Home General କରୋନାକୁ ବଳିଗଲାଣି ତେଲ ଯନ୍ତ୍ରଣା

କରୋନାକୁ ବଳିଗଲାଣି ତେଲ ଯନ୍ତ୍ରଣା

ଭୁବନେଶ୍ୱର : କରୋନା ଓ ୟାସର ମାଡରେ କଲବଲ ହେଉଥିବା ସାଧାରଣ ଲୋକଙ୍କ ପାଇଁ ତେଲ ଦର ବୃଦ୍ଧି ଅଧିକ ଯନ୍ତ୍ରଣା ଆଣୁଛି । ଆମ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ମୁହାଁ ହୋଇଥିବାବେଳେ ଦେଶର ଆଉ କେତେକ ରାଜ୍ୟରେ ଏହା ଶହେ ଟଙ୍କା ଟପି ସାରିଲାଣି । ଖାଇବା ତେଲ ଦର ବର୍ଷକ ଭିତରେ ଦୁଇଗୁଣରୁ ଅଧିକ ବଢିବା ଗରିବ ଲୋକଙ୍କ ପଖାଳକଂସା ଉପରେ ସାଂଘାତିକ ମାଡ ଦେଇଛି ।

ଆର୍ନ୍ତଜାତିକ ବଜାରର ଉପମା ଦେଇ ବାରମ୍ବାର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦର ବଢା ଚାଲିଥିଲା । ତେବେ ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ ସାମୟିକ ଭାବେ ଏହି ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିଥିବାବେଳେ ନିର୍ବାଚନ ପରଠାରୁ ପୁଣି ଦରବୃଦ୍ଧି ଘଟିଚାଲିଛି । ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ରାଜ୍ୟମାନଙ୍କୁ ଦୋଷ ଦେଉଥିବାବେଳେ ରାଜ୍ୟର କ୍ଷମତାସୀନ ଦଳମାନେ କେନ୍ଦ୍ରକୁ ଦୋଷଦେଇ ଚାଲିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପେଟ୍ରୋଲ, ଡିଜେଲ ଆଦି ଉପରେ ଯେତେ ଟିକସ ନେଉଛନ୍ତି ତାହା ଏହି ଜାଳେଣୀ ତେଲର ମୂଳ ଦରର ପ୍ରାୟ ଦୁଇଗୁଣ । ଏଣେ କରୋନା ପରିରପ୍ରକ୍ଷୀରେ ସାରା ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଶକ୍ତ ପ୍ରହାର ବସୁଥିବାବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନେ ଟିକସ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ଏହାର ପରିଣାମ ସ୍ୱରୂପ ମାଲ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଦରବୃଦ୍ଧି ଘଟୁଛି ଏବଂ ତାହା ଖାଉଟି ସାମଗ୍ରୀର ଦରବୃଦ୍ଧିରେ ମଧ୍ୟ ସହାୟକ ହେଉଛି ।

କିଛିମାସ ତଳେ ସ୍ୱତନ୍ତ୍ର ଆଇନ୍‍ ଅଣାଯାଇ ଖାଇବା ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟାଇ ଦିଆଯିବା ପୋର ଖାଇବା ତେଲ ଦର ହୁ ହୁ ହୋଇ ବଢିଚାଲିଛି । ୨୦୧୦ ବେଳକୁ ସୋରିଷତେଲ ଲିଟର ୬୩ଟଙ୍କା ଥିବାବେଳେ ୨୦୨୦ ମଇ ବେଳକୁ ଏହା ୯୦ଟଙ୍କା ଥିଲା ।

ଏବେ ବଜାରରେ ସୋରିଷ ତେଲ ଲିଟର ୨୧୫ଟଙ୍କା ଟପିଲାଣି । କେବଳ ସୋରିଷ ତେଲନୁହେଁ ପାମୋଲିନ୍‍, ସୂର୍ଯ୍ୟମୁଖୀ ସମେତ ଅନ୍ୟ ରିଫାଇନ୍‍ ତେଲ ଦର ବି ଢେର ଅଧିକ ରହୁଛି । ସଫୋଲା, ଅଲିଭ ଖାଇବାତେଲ ଏବେ ସାଧାରଣ ଖାଉଟି କିଣିବାବେଳକୁ ଖୁବ୍‍ ବାଧୁଛି । ବିଶେଷକରି କମ୍‍ କୋଲେଷ୍ଟ୍ରୋଲଯୁକ୍ତ ତେଲ ଖାଇବାପାଇଁ ଡାକ୍ତରମାନେ ଅନେକ କିସମର ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ଏବେ ସେମାନଙ୍କ ପାଇଁ ତେଲ ଦର ସହ ଔଷଧ ଦର ବୃଦ୍ଧି ମୁଣ୍ଡବିନ୍ଧାର କାରଣ ହୋଇଛି ।

ଗୋଟିଏ ପଟେ କରୋନା ମହାମାରୀ ସହ ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ ଆଦି ପାଇଁ ରୋଜଗାର କମୁଥିବାବେଳେ ଖାଇବାତେଲ ଠାରୁ ଜାଳେଣୀ ତେଲ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଏକ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି କରିଛି । ବିଶେଷକରି ଯେଭଳି ତିରୋଟ ସମୟରେ ଗରିବ ଲୋକଟିଏ ପଖାଳ ସହିତ ଆଳୁ କି ବାଇଗଣ ଚଟଣି ତିଆରିପାଇଁ ଦି ଟୋପା ସୋରିଷ ତେଲ ନପାଇ କଲବଲ ହେଉଛି ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଏବେ ସୋରିଷ,ବାଦାମ,ସୋୟାବିନ୍‍ ଓ ସୂର୍ଯ୍ୟମୁଖୀ ସମେତ ଅନ୍ୟ ତୈଳବୀଜ ଉତ୍ପାଦନ ବେଶ୍‍ ଭଲ ହେଉଥିବାବେଳେ ଲାଭଖୋର ବ୍ୟବଦାୟୀମାନେ ଢେର କମ୍‍ ପଇସାରେ ତୈଳବୀଜ ଉଠାଇ ଚଢା ଦରରେ ବଜାରକୁ ତେଲ ଛାଡୁଛନ୍ତି ଏବଂ ଏଥିପାଇଁ ବିଦେଶରୁ ହେଉଥିବା ତେଲ ଆମଦାନୀ ଉପରେ ଟିକସକୁ ଦାୟୀ କରୁଛନ୍ତି । (ତଥ୍ୟ)