Home Health କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ । ଲକଡାଉନ ଓ ସଟଡାଉନ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱର ସ୍ଥିତ ଏହି ହସ୍ପିଟାଲରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷୀୟା ଜଣେ ବୃଦ୍ଧା ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ’ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡରେ ଭର୍ତ୍ତି କରାଇଥିଲେ । ତେବେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତ୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୁଳମଣି ବିଶ୍ୱାଳ କହିଛନ୍ତି ।

ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୂ ରାଜଶ୍ରୀ ବିଶ୍ୱାଳ । କରୋନା ହେବାପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ, କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛୁ ବୋଲି କହିଛନ୍ତି ନାତି ରାକେଶ ।

ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉଥିବା ହେଲ୍ପଲାଇନ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ନାତୁଣି ବୋହୂ ରାଜଶ୍ରୀ ବିଶ୍ୱାଳ । ଜେଜେମା’ଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ରାଜଶ୍ରୀ ।