Home General ଓଡିଶା ୱାନରେ ବିଜୁଳି ବିଲ୍‍ କଟକଣା

ଓଡିଶା ୱାନରେ ବିଜୁଳି ବିଲ୍‍ କଟକଣା

ଭୁବନେଶ୍ୱର : ଗୋଟିଏ ପ୍ଳାଟଫର୍ମରେ ସମସ୍ତ ସରକାରୀ ସେବା ଯୋଗାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଓଡିଶା ୱାନ’ରୁ ବିଜୁଳି ଗ୍ରାହକମାନେ ସୁଫଳ ପାଇପାରୁ ନାହାନ୍ତି । ଯେଉଁମାନଙ୍କର ଦୁଇରୁ ଅଧିକ ବିଦ୍ୟୁତ୍‍ ସଂଯୋଗ ରହିଛି ସେମାନେ ବିଲ୍‍ ପଇଠ ପାଇଁ ଏହି ପୋର୍ଟାଲରେ ଏକାଧିକ ଆକାଉଣ୍ଟ ଖୋଲୁଛନ୍ତି ନହେଲେ ବିଦ୍ୟୁତ୍‍ ଅଫିସରେ ଯାଇ ଅର୍ଥ ପଇଠ କରୁଛନ୍ତି ।

ଓଡିଶା ୱାନ ପୋର୍ଟାଲରେ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ସର୍ବାଧିକ ଦୁଇଟି ବିଜୁଳି ବିଲ୍‍ ଦେଇପାରୁଛନ୍ତି । ପ୍ରଥମେ ଏଥିରେ ୩ଟି ବିଲ୍‍ ଦେବାର ବ୍ୟବସ୍ଥା ଥିବାବେଳେ ତାହାକୁ ୨ଟିକୁ ହ୍ରାସ କରାଯାଇଛି । ଫଳରେ ଯେଉଁମାନଙ୍କର ଦୁଇରୁ ଅଧିକ ସଂଯୋଗ ରହିଛି ସେମାନେ ବାଧ୍ୟହୋଇ ଏକାଧିକ ଆକାଉଣ୍ଟ ଖୋଲୁଛନ୍ତି ନହେଲେ ପୁରୁଣା ବ୍ୟବସ୍ଥାରେ ବିଜୁଳି ବିଲ୍‍ ଆଦାୟ କେନ୍ଦ୍ରକୁ ଦଉଡୁଛନ୍ତି ।

ଓଡିଶା ୱାନ ପୋର୍ଟାଲ ଜରିଆରେ ବିଲ୍‍ ପଇଠ କଲେ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡୁନାହିଁ । ଏପରିକି କ୍ରେଡିଟ୍‍ କାର୍ଡରେ ବିଲ୍‍ ପଇଠ କଲେ ବି ସେଥିପାଇଁ କୌଣସି ଅତିରିକ୍ତ ଅର୍ଥ ଦେବାକୁ ହେଉନାହିଁ । ହେଲେ ଅନ୍ୟ ସୋସିଆଲ ଆପ୍‍ କିମ୍ବା କେତେକ ବ୍ୟାଙ୍କ୍‍ ଜରିଆରେ କ୍ରେଡିଟ୍‍କାର୍ଡରେ ବିଦ୍ୟୁତ୍‍ ବିଲ୍‍ ପ୍ରଦାନ କଲେ ସେଥିପାଇଁ ଅତିରକ୍ତ ଭାବେ ୫୦ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ହେଉଛି । ସରକାରୀ ପୋର୍ଟାଲ ବ୍ୟବହାର ସହଜ ଓ ସୁରକ୍ଷିତ ହୋଇଥିବାରୁ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

ହେଲେ ଏହି ପୋର୍ଟାଲ ଦାୟିତ୍ୱରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ବିଜୁଳି ବିଲ୍‍ ପ୍ରଦାନ ଲାଗି ମାତ୍ର ଦୁଇଟିକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଲୋକେ ଯେଭଳି ଅଧିକରୁ ଅଧିକ ଆକାଉଣ୍ଟ ଖୋଲିବେ ସେଥିପାଇଁ କର୍ତ୍ତୃପକ୍ଷ ଏଭଳି କାରସାଦି କରିଛନ୍ତି । କାରଣ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବାବେଳେ ଓକାକର ଏଭଳି ଦୁଇଟି ବିଲ୍‍ ପଇଠ ନିୟମ ଲୋକଙ୍କ ପାଇଁ ଅବୁଝା ହୋଇଛି ।

ଉଲ୍ଲେଖନୀୟ ଯେ ରାଜଧାନୀ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକେ ଗୋଟିଏ ଘରେ ଏକାଧିକ ବିଜୁଳି ସଂଯୋଗ ରଖିଛନ୍ତି । ଯେଉଁମାନେ ଘର ଭଡା ଲଗାଇଛନ୍ତି ସେମାନେ ୪/୫ଟି ରୁ ଅଧିକ ସଂଯୋଗ ନେଉଛନ୍ତି । ବିଜୁଳି ବିଲ୍‍ ହ୍ରାସ ପାଇ ମଧ୍ୟ ଲୋକେ ତିନି ମହଲା ପାଇଁ ତିନିଟି ସଂଯୋଗ ବି ନେଉଛନ୍ତି । ବିଜୁଳି ବିଭାଗ ଏକାଧିକ ସଂଯୋଗ ଦେଉଥିବାବେଳେ ସରକାରୀ ସଂସ୍ଥା ଓକାକ କିନ୍ତୁ ଦୁଇଟିରୁ ଅଧିକ ବିଲ୍‍ ପ୍ରଦାନ ଉପରେ କଟକଣା ଜାରି କରିଛି ।

ତେଣୁ କରୋନା କାଳରେ ଲୋକେ ଘରେ ବସି ବିଲ୍‍ ପଇଠ କରିବାକୁ ଦିଆଯାଉଥିବା ପରାମର୍ଶ ଏବେ ଲୋକଙ୍କ ପାଇଁ ଅଡୁଆ ହୋଇଛି । ଯେଉଁମାନଙ୍କର ଦୁଇଟିରୁ ଅଧିକ ବିଦ୍ୟୁତ୍‍ ବିଲ୍‍ ପଇଠ କରିବାର ଅଛି ସେମାନେ ବାଧ୍ୟହୋଇ ବିଦ୍ୟୁତ୍‍ ବିଲ୍‍ ପଇଠ କେନ୍ଦ୍ରକୁ ଧାଉଁଛନ୍ତି । ଏହାଦ୍ୱାରା ଓକାକ୍‍ କର୍ତ୍ତୃପକ୍ଷଙ୍କର କି ଲାଭ ହେଉଛି ତାହା ଖୋଦ୍‍ ଆଇଟି ବିଶେଷଜ୍ଞମାନେ ମଧ୍ୟ ଜାଣିପାରୁ ନାହାନ୍ତି । (ତଥ୍ୟ)