Home General ଓଡିଶା ମୁହାଁ ମୌସୁମୀ

ଓଡିଶା ମୁହାଁ ମୌସୁମୀ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଏବେ ଓଡିଶାର ନିକଟତର । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୌସୁମୀ ବାୟୁ ଏବେ ଆନ୍ଧ୍ରରେ ପ୍ରବେଶ କରିଥିବାବେଳେ ଓଡିଶା ମୁହାଁ ହୋଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍‍ ଯୋଗେ ସୂଚନା ଦିଆଯାଇଛି । ମୌସୁମୀ ପ୍ରବାହରେ ଗତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

ଓଡିଶାରେ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେଉଥିବାବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି । ଗତମାସରେ ବଙ୍ଗୋବସାଗରରେ ସୃଷ୍ଟି ଲଘୁଚାପ ପରେ ମୌସୁମୀ ଶୀଘ୍ର ଆସିବ ବୋଲି ଆକଳନ କରାଯାଇଥିଲା । ଏପରିକି ଜୁନ୍‍ ପ୍ରଥମ ସପ୍ତାହରେ ଓଡିଶାରେ ମୌସୁମୀ ପ୍ରବେଶ କରିବ ବୋଲି କୁହାଯାଇଥିଲା । ହେଲେ ଏବେ ରଜ ପରେ ମୌସୁମୀ ଓଡିଶାରେ ପ୍ରବେଶ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଅନ୍ୟ ପକ୍ଷରେ ରାଜ୍ୟର ପଶ୍ଚିମ ଓଡିଶାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ପର୍ଯ୍ୟନ୍ତ ସବୁଆଡେ ଗରମ ଓ ଗୁଳୁଗୁଳି ଜାରି ରହିଛି । ଆଜି ବଲାଙ୍ଗିରରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଟିଟିଲାଗଡରେ ଏହା ୪୦.୪ ଡିଗ୍ରୀ ରହିଥିଲା । ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ତଳେ ରହିଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ଆଜି ରାଜଧାନୀର ତାପାତ୍ରା ୩୬.୩ ଡିଗ୍ରୀ ଥିଲେ ମଧ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହୋଇଛନ୍ତି ।

ତେଣେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁଁ ରାଜ୍ୟରେ ଚାଷବାସ କାର୍ଯ୍ୟ ଆଗେଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ବିଲକୁ ହଳ ଯାଇନାହିଁ । ଆଗୁଆ ମୌସୁମୀ ଆସିବାର ସୂଚନା ପାଇ ଯେଉଁ ଚାଷୀମାନେ ବୁଣାବୁଣି କରିଥିଲେ ସେମାନେ ଏବେ ଚାତକ ଭଳି ବର୍ଷାକୁ ଚାହିଁ ବସିଛନ୍ତି ।