Home Finance ଓଡ଼ିଶା ପାଇଁ ସିଡ୍‍ବିର ୧୦୦୦ କୋଟି ମଞ୍ଜୁର

ଓଡ଼ିଶା ପାଇଁ ସିଡ୍‍ବିର ୧୦୦୦ କୋଟି ମଞ୍ଜୁର

ଭୁବନେଶ୍ୱର : ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମଏସ୍‍ଏମଇ) ପାଇଁ ଦେଶର ପ୍ରମୁଖ ଅର୍ଥ ଲଗାଣକାରୀ ସଂସ୍ଥା ସ୍ମଲ୍‍ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ସିଡ୍‍ବି) ଏହାର ସିଡ୍‍ବି କ୍ଲଷ୍ଟର ଡେଭଲପମେଣ୍ଟ ଫଣ୍ଡ ଯୋଜନା (ଏସସିଡିଏଫ୍‍) ଅଧୀନରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‍କୋ) ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ୧୮ଟି ଏମଏସ୍‍ଏମଇ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କୁ ୮୩୭ କୋଟି ଟଙ୍କା ମଞ୍ଜୁର କରିଛି ।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୫ଟି ନୂଆ ଏମଏସ୍‍ଏମଇ ପାର୍କ, ୧୧ଟି ଶ୍ରମିକ/କର୍ମଚାରୀଙ୍କ ହଷ୍ଟେଲ ନିର୍ମାଣ ଏବଂ ଏମଏସ୍‍ଏମଇଗୁଡିକୁ ଭିତ୍ତିଭୂମି ସମର୍ଥନ ଯୋଗାଇଦେବାକୁ ୨ଟି ପ୍ରକଳ୍ପ । ନିଜର ଏସ୍‍ସିଡିଏଫ୍‍ ଯୋଜନା ଅଧୀନରେ ସିଡ୍‍ବି ସମ୍ପ୍ରତି ରହିଥିବା ବିଭିନ୍ନ ଏମଏସ୍‍ଏମଇ କ୍ଲଷ୍ଟରଗୁଡିକର ଉନ୍ନତିସାଧନ ଏବଂ ତାହାସହିତ ରାଜ୍ୟରେ ନୂତନ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାକୁ ରାଜ୍ୟ ସରକାରମାନଙ୍କୁ ସାମାନ୍ୟ କୋହଳ ସୁଧ ହାରରେ ଋଣ ସହାୟତା ଯୋଗାଇ ଦେଉଛି ।

ଏହି ଅବସରରେ ଶ୍ରୀ ଶିବସୁବ୍ରମନିଅନ୍‍ ରମଣ, ଆଇଏ ଆଣ୍ଡ୍‍ ଏଏସ୍‍, ସିଏମ୍‍ଡି ସିଡ୍‍ବି କହିଥିଲେ, “ରାଜ୍ୟରେ ଏସଏମ୍‍ଏମଇଗୁଡିକୁ ପ୍ରତ୍ୟକ୍ଷ ଭାବରେ ଫାଇଦା ପହଞ୍ଚାଉଥିବା ଏବଂ ସେଗୁଡିକୁ ପରବର୍ତ୍ତୀ ସ୍ତରକୁ ଆଣୁଥିବା କ୍ଷେତ୍ର/ଉପକ୍ଷେତ୍ରଗୁଡିକର କ୍ଲଷ୍ଟର ଉପରେ ଗୁରୁତ୍ୱ ଦିଆଯିବ, ଯେଉଁଠାରେ ସେଗୁଡିକ ଅଧିକ ମଜଭୁତ ହେବା ସହିତ ମୂଲ୍ୟ ଶୃଙ୍ଖଳରେ ଉଚ୍ଚତର ସ୍ଥାନକୁ ଯାଇ ଦୀର୍ଘସ୍ଥାୟୀ ହୋଇପାରିବେ । ସିଡ୍‍ବି ରାଜ୍ୟରେ ଏହାର ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ପ୍ରତ୍ୟକ୍ଷ ଋଣ ଉତ୍ପାଦଗୁଡିକ ଜରିଆରେ ନିଜର କାର୍ଯ୍ୟକ୍ରମକୁ ଅଧିକ ପରିପୁଷ୍ଟ କରିପାରିବ, ଯେଉଁଠାରେ ଏହି ଋଣ ଉତ୍ପାଦଗୁଡିକ ସହାୟତା କରାଯାଇଥିବା ପୁଞ୍ଜଗୁଡିକୁ ଉପଲବ୍ଧ କରାଯାଉଛି ଏବଂ ତଦ୍ଦ୍ୱାରା ଏଭଳି ପଦ୍ଧତି ଗ୍ରହଣ କରିବା ଏବଂ ତାହା କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଅନ୍ୟ ସଂସ୍ଥାଗୁଡିକ ପାଇଁ ଏକ ଉଦାହରଣ ପାଲଟୁଛି ।

ସିଡ୍‍ବି ମଧ୍ୟ ବଛାବଛା ପୁଞ୍ଜ (କ୍ଲଷ୍ଟର)ରେ ଆବଶ୍ୟକତା ଆଧାରରେ ପ୍ରଯୁକ୍ତି, କୁଶଳତା/କୁଶଳତାରେ ଉନ୍ନତି ସାଧନ, ଶକ୍ତି ସଞ୍ଚୟ, ବଜାର ଓ ଋଣ ସଂଯୋଗିକରଣ ଆଦି ଭିତ୍ତିଭୂମି ପ୍ରସଙ୍ଗଗୁଡିକୁ ସମର୍ଥନ ଯୋଗାଇଦେବାକୁ ପ୍ରୟାସ କରିବ । ସିଡ୍‍ବି ମଧ୍ୟ ବରଗଡ ହସ୍ତତନ୍ତ ପୁଞ୍ଜରେ ଏହାର ଅନୁଦାନ ସହାୟତା ଜରିଆରେ ଏକ ପାଇଲଟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ଏବଂ ଏହା ନୋଡାଲ ରାଜ୍ୟ ବିଭାଗଗୁଡିକ ସହିତ ପରାମର୍ଶକ୍ରମେ ଚିହ୍ନଟ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାରିଗର ପୁଞ୍ଜଗୁଡିକରେ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବ ।”

ସେ ମଧ୍ୟ କହିଥିଲେ ଯେ ‘ରାଜ୍ୟର ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର ଏବଂ ଅନୁଗୁଳ ଆଦି ୫ଟି ଜିଲ୍ଲାରେ ସିଡ୍‍ବି ଦ୍ୱାରା ପରିଚାଳିତ ହେଉଥିବା ଇୟୁ ସ୍ୱିଚ୍‍ ଏସିଆ ବାମ୍ବୁ ପ୍ରକଳ୍ପ ଏକ ବିକଳ୍ପ ଜୀବିକା ଉପାର୍ଜନ ଉତ୍ସ ସୃଷ୍ଟି କରିବା ଏବଂ କାଷ୍ଠର ଏକ ବିକଳ୍ପ ଭାବରେ ବାଉଁଶକୁ ପ୍ରୋତ୍ସାହିତ କରିବା ଏବଂ ଏହାଦ୍ୱାରା ପରିବେଶକୁ ସୁରକ୍ଷିତ କରିବା ଲକ୍ଷ୍ୟ ରଖିଛି, ଯାହା ଅଧୀନରେ ୩୪୨ ଜଣ କାରିଗର ଏବଂ ବ୍ୟାଙ୍କର୍‍ ତାଲିମ ନେଇସାରିଛନ୍ତି ଏବଂ ଏପର୍ଯ୍ୟନ୍ତ ୨୨୯ଟି ୟୁନିଟ୍‍ ସ୍ଥାପିତ ହୋଇସାରିଛି । ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ଅଧିକ ଘନିଷ୍ଠ ସମନ୍ୱୟ ରଖାଯାଇ ଏହି ପ୍ରକଳ୍ପଗୁଡିକୁ ଅଧିକ ମଜଭୁତ କରାଯିବ ।’

ରାଜ୍ୟରେ ଏମଏସ୍‍ଏମଇ ପରିବ୍ୟବସ୍ଥାକୁ ସୁଦୃଢ କରିବାକୁ ଏକ ପ୍ରକଳ୍ପ ପରିଚାଳନା ୟୁନିଟ ସ୍ଥାପନ ସକାଶେ ରାଜ୍ୟ ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସିଏମ୍‍ଡି, ସିଡ୍‍ବି ଏବଂ ଓଡ଼ିଶାର ଶୀର୍ଷସ୍ତରର ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା ।

ଶ୍ରୀ ରମଣ ମଧ୍ୟ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସ୍‍, ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ସେ ରାଜ୍ୟର ବରିଷ୍ଠ ଅଧିକାରୀଗଣଙ୍କୁ ସିଡ୍‍ବିର ରାଜ୍ୟ ପାଇଁ ରହିଥିବା ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ଓଡ଼ିଶା ରାଜ୍ୟ ସହ ସିଡ୍‍ବିର ଦୀର୍ଘକାଳରୁ ରହିଆସିଥିବା ବିକାଶମୂଳକ ସହଯୋଗିତା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହା ଜରିଅରେ ସିଡ୍‍ବି ରାଜ୍ୟର ବିଭିନ୍ନ ଅଣୁ ଅର୍ଥ ଲଗାଣକାରୀ ସଂସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଇ ତାହା ଲାଭଜନକ ଆର୍ଥିକ କାର୍ଯ୍ୟକଳାପ ହାତକୁ ନେବା ଉଦ୍ଦେଶ୍ୟରେ ଶେଷ ବିନ୍ଦୁରେ ବାସ କରୁଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଇଛି ଏବଂ ଏହିସବୁ ଅଣୁ ଅର୍ଥଲଗାଣକାରୀ ସଂସ୍ଥାଗୁଡିକର ସାମର୍ଥ୍ୟ ନିର୍ମାଣ ଦିଗରେ ବିବିଧ ପ୍ର୍ରୟାସ ହାତକୁ ନିଆଯାଇଛି ।

ସେ ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ସିଡ୍‍ବିର ‘ପୋଷ୍ୟଗ୍ରାମ ଗ୍ରହଣ’ ପ୍ରୟାସ ସମ୍ପର୍କରେ ଅବଗତ କରାଇଥିଲେ, ଯଦ୍ଦ୍ୱାରା ରାଜ୍ୟରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସହଜ ହୋଇପାରୁଛି । ତାହାସହିତ ରାଜ୍ୟର ଯୁବ ଓ ଉତ୍ସାହୀ ବ୍ୟକ୍ତିବିଶେଷଙ୍କୁ ମାର୍ଗଦର୍ଶନ ଓ ସମର୍ଥନ ଯୋଗାଇଦେବାକୁ ସିଡ୍‍ବି ଦ୍ୱାରା ରାଜ୍ୟରେ ସ୍ଥାପନ କରାଯାଇଥିବା ପ୍ରୋତ୍ସାହନ ଓ ପରାମର୍ଶ କେନ୍ଦ୍ର ‘ସ୍ୱାବଲମ୍ବନ କନେକ୍ଟ କେନ୍ଦ୍ର’ ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ । ସିଡ୍‍ବିର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ ସଂସ୍ଥା ‘ମୁଦ୍ରା’ ପକ୍ଷରୁ ଓଡ଼ିଶା ଭିତ୍ତିକ ଅନ୍ନପୂର୍ଣ୍ଣା ମାଇକ୍ରୋଫାଇନାନ୍ସ ପ୍ରାଇଭେଟ ଲିମିଟେଡକୁ ନିକଟରେ ମଞ୍ଜୁର କରାଯାଇଥିବା ୨୦୦ କୋଟି ଟଙ୍କାର ଆର୍ଥିକ ସହାୟତା ସମ୍ପର୍କରେ ଶ୍ରୀ ରମଣ ମଧ୍ୟ ଅବଗତ କରାଇଥିଲେ ।

ତାଙ୍କ ଗସ୍ତକାଳରେ ଶ୍ରୀ ରମଣ ଏମ୍‍ଏଫଆଇଗୁଡିକ ସହିତ ଆଲୋଚନା କରିଥିଲେ ଏବଂ ଶେଷ ବିନ୍ଦୁ ପର୍ଯ୍ୟନ୍ତ ସଂଯୋଗ କ୍ଷେତ୍ରରେ ରହିଥିବା ଚାଲେଞ୍ଜଗୁଡିକ ବିଷୟରେ ଅବଗତ ହେବା ଏବଂ ତାହାକୁ କିଭଳି ସୁଯୋଗରେ ପରିଣତ କରାଯାଇପାରିବ, ସେ ସମ୍ପର୍କରେ ସୁନିଶ୍ଚିତ ହେବାକୁ କ୍ଷେତ୍ର ଗସ୍ତ କରିଥିଲେ । ସେ ମଧ୍ୟ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ‘ଓମେନ୍‍ ଏଣ୍ଟରପ୍ରିନ୍ୟୋରସିପ୍‍- ଲାଇଭ୍‍ଲିହୁଡ ଏନ୍‍ହାନ୍ସମେଣ୍ଟ ଆଣ୍ଡ ଡେଭଲପମେଣ୍ଟ (ୱି-ଲିଡ୍‍)’ ନାମରେ ଏକ ଜିଲ୍ଲା ପୋଷ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଓଏସ୍‍ଏଏଫ୍‌ଆଇଆଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଏସଏଚ୍‍ଜି/ଜେଏଲ୍‍ଜି ସଦସ୍ୟମାନଙ୍କ ମଧ୍ୟରୁ ମହିଳା ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ ରଖିଛି, ଯେଉଁମାନଙ୍କୁ ଓଡ଼ିଶାରେ ଉଦ୍ୟୋଗ ଏବଂ କୁଶଳତା ନିର୍ମାଣ ତାଲିମ ଓ ବ୍ୟବସାୟିକ ବିକାଶ ସେବା (ଋଣ ଓ ବଜାର ସଂଯୋଗ ସହିତ) କ୍ଷେତ୍ରରେ ସମର୍ଥନ ଯୋଗାଇ ଦିଆଯିବ ।

ଜୀବିକା ଉପାର୍ଜନକାରୀ ମହିଳା ଉଦ୍ୟୋଗୀଙ୍କ କୁଶଳତା, ମାନଗତ ଦିଗ, ଡିଜାଇନ, ବିକ୍ରିବଟା ଏବଂ ଋଣ ବ୍ୟବସ୍ଥା ସହିତ ସଂଯୋଗ ଆଦି ପ୍ରତି ଦୃଷ୍ଟିଦେବ । ସିଡ୍‍ବର ଏହି ପ୍ରୟାସକୁ ଏମଏଫ୍‍ଆଇଗୁଡିକ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସିଡ୍‍ବିର ଏହି ଋଣ ଓ ଅନ୍ୟାନ୍ୟ ସମର୍ଥନ ଲକ୍ଷ୍ୟଧାର୍ଯ୍ୟ ବର୍ଗଙ୍କ ପାଇଁ ଅମ୍ଳଜାନ ଭଳି କାର୍ଯ୍ୟ କରିବ । ଲକ୍ଷ୍ୟଧାର୍ଯ୍ୟ ମହିଳା ଆଶାୟୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରୁ ସେମାନେ ଆଶା କରୁଥିବା ସହଯୋଗ ସମ୍ପର୍କରେ ଉଲ୍ଲେଖ କରିଥିଲେ ।