Home Covid ରଥଯାତ୍ରାରେ କରୋନା ଡର

ରଥଯାତ୍ରାରେ କରୋନା ଡର

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ଉତ୍ସବରେ କୋଭିଡ କଟକଣାର ଖିଲାପ କରାଗଲେ ପୁରୀ ସମେତ ଓଡ଼ିଶାରେ କରୋନା ସଂକ୍ରମଣ ବ୍ୟାପିବାର ଢ଼େର୍‍ ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓ ସାଧାରଣ ଲୋକେ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ଲାଗି କରୋନା ଉପରେ ଦୁଇବର୍ଷରୁ ଅଧିକ ସମୟ ଧରି ଉଚ୍ଚତର ଗବେଷଣା ଜାରି ରଖିଥିବା ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ ଅତୀତରେ ଦେଶ ବିଦେଶରେ ଧାର୍ମିକ ଓ ସାମାଜିକ ଉତ୍ସବରେ କଟକଣା ନ ମାନି ଅଧିକ ଭିଡ କରାଯିବାରେ କରୋନା ବ୍ୟାପିବାର ଢ଼େର୍‍ ଉଦାହରଣ ରହିଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୨ଲକ୍ଷ ୮୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁବରଣ କରିଥିବା ବେଳେ ସଂଖ୍ୟାଧିକ ସୁସ୍ଥ ହୋଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ପୋଷ୍ଟ କୋଭିଡର ଦାରୁଣ ଯନ୍ତ୍ରଣା ଭୋଗୁଛନ୍ତି । ଯେଉଁମାନଙ୍କୁ ପୂର୍ବରୁ ଓମିକ୍ରନ, ଡେଲଟା ଓ ଅନ୍ୟ ପ୍ରଜାତିର କୋଭିଡ ସଂକ୍ରମଣ ହୋଇଛି ସେମାନଙ୍କୁ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରାଇବା ଆବଶ୍ୟକ । ଆସନ୍ତା ଦୁଇବର୍ଷ ମଧ୍ୟରେ ଦାୟିତ୍ୱହୀନତା ଯୋଗୁଁ କେତେକ କୋଭିଡମୁକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ଉପରେ ଉଚ୍ଚତର ଗବେଷଣା କରୁଥିବା ଯୁବ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ସେଠାରେ ସମର୍ପିତ ଭାବେ କାର୍ଯ୍ୟ କରିବା ସହ କରୋନା ପରବର୍ତ୍ତୀ ଅବସ୍ଥାରୁ ଲୋକଙ୍କୁ କିଭଳି ରକ୍ଷା କରିହେବ ସେ ସଂକ୍ରାନ୍ତରେ ଏକ ବୃହତ୍‍ ବୈଜ୍ଞାନିକ ଗୋଷ୍ଠୀ ସହ ମିଶି ଗବେଷଣା ଚଳାଇଛନ୍ତି ।

ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ କରୋନା ବ୍ୟାପିବାରେ ଲାଗିଛି । ବ୍ୟାପକ ସଂଖ୍ୟକ ଟିକାକରଣ ଯୋଗୁଁ ସୀମିତ ସମୟ ପାଇଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥିବାରୁ ଓଡ଼ିଶାରେ କରୋନା ବିଶେଷ ଘାତକ ହୋଇପାରି ନାହିଁ । ତେବେ ବିଭିନ୍ନ ରାଜ୍ୟରେ କରୋନାର ଚତୁର୍ଥ ଲହର ଭୟ ଯେଭଳି ସୃଷ୍ଟି ହୋଇଛି ତାହାର ପୁନରାବୃତ୍ତି ଓଡ଼ିଶାରେ କିଭଳି ନ ଘଟିବ ସେ ଦିଗରେ ସରକାର ଓ ସାଧାରଣ ଲୋକ ଚିନ୍ତା କରିବା ଆବଶ୍ୟକ ।

ଏବେଠାରୁ ପୁଣି ଲୋକେ ଅଭ୍ୟାସ କରି ମାସ୍କ ପିନ୍ଧିବା ସହିତ ସାନିଟାଇଜର ଓ ସାବୁନ୍‍ରେ ବାରମ୍ବାର ହାତ ସଫା କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି କରୋନା ପ୍ରତିଷେଧକ ଟିକା ନେବା ସହିତ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇବା ଏବଂ ଦିନଚର୍ଯ୍ୟାରେ ସଂସ୍କାର ଆଣି ଖାଦ୍ୟାଭ୍ୟାସ ବଦଳାଇବା ସହିତ ଘରେ ଓ ବାହାରେ ଶାରୀରିକ ଦୂରତା ରକ୍ଷା କରିବା ଏବଂ ବିଶେଷ କାମ ନଥିଲେ ବାହାରକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ବିବାହ ଭଳି ସାମାଜିକ ଉତ୍ସବଗୁଡିକରେ ଏବେ ଓଡ଼ିଶାରେ ଯେଭଳି ଭିଡ ଲକ୍ଷ୍ୟ କରାଯାଉଛି ତାହା କରୋନା ବିସ୍ଫୋରଣର ଅନ୍ୟତମ କାରଣ ହୋଇପାରେ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ସାଧାରଣ ଲୋକଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ । ତେବେ ପୁରୀ ସମେତ ଅନ୍ୟ ସ୍ଥାନଗୁଡିକରେ ହେଉଥିବା ରଥଯାତ୍ରାମାନଙ୍କରେ ଭିଡରେ ପଶି କରୋନାକୁ ଆମନ୍ତ୍ରଣ କରିବା ଭଳି ରିସ୍କ ନ ନେଇ ଘରେ ଟେଲିଭିଜନ ପରଦାରେ ରଥଯାତ୍ରା ଦେଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଚୀନ୍‍ ସମେତ କେତେକ ଦେଶରେ ପୁଣି କରୋନା ବ୍ୟାପୁଥିବା ପରିପ୍ରେକ୍ଷୀରେ ଭାରତ ବିଶେଷକରି ଓଡ଼ିଶାର ଲୋକମାନେ ପୂର୍ବ ଅଭିଜ୍ଞତାକୁ ଆଧାରକରି ବ୍ୟକ୍ତିଗତ ସ୍ତରରେ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି । (ତଥ୍ୟ)