Home General କମିଶନର ଦପ୍ତର ଏବେ ଚଳଚଞ୍ଚଳ

କମିଶନର ଦପ୍ତର ଏବେ ଚଳଚଞ୍ଚଳ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କମିଶନ ଏବେ ବେଶ୍‍ ଚଳଚଞ୍ଚଳ । ବିଶେଷକରି ଶିଶୁ ସୁରକ୍ଷା କମିଶନ, ମହିଳା କମିଶନ ଓ ସୂଚନା କମିଶନ ଏବେ ଅଧିକ ସକ୍ରିୟ ଥିବାବେଳେ ଲୋକାୟୁକ୍ତଙ୍କ ଦପ୍ତରରେ ବି ଗହଳି ଲକ୍ଷ୍ୟ କରାଯାଉଛି ।

ରାଜଧାନୀରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ସହିତ ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ପରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଦପ୍ତରରେ ଗହଳି ଲାଗିଛି । କମିଶନ ନିଜଆଡୁ କେତେକ ମାମଲାର ତଦନ୍ତ କରୁଥିବାବେଳେ କମିଶନଙ୍କ ଅବହେଳାକୁ ଦାୟୀ କରି ବିରୋଧି ବିଜେପି ଓ କଂଗ୍ରେସ ବାରମ୍ବାର ଦପ୍ତର ଘେରାଉ ଓ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସେହିଭଳି ରାଜଧାନୀରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ କମିଶନ ପ୍ରତିପକ୍ଷକୁ ହାଜର ପାଇଁ ନୋଟିସ୍‍ ପଠାଇଥିବାବେଳେ ସେମାନେ ବି ଭର୍ଚୁଆଲ ମୋଡ୍‍ରେ ହାଜର ହେଉଛନ୍ତି । ଏହି ଦୁଇ ଘଟଣା ବାଦ୍‍ ଯାଜପୁର ଓ ନୟାଗଡ ଜିଲ୍ଲାରେ ଘଟିଥିବା ଆଉ ଦୁଇଟି ଶିଶୁ ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଏବେ ଚର୍ଚ୍ଚାରେ । ଏ ସଂକ୍ରାନ୍ତୀୟ ଖବର ଜାଣିବାପାଇଁ କମିଶନଙ୍କ ଦପ୍ତର ନିକଟରେ ଗଣମାଧ୍ୟମର ବି ଗହଳି ଚହଳି ପରିଲକ୍ଷିତ ହେଉଛି ।

ସେହିଭଳି ଗତ କିଛିଦିନ ଧରି ରାଜ୍ୟ ମହିଳା କମିଶନ ଦପ୍ତରରେ ଗହଳି ପରିଲକ୍ଷିତ ହେଉଛି । ରାଜଧାନୀରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଜଡିତ ପ୍ରତିପକ୍ଷଙ୍କୁ ମହିଳା କମିଶନ ସମନ କରିଛନ୍ତି । ପ୍ରତିପକ୍ଷ ବାରମ୍ବାର କମିଶନକୁ ଆସିବା ଫଳରେ ଗଣମାଧ୍ୟମ ବି ସେଠାରେ ବେଶ୍‍ ଭିଡ ଜମାଉଛନ୍ତି । ସେହିଭଳି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ଘଟଣାରେ ବି ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ଯୋଗୁଁ ସେଠାରେ ଗଣମାଧ୍ୟମର ଭିଡ ପରିଲକ୍ଷିତ ହେଉଛି ।

ଏହି ଦୁଇ କମିଶନଙ୍କ ସହିତ କୋଭିଡ ସଂକ୍ରାନ୍ତୀୟ ସରକାରୀ ସୂଚନା ଜାଣିବାପାଇଁ ଏବେ ରାଜ୍ୟ ସୂଚନା କମିଶନରେ ଭିଡ ଜମୁଛି । ସୂଚନା ଅଧିକାରକର୍ମୀମାନେ ଏକାଧିକ ଆବେଦନ କରୁଛନ୍ତି । ବିଶେଷକରି କୋଭିଡ ସମୟରେ ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ଖରିଦ ଆଦିକୁ ନେଇ ତଥ୍ୟ ମଗାଯାଉଛି ।

ଅନୁରୂପ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ଲୋକାୟୁକ୍ତଙ୍କ ଦପ୍ତର । ବିଶେଷକରି କୋଭିଡ ସାମଗ୍ରୀ କିଣା ମାମଲା ଲୋକାୟୁକ୍ତରେ ବିଚାର ହେବା ପରଠାରୁ ଆବେଦନକାରୀ ଓ ସରକାରୀ ପ୍ରତିପକ୍ଷଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ଏଠାରେ ଭିଡ ଜମାଉଛନ୍ତି । ଅବଶ୍ୟ ଇତି ମଧ୍ୟରେ ଲୋକାୟୁକ୍ତ ଏହି ମାମଲାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଛନ୍ତି ।

ମୋଟାମୋଟି ଭାବେ କରୋନା ସମୟରେ ଅନ୍ୟ ସରକାରୀ ଦପ୍ତର ଗୁଡିକରେ କାର୍ଯ୍ୟ ଏକ ପ୍ରକାର ମାନ୍ଦା ଥିବାବେଳେ ରାଜ୍ୟର ଏହି କମିଶନ ଓ ଲୋକାୟୁକ୍ତଙ୍କ ଦପ୍ତର କିନ୍ତୁ ବେଶ୍‍ ଚଳଚଞ୍ଚଳ ହେବା ସହିତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ସୂଚନା ଅଧିକାରକର୍ମୀଙ୍କ ଠାରୁ ଆରମ୍ଭକରି ବୁଦ୍ଧିଜୀବୀମାନେ ଆକଳନ କରୁଛନ୍ତି ।