Home News in Odia ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି

ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି

ଭୁବନେଶ୍ୱର : ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ମିଶନର ସ୍ୱପ୍ନକୁ ସାକାର କରିବା ଏବଂ ସାଢେ ୪କୋଟି ଓଡିଆଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଆମର ମୁଳ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଓଡିଶାର ବିକାଶ ପାଇଁ ଆବଶ୍ୟକୀୟ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳୁ ନଥିଲା । ମାତ୍ର ଆଜି ଯାହା ଦାବି କରାଯାଉଛି ତାହାଠୁ ଅଧିକ ମିଳୁଛି । ଉଦାହରଣ ସ୍ୱରୂପ, ୟୁପିଏ ଶାସନ କାଳରେ ୨୦୧୪ ମସିହା ପର୍ଯ୍ୟନ୍ତ ଓଡିଶା ରାଜ୍ୟକୁ ରେଳ ବିଭାଗ ପାଇଁ ହାରାହାରି ମାତ୍ର ୮୦୦ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ ୨୦୧୪ ପରବର୍ତୀ ମୋଦି ସରକାର ଶାସନ କାଳରେ ଏହି ଅନୁଦାନ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଚଳିତ ବର୍ଷ ପାଇଁ ୟୁପିଏ ସରକାର ତୁଳନାରେ ଓଡିଶାକୁ ୧୦ଗୁଣ ଅଧିକ ୯୭୩୪ କୋଟି ଟଙ୍କାର ରେଳ ବଜେଟ ଅନୁମୋଦନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’କୁ ପାଥେୟ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଥିବା “ବଜେଟ-୨୦୨୨”କୁ ଦେଶବ୍ୟାପୀ ପ୍ରଶଂସା ମିଳିଛି । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ବିପୁଳ ମାତ୍ରାରେ ଅର୍ଥ ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଏଥିରେ ବଡ ଭୁମିକା ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ରାଜ୍ୟରେ ଟେଲିକମ ସେକ୍ଟରକୁ ସୁଦୃଢ କରିବା ପରିପ୍ରେକ୍ଷୀରେ ଏବଂ ଯେପରି ଗୋଟିଏ ବି ଗାଁ ଇଂଟରନେଟ ସେବା ପାଇବାରୁ ବଂଚିତ ନହୁଏ ସେଥି ସକାଶେ ନୂଆ ଟାୱାର ସ୍ଥାପନ ପାଇଁ ୩୯୩୩ଟି ସ୍ଥାନ ଚିହ୍ନଟ କରାଯାଇଛି । ୟୁପିଏ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି କାରଣରୁ ବିଏସଏନାଲ ଭଳି ସଂସ୍ଥା ଦେବାଳିଆ ହୋଇଯାଇଥିଲା । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ବ୍ୟାପକ ସଂସ୍କାର ଆଣିବା ପରେ ଗତବର୍ଷ ବିଏସଏନଏଲ ଲାଭଜନକ ସଂସ୍ଥା ହୋଇପାରିଛି । ଭାରତବର୍ଷର ନିଜସ୍ୱ ଜ୍ଞାନକୈାଶଳରେ ୪-ଜି ଏବଂ ୫-ଜି ନେଟଓ୍‌ôାର୍କର ବିକାଶ ପାଇଁ କାର୍ଯ୍ୟ ଚାଲିଛି ଏବଂ ଅତିଶୀଘ୍ର ଦେଶବାସୀ ଏହି ସେବା ପାଇବେ ।

ଚାଷୀ, ଗରିବ ବାସହୀନକୁ ଘର, ପାନୀୟ ଜଳ ଯୋଗାଣ, ରୋଜଗାର ସୃଷ୍ଟି ଆଦି ପାଇଁ ଚଳିତ ବଜେଟରେ ରେକର୍ଡ ପରିମାଣର ଅନୁଦାନ ପ୍ରଦାନ କରାଯାଇଛି । ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ ଟଙ୍କା ଯେପରି ଚାଷୀମାନେ ପାଇପାରିବେ, ସେଥି ପାଇଁ ଡିବିଟି ଜରିଆରେ ଉକ୍ତ ଟଙ୍କାକୁ ଚାଷୀଙ୍କ ବ୍ୟାଂକ ଖାତାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ମୋଦି ସରକାର ଶାସନ କାଳରେ ଖଣି କ୍ଷେତ୍ରରେ ବ୍ୟାପକ ମାତ୍ରରେ ସଂସ୍କାର ଆସିଥିବାରୁ ଆଜି ଓଡିଶା ରାଜ୍ୟର ଖଣି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୩ ରୁ ୪ ହଜାର କୋଟି ପର୍ଯ୍ୟନ୍ତ ଟଙ୍କା ଗଚ୍ଛିତ ଅଛି । ଏହି ଅର୍ଥର ସଠିକ ଭାବେ ବିନିଯୋଗ ହେବାର ଆବଶ୍ୟକତା ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟକୁ ୧,୪୦,୩୬୭.୧୩କୋଟି ଟଙ୍କା ମିଳିଛି । ଏହା ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ୨୦, ୩୧୧କୋଟି ଅଧିକ । ରେଳପଥ ସମେତ ରେଳ ଯାତ୍ରୀଙ୍କ ସୁରକ୍ଷା ଓ ଗମନାଗମନ, ରକ୍ଷଣବେକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବା ମୋଦି ସରକାର କାର୍ଯ୍ୟରତ । ବଜେଟରେ ରେଳ ଲାଇନର ନବୀକରଣ ପାଇଁ ୧୩,୩୩୫.୪୭କୋଟି, ଗଜ କନଭରସନ ପାଇଁ ୨,୮୫୦କୋଟି, ଦୋହରୀକରଣ ପାଇଁ ୧୨,୧୦୮କୋଟି ଟଙ୍କା ଦିଆଯାଇଛି । ଅତିରିକ୍ତ ଭାବେ ଡିଏଫସି ଭାବେ ୧୫,୭୧୦.୪୪କୋଟି ଦିଆଯାଇଛି ।

ନୂଆ ରେଳ ଲାଇନ ପାଇଁ ମଧ୍ୟ ୨୫,୨୪୩କୋଟି ଟଙ୍କା ଆବଂଟିତ କରାଯାଇଛି । ସାରା ଦେଶ ପାଇଁ ଆସନ୍ତା ୩ ବର୍ଷରେ ୪୦୦ଟି ବନ୍ଦେ ଭାରତ ଟ୍ରେନ ଚାଲିବ । ରାଜ୍ୟରେ ୯୮.୭କିମିର ଅନୁଗୋଳ – ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫କୋଟି ଟଙ୍କା, ୮୨କିମି ହରିଦାସପୁର – ପାରାଦ୍ୱୀପ ରେଳ ଲାଇନ ପାଇଁ ୮୫କୋଟି ଟଙ୍କା, ତାଳଚେର – ବିମଳାଗଡ ୧୫୪କିମି ରେଳ ଲାଇନ ପାଇଁ ୨୫୦କୋଟି ଟଙ୍କା, ଭଦ୍ରକ – ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୨୫୧କୋଟି, ଖୋର୍ଦ୍ଧା – ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪କୋଟି, ସମ୍ବଲପୁର – ଟିଟିଲାଗଡ ୧୮୨.୧୧କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯କୋଟି ଟଙ୍କା, ସମ୍ବଲପୁର – ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨କୋଟି ଟଙ୍କା, ଝାରସୁଗୁଡା – ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭କୋଟି ଟଙ୍କା ଦିଆଯାଇଛି, ଜୟପୁର – ମାଲକାନଗିରି ୧୩୦କିମି ପାଇଁ ୧୩କୋଟି ଟଙ୍କା, ଜୟପୁର – ନବରଙ୍ଗପୁର ପାଇଁ ୮୧କୋଟି ଟଙ୍କା ଦିଆଯାଇଛି । ବଜେଟ୍ ଉପସ୍ଥାପନ କରିବା ବେଳେ ସଡକ, ରେଳ, ରାଜପଥ, ବନ୍ଦର ଓ ସାଧାରଣ ପରିବହନକୁ ସରକାର ଅଧିକ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ୧୨ଟି ରେଳ ଷ୍ଟେସନ ଡିଜାଇନର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି । ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । ମୟୁରଭଞ୍ଜ ଅଂଚଳରେ ତିନୋଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି । ରାଜ୍ୟରେ ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । କଳାହାଣ୍ଡିଠାରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଏଯାଏଁ ୫୦ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି । ବାକି ଜମି ରାଜ୍ୟ ଦେଲେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ଶ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ।

ଘରୋଇ ନିବେଶ ଓ ଚାହିଦାକୁ ପ୍ରୋତ୍ସାହନ ଦେବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ପୁଞ୍ଜିଗତ ବ୍ୟୟବରାଦକୁ ୩୫.୪ ପ୍ରତିଶତ ବୃଦ୍ଧି କରାଯାଇ ୭.୫୦ ଲକ୍ଷ କୋଟି ଟଙ୍କା କରାଯାଇଛି । ଯାହାକି ପୂର୍ବ ବର୍ଷ ୫.୫୪ ଲକ୍ଷ କୋଟି ଟଙ୍କା ଥିଲା । ଏହା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହେବା ସହ ରୋଜଗାର ସୃଷ୍ଟି କ୍ଷେତ୍ରରେ ବହୁ ସହାୟକ ହେବ । ଏଥିସହ ଭାରତର ଭିତିଭୂମି ବିକାଶ ପାଇଁ ନୂତନ ବ୍ଲୁ ପ୍ରିଂଟର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ ପ୍ରସତୁତ ହୋଇସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ । ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ । ଓଡିଶା ମାଟିର ଋଣକୁ ସୁଝିବା ଆମ ସମସ୍ତଙ୍କ କର୍ତବ୍ୟ । ବିକାଶ ପାଇଁ ରାଜନୀତି କରିବା ନାହିଁ । ଆବଶ୍ୟକ ହେଲେ ମୁଁ ନିଜେ ଆରଆଇ, ତହସିଲଦାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଦିଲିପ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।