Home News in Odia କନ୍ଧମାଳ ହେବ ପର୍ଯ୍ୟଟନର ନୂଆ ହଟସ୍ପଟ୍‍

କନ୍ଧମାଳ ହେବ ପର୍ଯ୍ୟଟନର ନୂଆ ହଟସ୍ପଟ୍‍

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏଥର ଇକୋ-ରିଟ୍ରିଟ୍‌ ପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତି୍ରପାଠୀ କହିଛନ୍ତି ।

ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସେଠାରେ ସେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରେ ପର୍ଯ୍ୟଟନର ଭିତ୍ତିଭୂମି ଓ ବିକାଶ ଉପରେ ଆଲୋଚନା କରିଛନ୍ତି । ରାଜ୍ୟରେ ରହିଥିବା ପୂର୍ବଘାଟ ପର୍ବତମାଳା ଶୃଙ୍ଖଳର ମଧ୍ୟସ୍ଥଳରେ ରହିଥିବା କନ୍ଧମାଳ ଜିଲ୍ଲାରେ ଅନେକ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଏଗୁଡ଼ିକ ଲୋକଲୋଚନକୁ ଆସିବା ଆବଶ୍ୟକ ଏବଂ ଏହାକୁ ନେଇ ସ୍ଥାନୀୟ ଲୋକେ ଆୟର ମାଧ୍ୟମ ପାଇବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

ବିଗତ ଦିନରେ ଦାରିଙ୍ଗବାଡ଼ିଠାରେ ଇକୋ-ରିଟ୍ରିଟ୍‌ ଆୟୋଜନ କରାଯାଇ ଏହାର ବହୁଳ ଗ୍ରହଣୀୟତା ଯୋଗୁଁ ପର୍ଯ୍ୟଟନ ବିଭାଗ ଚଳିତବର୍ଷ ଶୀତଋତୁରେ ପୁଣି ସେ ଧରଣର କାର୍ଯ୍ୟକ୍ରମ କରିବାକୁ ଯାଉଛି । ତେବେ ଏଥର ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ସେ ସୂଚିତ କରିଥିଲେ । ତେବେ କେତେକ ଜଳପ୍ରପାତ ରହିଥିଲେ ହେଁ ଉପଯୁକ୍ତ ରାସ୍ତା ନଥିବା ହେତୁ ସେଠାକୁ ଯାନବାହାନ ଯାତାୟତରେ ସମସ୍ୟା ରହିଛି । ସେସବୁ ରାସ୍ତାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନରେଗା ଯୋଜନା ମାଧ୍ୟମରେ ନିର୍ମାଣ କରିପାରବେ ।

ତେଣୁ ଜିଲ୍ଲା ପ୍ରଶାସନ ସେସବୁ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଥିଲେ । କନ୍ଧମାଳ ଜିଲ୍ଲାରେ ସଂପ୍ରତି ରାସ୍ତାଗୁଡ଼ିକ ସୁନ୍ଦର ଭାବେ ନିର୍ମାଣ ହୋଇଛି । ଏଥି ସହିତ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ଆକର୍ଷଣୀୟ ହୋଇଥିବା ହେତୁ ପ୍ରକୃତିପ୍ରେମୀଙ୍କ ପାଇଁ ବାଇକିଂ ଭଳି କାର୍ଯ୍ୟକ୍ରମ କରାଯାଇପାରେ । ଗତବର୍ଷ ଏହି କାର୍ଯ୍ୟକ୍ରମ କରାଯାଇ ମଣ୍ଡାସୁରଠାରେ କ୍ୟାମ୍ପ କରାଯାଇଥିଲା । କିନ୍ତୁ ସେତିକି ମାତ୍ରାରେ ପ୍ରଚାରପ୍ରସାର ହୋଇପାରି ନଥିଲା ।

ତେବେ ଚଳିତ ଥର ଏହାକୁ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଆୟୋଜନ କଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ସେ ମତ ରଖିଥିଲେ । ତା’ଛଡ଼ା ଘରୋଇ ହୋଟେଲ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରୋତ୍ସାହିତ କରିବାକୁ ହେବ ବୋଲି ସେ କହିଛନ୍ତି । ଜିଲ୍ଲାରେ ଏକ ସଂଗ୍ରହାଳୟ ସ୍ଥାପନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଜିଲ୍ଲାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ଜନଜୀବନ ଉପରେ ଅନେକ ଐତିହ୍ୟ ରହିଥିବାବେଳେ ସେସବୁକୁ ଐତିହ୍ୟ ସଂଗ୍ରହାଳୟରେ ସ୍ଥାନୀତ କରାଯାଇପାରିବ ବୋଲି ସେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବୃନ୍ଦା ଡି., ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଅଞ୍ଜନ କୁମାର ବାରକ ପ୍ରମୁଖ ଉପସ୍ଥିତ ଥିଲେ ।