Home Administration ଓଡିଶା ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ

ଓଡିଶା ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ

ଭୁବନେଶ୍ୱର : ଓଡିଶା କ୍ୟାଡରର ଆଇଏଏସ୍‍ ଓ ଆଇପିଏସ୍‍ ଅଫିସରମାନଙ୍କୁ ଭାରତର ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ନିର୍ବାଚନ ଅନୁଷ୍ଠିତ ହେଉଥିବା ଏହିସବୁ ରାଜ୍ୟଗୁଡିକ ହେଲା ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ ।

ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଉଥିବା ଆଇଏଏସ୍‍ ଅଫିସରଙ୍କ ମଧ୍ୟରେ ଅଛନ୍ତି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଟ, ଏସ୍‍ଏସ୍‍ଇପିଡି ବିଭାଗର କମିଶନର ତଥା ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, କୃଷି ନିର୍ଦ୍ଦେଶକ ଏମ୍‍.ମୁଥୁକୁମାର, ଶ୍ରମ କମିଶନର ଏନ୍‍.ଥିରୁମାଲା ନାୟକ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ.ଜି, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ, ଓଡିଶା ରାଜ୍ୟ ମାନବ ଅଧିକାର କମିଶନର ସଚିବ ସୁନୀଲ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ବେଣୁଧର ବେହେରା, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ପାର୍ଥ ସାରଥି ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପବିତ୍ର ମଣ୍ଡଳ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ ପ୍ରମୁଖ ।

ସେହିଭଳି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ପାଇଥିବା ଆଇପିଏସ୍‍ ଅଧିକାରୀମାନେ ହେଲେ ଅସୀତ କୁମାର ପାଣିଗ୍ରାହୀ, ସତ୍ୟଜିତ୍‍ ନାୟକ, ନୀତି ଶେଖର, ସଫିନ ଅହମ୍ମଦ କେ, ସଞ୍ଜୀବ ପଣ୍ଡା, ହିମାଂଶୁ କୁମାର ଲାଲ, ଅଶ୍ୱିନୀ କୁମାର ପ୍ରମୁଖ । ଏହିସବୁ ଅଧିକାରୀମାନେ ନିର୍ଦ୍ଦିଷ୍ଟ ବିଧାନସଭା କ୍ଷେତ୍ରରେ ଦାୟିତ୍ୱରେ ରହିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରି ଭାରତର ନିର୍ବାଚନ କମିଶନଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ।

କେରଳ, ତାମିଲ ନାଡୁ, ପଶ୍ଚିମବଙ୍ଗ, ଆସାମ ସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୮୨୪ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେଉଛି । ମାର୍ଚ୍ଚ ୨୭ ତାରିଖରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ୍‍ ୨୯ ତାରିଖରେ ସରିବ ଏବଂ ମଇ ଦୁଇ ତାରିଖରେ ଭୋଟ ଗଣତି କରାଯିବା ଲାଗି ଦିନଧାର୍ଯ୍ୟ ହୋଇଛି ।