Home News in Odia ଔଷଧ କଳାବଜାରୀ ବିରୁଦ୍ଧରେ ଅଭିଯାନ

ଔଷଧ କଳାବଜାରୀ ବିରୁଦ୍ଧରେ ଅଭିଯାନ

ଭୁବନେଶ୍ୱର : ସାରା ରାଜ୍ୟରେ କୋଭିଡ୍ ଔଷଧ ଏବଂ ଚିକିତ୍ସା ଉପକରଣର ବେଆଇନ୍ ଗଚ୍ଛିତ ସହ କଳାବଜାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀ ଜେଠୱା ବିଶଦଭାବେ ଆଲୋଚନା କରିଥିଲେ ।

କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ୟବସାୟୀମାନେ କଳାବଜାର କରିବାର ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଡିଜି ଶ୍ରୀ ଜେଠୱା ଚେତାବନୀ ଦେଇଛନ୍ତି ।

ଡ୍ରଗସ୍ ଇନ୍ସପେକ୍ଟର, କ୍ରାଇମ୍ ବ୍ରାଂଚ, ସ୍ପେଶାଲ ଟାସ୍କ ଫୋର୍ସ ଓ ସ୍ଥାନୀୟ ପୋଲିସ୍‌କୁ ନେଇ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଗଠନ କରାଯାଇଛି । କଟକ ଓ ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଂ ସ୍କ୍ୱାଡ ଟିମ୍ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ କଳାବଜାରୀ ରୋକିବାକୁ ୧୫ଟି ଟିମ୍ ଗଠନ କରାଯାଇଛି ।

ଔଷଧ ଓ ଇଂଜେକସନ୍ ପ୍ରସ୍ତୁତକାରୀ କମ୍ପାନୀଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ସପ୍ଲାୟର୍‌, ବିକ୍ରେତାଙ୍କ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଯାଂଚ ଚାଲିଛି । ସେମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ଗୋଇନ୍ଦା ସୂଚନାକୁ ଅଧିକ କ୍ରିୟାଶୀଳ କରାଯାଇଛି ।

କୌଣସି ସ୍ଥାନରେ କଳାବଜାରୀ ହେଉଥିବା ଖବର ମିଳିଲେ ତତ୍‌କ୍ଷଣାତ ଚଢଉ କରାଯିବ । ଉକ୍ତ ବୈଠକରେ ଡିଆଇଜି,ଏସ୍‌ଟିଏଫ, ଜୟନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଡ୍ରଗ୍ସ କଂଟ୍ରୋଲର୍‌, ଏସଟିଏଫ୍ ଓ କ୍ରାଇମ୍ ବ୍ରାଂଚର ଅଧିକାରୀ ଏବଂ ଡ୍ରଗ୍ସ ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।