Home Environment ଓଡ଼ିଶାରୁ କିଣିଛନ୍ତି ୧୪ କୋଟି ଲିଟର ଇଥାନେଲ

ଓଡ଼ିଶାରୁ କିଣିଛନ୍ତି ୧୪ କୋଟି ଲିଟର ଇଥାନେଲ

ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଓଡ଼ିଶାରୁ ୧୪ କୋଟି ଲିଟରରୁ ଅଧିକ ପରିମାଣର ଇଥାନେଲ ଖରିଦ କରିଛନ୍ତି । ଇଥାନେଲ ଉତ୍ପାଦନ ବର୍ଷକୁ ବର୍ଷ ବଢ଼ୁଥିବା ବେଳେ ଅନ୍ୟ ବହୁ ରାଜ୍ୟ ତୁଳନାରେ ଏହା କମ୍‍ ରହିଛି ।

ଗତ ୫ ବର୍ଷ ମଧ୍ୟରେ ତୈଳ କମ୍ପାନୀମାନେ ଓଡ଼ିଶାରୁ ୧୪ କୋଟି ଲିଟରରୁ ଅଧିକ ପ୍ରଥମ ପିଢ଼ିର ଇଥାନେଲ ସଂଗ୍ରହ କରିଛନ୍ତି । ୨୦୧୯-୨୦ ବର୍ଷରେ ସମଗ୍ର ଦେଶରୁ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ୧୭୩ କୋଟି ଲିଟର ଇଥାନେଲ ସଂଗ୍ରହ କରିଥିବା ବେଳେ ଏଥିରେ ଓଡ଼ିଶାର ଯୋଗଦାନ ଥିଲା ମାତ୍ର ୩୫ ଲକ୍ଷ ଲିଟର । ସେହିଭଳି ୨୦୨୦-୨୧ ବର୍ଷରେ ଓଡ଼ିଶାରୁ ୪.୪୩ କୋଟି ଲିଟର ଇଥାନେଲ ସଂଗ୍ରହ ହୋଇଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ସାଢ଼େ ୯ କୋଟି ଲିଟର ରହିଥିବା କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଜଣାଯାଇଛି ।

ଏହି ସୂଚନା ଅନୁଯାୟୀ ରାଷ୍ଟ୍ରାୟତ ତୈଳ କମ୍ପାନୀ ୨୦୧୭-୧୮ ବର୍ଷରେ ସମଗ୍ର ଦେଶରୁ ୧୫୦.୫୧ କୋଟି ଲିଟର ଇଥାନେଲ ସଂଗ୍ରହ କରିଥିବା ବେଳେ ୨୦୧୮-୧୯ରେ ୧୮୮.୫୭ କୋଟି, ୨୦୧୯-୨୦ରେ ୧୭୩.୦୩ କୋଟି, ୨୦୨୦-୨୧ରେ ୨୯୫.୫୫ କୋଟି ଏବଂ ୨୦୨୧-୨୨ରେ ୩୮୫.୯୨ କୋଟି ଲିଟର ସଂଗ୍ରହ କରିଛନ୍ତି । ଏହିବର୍ଷ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୯.୩୨ କୋଟି ଲିଟର ଇଥାନେଲ ତୈଳ କମ୍ପାନୀମାନେ ଖରିଦ୍‍ କରିଥିବା ବେଳେ ମହାରାଷ୍ଟ୍ରରୁ ୪୮.୬୭ ଓ ତାମିଲନାଡୁରୁ ୩୩.୨୩ କୋଟି ଲିଟର କିଣିଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଦ୍ୱିତୀୟ ପିଢ଼ିର ଇଥାନେଲ ଉପରେ ଗୁରୁତ୍ୱ ଦିଆଯାଉଛି । ଇନ୍ଧନରେ ଏହି ଇଥାନେଲ ୨୦ ପ୍ରତିଶତ ମିଶ୍ରଣ ହେବ । ତଦନୁଯାୟୀ କେନ୍ଦ୍ର ସରକାର ଜୈବ ଇନ୍ଧନ – ବାତାବରଣ ଅନୁକୂଳ ଫସଲ ଅବଶେଷ ନିବାରଣ (ଜେଆଇ-ଭାନ୍‍) ଯୋଜନାରେ ଦ୍ୱିତୀୟ ପିଢ଼ିର ଇଥାନେଲ ଉତ୍ପାଦନକୁ ଅଗ୍ରାଧିକାର ଦେଉଛନ୍ତି । ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଏଥିପାଇଁ କାରଖାନା ସ୍ଥାପନ କରୁଛନ୍ତି । ଏହା ମଧ୍ୟରେ ହରିଆଣାର ପାନିପଥ, ପଞ୍ଜାବର ଭଟିଣ୍ଡା ଏବଂ ଓଡ଼ିଶାର ବରଗଡରେ ଗୋଟିଏ କରି ଦ୍ୱିତୀୟ ପିଢ଼ିର ଇଥାନେଲ ଉତ୍ପାଦନକାରୀ କାରଖାନା ପ୍ରତିଷ୍ଠା ହେଉଛି ।

ଏହାବାଦ୍‍ ଆସାମର ନୁମାଲିଗଡଠାରେ ବାଉଁଶଭିତ୍ତିକ ଇଥାନେଲ କାରଖାନା ପ୍ରତିଷ୍ଠା ହେଉଛି । ପାନିପଥଠାରେ ଗୋଟିଏ ପ୍ରଦର୍ଶନୀ ପ୍ରକଳ୍ପ ମଧ୍ୟ ରହିଛି । ଏହି ପ୍ରକଳ୍ପଟି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ବେଳେ ଭଟିଣ୍ଡା, ବରଗଡ ଓ ନୁମାଲିଗଡର ଇଥାନେଲ କାରଖାନା ନିର୍ମାଣ କାର୍ଯ୍ୟ ଜାରି ରହିଛି । ଗୋବରଗ୍ୟାସ ଭିତ୍ତିକ ଦ୍ୱିତୀୟ ପିଢ଼ିର ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର, କୃଷକ ଏବଂ ଆଗ୍ରହୀ ହିତାଧିକାରୀଙ୍କ ସହାୟତା ନିଆଯାଉଛି । ସେମାନଙ୍କଠାରୁ ଉତ୍ପାଦିତ ଗୋବରଗ୍ୟାସ ସଂଗ୍ରହ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)