Home General ଔଷଧୀୟ ବୃକ୍ଷ ପ୍ରୋତ୍ସାହନରେ ଓଡ଼ିଶାକୁ କମ୍‍ ସହାୟତା

ଔଷଧୀୟ ବୃକ୍ଷ ପ୍ରୋତ୍ସାହନରେ ଓଡ଼ିଶାକୁ କମ୍‍ ସହାୟତା

ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶୀୟ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଉପରେ ଗୁରୁତ୍ୱାରୋପ କରି ଔଷଧୀୟ ଉଦ୍ୟାନ ସଂରକ୍ଷଣ ଓ ବିକାଶ ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥାଇ ବି ଓଡ଼ିଶାକୁ ଅଣଦେଖା କରାଯାଉଛି । ଅନ୍ୟ ବହୁ ରାଜ୍ୟ ତୁଳନାରେ ଔଷଧୀୟ ବୃକ୍ଷ ପ୍ରକଳ୍ପରେ ଓଡ଼ିଶାକୁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ ।

ଭାରତ ସରକାରଙ୍କ ଜାତୀୟ ଆୟୁଷ ମିଶନ ମାଧ୍ୟମରେ ୧୪୦ଟି ଔଷଧୀୟ ବୃକ୍ଷଲତା ଚାଷ ପାଇଁ ଅଗ୍ରାଧିକାର ଦିଆଯାଉଛି । ଏଥିଲାଗି କୃଷକମାନଙ୍କୁ ୩୦ ପ୍ରତିଶତରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଯୋଗାଯାଉଛି । ୨୦୧୫-୧୬ରୁ ଏଯାବତ୍‍ ୮୪ଟି ପ୍ରଜାତିର ଔଷଧୀୟ ବୃକ୍ଷ ଚାଷ ପାଇଁ କେନ୍ଦ୍ର ସରକାର ପ୍ରାୟ ୬୦ ହଜାର କୃଷକଙ୍କୁ ସାରା ଦେଶରେ ସହାୟତା ଯୋଗାଇଥିବା ବେଳେ ଏଥିମଧ୍ୟରୁ ଓଡ଼ିଶାରୁ ମାତ୍ର ୧୬୩୬ଜଣ କୃଷକ ଅଛନ୍ତି ।

ସଂସଦରେ ଉପସ୍ଥାପିତ ଆୟୁଷ ମନ୍ତ୍ରାଳୟର ତଥ୍ୟ ମୁତାବକ ଔଷଧୀୟ ବୃକ୍ଷ ଚାଷ ପାଇଁ ଓଡ଼ିଶାର ମାତ୍ର ୧୬୩୬ଜଣ ଚାଷୀଙ୍କୁ କେନ୍ଦ୍ର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ୧୨,୮୫୯, ମଧ୍ୟପ୍ରଦେଶର ୧୧,୭୧୬, ତାମିଲନାଡୁର ୭,୭୩୪, ଉତ୍ତରପ୍ରଦେଶର ୬,୩୮୧ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସହାୟତା ମିଳିଛି । ସେହିଭଳି ଏହି ଯୋଜନାରେ ପଶ୍ଚିମବଙ୍ଗର ୧୧୪୯, ଉତ୍ତରାଖଣ୍ଡର ୧୮୧୬, ତେଲେଙ୍ଗାନାର ୨୧୦୨, ରାଜସ୍ଥାନର ୧୬୮୩, ମହାରାଷ୍ଟ୍ରର ୨୯୧୭ ଓ କର୍ଣ୍ଣାଟକର ୧୯୪୮ଜଣ ଚାଷୀ ଔଷଧୀୟ ଉଦ୍ୟାନ ପାଇଁ ଜାତୀୟ ଆୟୁଷ ମିଶନରୁ ଆର୍ଥିକ ସହାୟତା ପାଇଛନ୍ତି ।

ଗତ ୫ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ମାତ୍ର ୮୬୭ ହେକ୍ଟର ଜମିରେ ଔଷଧୀୟ ଉଦ୍ୟାନ ପାଇଁ ଜାତୀୟ ଆୟୁଷ ମିଶନର ସହାୟତା ମିଳିଥିବା ବେଳେ ଉତ୍ତର ପ୍ରଦେଶରେ ୧୨,୩୦୦ ହେକ୍ଟର ଓ ମଧ୍ୟପ୍ରଦେଶରେ ୧୨,୫୫୧ ହେକ୍ଟର ଜମିରେ ଔଷଧୀୟ ଉଦ୍ୟାନ କରାଯାଇଛି । ଏହାଛଡା ଆନ୍ଧ୍ରପ୍ରଦେଶରେ ୪,୩୫୦, କର୍ଣ୍ଣାଟକରେ ୩,୯୨୬, କେରଳରେ ୨୨୬୯, ରାଜସ୍ଥାନରେ ୪,୧୧୩, ତାମିଲନାଡୁରେ ୩,୯୩୧, ତେଲେଙ୍ଗାନାରେ ୧୬୭୪ ହେକ୍ଟର ସମେତ ସମଗ୍ର ଦେଶରେ ୫୬,୩୦୫ ହେକ୍ଟର ଜମିରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ।

ସରକାରୀ ତଥ୍ୟ ମୁତାବକ ଔଷଧୀୟ ବୃକ୍ଷରୋପଣ ସହିତ ଏଥିରୁ ଉତ୍ପାଦିତ ଔଷଧୀୟ ସାମଗ୍ରୀର ବିପଣନ ପାଇଁ ଗତ ୫ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ୨୩୫ଟି ମେଳା ଆୟୋଜନ କରାଯାଇ କ୍ରେତା ଓ ବିକ୍ରେତାଙ୍କୁ ଏକତ୍ରିତ କରାଯିବା ସହ ଏ ପ୍ରସଙ୍ଗରେ ସେମିନାର ଆଦି ମଧ୍ୟ ହୋଇଛି । ବିଗତ ୫ବର୍ଷ ମଧ୍ୟରେ ଜାତୀୟ ଆୟୁଷ ମିଶନ ଓଡ଼ିଶାରେ ଏଭଳି ମାତ୍ର ୩ଟି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ ୬୪ଟି, ଉତ୍ତରପ୍ରଦେଶରେ ୩୨ଟି, ତେଲେଙ୍ଗାନାରେ ୧୨ଟି, ରାଜସ୍ଥାନରେ ୧୮ଟି, ପଞ୍ଜାବରେ ୧୦ଟି ଓ ଆନ୍ଧ୍ରପ୍ରଦେଶରେ ୧୨ଟି କାର୍ଯ୍ୟକ୍ରମ କରାଇଛନ୍ତି ।

ଔଷଧୀୟ ବୃକ୍ଷ ଉଦ୍ୟାନ ଲାଗି ଏହି ୫ବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୬୮୫ଟି ଔଷଧୀୟ ବାଟିକା ପୁଞ୍ଜ ବା କ୍ଲଷ୍ଟର ଜାତୀୟ ଆୟୁଷ ମିଶନ ସହାୟତାରେ ଗଢ଼ି ଉଠିଛି । ଏଥିମଧ୍ୟରେ ଓଡ଼ିଶାରେ ମାତ୍ର ୨୮ଟି ଔଷଧୀୟ ଉଦ୍ୟାନ କ୍ଲଷ୍ଟର ଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୫୪ଟି, ଗୁଜରାଟରେ ୨୫୮ଟି, ମଧ୍ୟପ୍ରଦେଶରେ ୨୦୬ଟି, ମହାରାଷ୍ଟ୍ରରେ ୯୪ଟି, ମଣିପୁରରେ ୧୦୩ଟି, ରାଜସ୍ଥାନରେ ୩୩୬ଟି, ତାମିଲନାଡୁରେ ୧୭୦ଟି, ତେଲେଙ୍ଗାନାରେ ୧୫୦ଟି ଓ ଉତ୍ତରାଖଣ୍ଡରେ ୧୮୯ଟି କ୍ଲଷ୍ଟର ବିକଶିତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ଗନ୍ଧମାର୍ଦ୍ଦନ ସମେତ ଅନ୍ୟ କେତେକ ପାର୍ବତ୍ୟ ଅଞ୍ଚଳରେ ବିରଳ ଔଷଧୀୟ ବୃକ୍ଷଲତା ଦେଖିବାକୁ ମିଳେ । ଏମିତିକି ରାଜ୍ୟର ଜଳବାୟୁ, ବୃଷ୍ଟିପାତ ଓ ମାଟି ବିଭିନ୍ନ କିସମର ଔଷଧୀୟ ବୃକ୍ଷ ଉଦ୍ୟାନ ପାଇଁ ବେଶ୍‍ ଅନୁକୁଳ ଅଛି । ଔଷଧୀୟ ବୃକ୍ଷ ଚାଷରେ ଚାଷୀମାନେ ବେଶ୍‍ ମୋଟା ଅଙ୍କର ଲାଭ ଉଠାଇ ପାରୁଥିବା ବେଳେ ଓଡ଼ିଶାକୁ କିନ୍ତୁ ଅନୁକୁଳ ପରିବେଶ ସତ୍ତ୍ୱେ ଜାତୀୟ ଆୟୁଷ ମିଶନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉ ନଥିବା ବହୁ ଆୟୁର୍ବେଦ ଡାକ୍ତର ଓ ପ୍ରାକୃତିକ ଚିକିତ୍ସା ବିଜ୍ଞାନୀ ମତବ୍ୟକ୍ତ କରୁଛନ୍ତି ।