରୁଥିବା ଲୋକେ ଏଣେ ତେଲେ ଛେପ ପକାଇ ମଧ୍ୟ ସଂକ୍ରମଣ ବୃଦ୍ଧିର କାରଣ ହେଉଛନ୍ତି । ଏହାଛଡା ନିଶାଗ୍ରସ୍ତ ଅବସ୍ଥାରେ ବୁଦ୍ଧିବୃତ୍ତି ହରାଇ ଏହି ମାତାଲମାନେ ବି ସଂକ୍ରମଣର କାରଣ ହୋଇଥାନ୍ତି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ କହୁଛନ୍ତି । (ତଥ୍ୟ)