Home Agriculture କମୁଛି ଚାଷଜମି

କମୁଛି ଚାଷଜମି

ଭୁବନେଶ୍ୱର : ଓଡ଼ିଶାରେ ବର୍ଷକୁ ବର୍ଷ ଚାଷ ହେଉଥିବା ଜମିର ପରିମାଣ କମିବାରେ ଲାଗିଛି । କୃଷିର ବିକାଶ ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଯୋଜନା ଲାଗୁ କରିବା ସହିତ ବିଭିନ୍ନ କିସମର ପ୍ରୋତ୍ସାହନ ଦେଇଚାଲିଥିବା ବେଳେ ୪୦ବର୍ଷ ଭିତରେ ପଡିଆ ପଡୁଥିବା ଚାଷ ଜମିର ପରିମାଣ କିନ୍ତୁ ବଢ଼ି ବଢ଼ି ଚାଲିଛି ।

ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ୫ ଦଶନ୍ଧିରେ ଓଡ଼ିଶାର କୃଷି ପରିସଂଖ୍ୟାନ ପ୍ରକାଶ ପାଇଛି । ଏଥିରେ ଦିଆଯାଇଥିବା ତଥ୍ୟ ମୁତାବକ ୧୯୫୦-୫୧ ବର୍ଷରେ ରାଜ୍ୟରେ ୧୫୫ ଲକ୍ଷ ୭୫ ହଜାର ହେକ୍ଟର ଜମି ଥିବାବେଳେ ୨୦୧୮-୧୯ରେ ଏହାର ପରିମାଣ ମାତ୍ର ୪ ହେକ୍ଟର କମିଛି । ସେହିଭଳି ୧୯୮୦-୮୧ ବର୍ଷରେ ରାଜ୍ୟରେ ୬୬ଲକ୍ଷ ୪୦ ହଜାର ହେକ୍ଟର ଜଙ୍ଗଲ ଥିବାବେଳେ ୨୦୧୮-୧୯ ବେଳକୁ ଏହାର ପରିମାଣ ୫୮ଲକ୍ଷ ୧୩ ହଜାର ହେକ୍ଟରକୁ ହ୍ରାସ ପାଇଛି ।

ଓଡ଼ିଶାରେ ୧୯୯୦-୯୧ ବର୍ଷରେ ଚାଷ ଅନୁପଯୋଗୀ ଜମିର ପରିମାଣ ୪ଲକ୍ଷ ୯୯ ହଜାର ହେକ୍ଟର ଥିବାବେଳେ ୨୦୧୮-୧୯ ବେଳକୁ ଏହା ୮ଲକ୍ଷ ୪୦ ହଜାର ହେକ୍ଟରରେ ପହଞ୍ôଚଛି । ସେହିଭଳି ଅଣକୃଷି କାର୍ଯ୍ୟରେ ବ୍ୟବହୃତ ଜମିର ପରିମାଣ ୧୯୯୦-୯୧ ବର୍ଷରେ ୭ଲକ୍ଷ ୪୬ ହଜାର ହେକ୍ଟର ଥିବାବେଳେ ୨୦୧୮-୧୯ରେ ତାହା ୧୨ଲକ୍ଷ ୯୮ ହଜାର ହେକ୍ଟରକୁ ବଢ଼ିଛି ।

ଏହି ସରକାରୀ ପରିସଂଖ୍ୟାନ ମୁତାବକ ୧୯୮୦-୮୧ ବର୍ଷ ବେଳକୁ ରାଜ୍ୟରେ ମୋଟ ୬୧ ଲକ୍ଷ ୩୦ ହଜାର ଜମିରେ ଚାଷ କରାଯାଉଥିଲା । ଏହାର ପରିମାଣ ୧୯୯୦-୯୧ ବେଳକୁ ୬୩ଲକ୍ଷ ୪ ହଜାର ହେକ୍ଟରକୁ ବଢ଼ିଥିବା ବେଳେ କ୍ରମାଗତ ଭାବେ ତାହା ହ୍ରାସ ପାଇ ୨୦୧୮-୧୯ ବେଳକୁ ୫୩ ଲକ୍ଷ ୬୨ ହଜାର ହେକ୍ଟରରେ ପହଞ୍ôଚଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୮-୧୯ ବର୍ଷରେ ମୋଟ ୮୩ଲକ୍ଷ ୩୮ ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସେଥିରୁ ୨୯ଲକ୍ଷ ୭୬ ହଜାର ହେକ୍ଟରରେ ଏକାଧିକବାର ଚାଷ କରାଯାଇଛି । ଅର୍ଥାତ୍‍ ୫୩ ଲକ୍ଷ ହେକ୍ଟରରୁ ଅଧିକ ଜମି ଏକ ଫସଲି ହୋଇ ରହିଛି ।

ଏହି ପରିସଂଖ୍ୟାନର ବିବରଣୀ ମୁତାବକ ରାଜ୍ୟରେ ୧୯୫୦-୫୧ ବର୍ଷ ବେଳକୁ ୧୦ଲକ୍ଷ ୧୩ ହଜାର ହେକ୍ଟର ଜମିକୁ ଜଳ ସେଚନ ପାଇଁ ବ୍ୟବସ୍ଥା ଥିବାବେଳେ ତାହା ବଢ଼ି ବଢ଼ି ୧୯୯୦-୯୧ ବେଳକୁ ୧୯ଲକ୍ଷ ୩୪ ହଜାର ହେକ୍ଟରକୁ ପହଞ୍ôଚଥିଲା । ତେବେ ସର୍ବଶେଷ ସରକାରୀ ପରିସଂଖ୍ୟାନ ମୁତାବକ ୨୦୧୮-୧୯ ବର୍ଷରେ ଜଳସେଚିତ ଜମିର ପରିମାଣ ୨୫ ଲକ୍ଷ ୯୨ ହଜାର ହେକ୍ଟର ରହିଥିଲା । ତେବେ ଯେଉଁସବୁ ଚାଷ ଜମିକୁ ଜଳସେଚନ ଫଳରେ ଏକାଧିକବାର ଚାଷ କରିବାର ସୁଯୋଗ ମିଳୁଛି ତାହାକୁ ହିସାବକୁ ନେଲେ ମୋଟାମୋଟି ଭାବେ ୩୮ଲକ୍ଷ ୯୯ ହଜାର ହେକ୍ଟର ଜମିରେ ଉଭୟ ରବି ଓ ଖରିଫ ଫସଲ ହେଉଛି ।

କୃଷି ବିଶେଷଜ୍ଞମାନଙ୍କ ମତରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ସହିତ ରୋଗପୋକ ସମସ୍ୟା, କୃଷିଜାତ ସାମଗ୍ରୀର ସଂରକ୍ଷଣ ଓ ବିପଣନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା, ଉତ୍ପାଦିତ ସାମଗ୍ରୀ ପାଇଁ ଚାଷୀକୁ ଉପଯୁକ୍ତ ମୂଲ୍ୟ ନ ମିଳିବା, କୃଷି ଶ୍ରମିକଙ୍କ ମଜୁରି ବୃଦ୍ଧି ସାଙ୍ଗକୁ ବିହନ, ରାସାୟନିକ ସାର ଓ କୀଟନାଶକ ଆଦିର ଦରବୃଦ୍ଧି, କୃଷି ଶିଳ୍ପର ଅଭାବ, କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଏବଂ ରାଜ୍ୟ ଭିତରର ବିଭିନ୍ନ ସହରକୁ ଗ୍ରାମାଞ୍ଚଳରୁ ଲୋକ ଚାଲି ଯାଉଥିବା, ଶିକ୍ଷିତ ଲୋକଙ୍କ କୃଷି ପାଇଁ ଅନାଗ୍ରହ, ନିଶା ସାମଗ୍ରୀର ପ୍ରସାର ସହିତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ସରକାରୀ ପ୍ରୋତ୍ସାହନର ବ୍ୟାପକ ଅପବ୍ୟବହାର ଫଳରେ ଗାଁ ଗହଳରେ ବହୁ ଚାଷୀ ଜମି ପଡିଆ ରଖି ବିକଳ୍ପ ବେଉଷା ସନ୍ଧାନ କରୁଛନ୍ତି ।

ଏହି ଧାରା ଅବ୍ୟାହତ ରହିଲେ କୃଷି ଉତ୍ପାଦନ ଗୁରୁତର ଭାବେ ବ୍ୟାହତ ହେବ ଏବଂ ଏଥିଯୋଗୁଁ ଆର୍ଥିକ ବିକାଶ କ୍ଷେତ୍ରରେ ସମସ୍ୟା ଉପୁଜିବ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । (ତଥ୍ୟ)