Home Mining ଓଡିଶାର ୧୭ ଖଣି କୋଇଲା ଖଣି ନିଲାମ

ଓଡିଶାର ୧୭ ଖଣି କୋଇଲା ଖଣି ନିଲାମ

ଭୁବନେଶ୍ୱର : ଦେଶର ୬୭ଟି କୋଇଲା ଖଣିକୁ କେନ୍ଦ୍ର ସରକାର ନିଲାମ କରୁଥିବାବେଳେ ରାଜ୍ୟର ୧୭ଟି କୋଇଲା ଖଣି ଏଥିରେ ଅର୍ନ୍ତଭୁକ୍ତ କରାଯାଇଛି । ଓଡିଶାରେ କୋଇଲା ଖଣିରେ ଉଚ୍ଚମାନର କୋଇଲା ଥିବା ଯୋଗୁଁ ଏହା ଉପରେ ସମସ୍ତ ଦୃଷ୍ଟି ନିବଦ୍ଧ ରହିଛି ।

ଓଡିଶ।।ରେ ଥିବା କୋଇଲା ଖଣିଗୁଡିକ ହେଲା ମାଛକଟା, ମହାନଦୀ, ନୂଆଗାଁ, ତେଲିସାହି, ରାମଚଣ୍ଡି, ଅଳକାନନ୍ଦା, ବରତାପ, ବରପାହାଡ, ଡିପ୍‍ ଏକ୍ସଟେନସନ ବେଲପାହାଡ, ଡିପସାଇଡ୍‍ ଛତାବର, କରଡାବାହାଲ-ବ୍ରାହ୍ମଣବିଲ, କୋଶଳା ପଶ୍ଚିମ, ଫୁଲଝରି ପୂର୍ବ ଏବଂ ପଶ୍ଚିମ, ସାରଧାପୁର ଉତ୍ତର ଏବଂ ତେନ୍ତୁଲୋଇ । ଏଥିପାଇଁ ୧୨ତମ ଟେଣ୍ଡର ହୋଇଛି । ଅନ୍ୟ ଚାରିଟି କୋଲ ବ୍ଲକ ହେଲା ଛେଣ୍ଡିପଦା ଏବଂ ଛେଣ୍ଡିପଦୀ-୨, ଶେରଗଡ ଏବଂ କୁରାଲୋଇ (କ) ଉତ୍ତର ଦ୍ୱିତୀୟ ଥର ପାଇଁ ୧୧ତମ ଖନନ ପାଇଁ ଟେଣ୍ଡର ହୋଇଛି ।

ଓଡିଶାକୁ ୫ଟି ଖଣି କୋଲ ମାଇନ୍ସ ସ୍ପେଶାଲ ପ୍ରୋଭିଜନ ଆକ୍ଟ (ସିଏମ୍‍ଏସ୍‍ପି) ଏବଂ ୧୨ଟି ଖଣି ମାଇନ୍‍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନକ ଆକ୍ଟ (ଏମଏମଡିଆର) ଅର୍ନ୍ତଭୁକ୍ତ । ତେବେ ଆଜି କୋଇଲା ମନ୍ତ୍ରାଳୟ, ଫିକି ପକ୍ଷରୁ ସାମିଲ ହେଉଥିବା ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ବୈଠକ ଆଲୋଚନା ହୋଇଛି । ଭର୍ଚୁଆଲି ଭାବେ ଆୟୋଜିତ ଏହି ବୈଠକରେ କୋଇଲା ଏବଂ ଖଣି ବ୍ୟବସାୟରେ ଜଡିତ ସଂସ୍ଥା, ଯନ୍ତ୍ରାଂଶ ପ୍ରସ୍ତୁତକାରୀ, ଖଣି ଉତ୍ତୋଳନକାରୀ ଏବଂ ଆର୍ଥିକ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ ।

କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ଏମ.ନାଗରାଜୁ କହିଛନ୍ତି ଯେ ୩୬ ବିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ୬୭ଟି ଖଣି ନିଲାମ ପାଇଁ ଅନୁମତି ଦିଆଯାଇଛି । ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ନିଲାମ ପ୍ରକ୍ରିୟା । ଏହି ନିଲାମ ପ୍ରକ୍ରିୟା ଖଣିଜ ଭିତ୍ତିକ ରାଜ୍ୟ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ଶିଳ୍ପମାନଙ୍କ ଆବଶ୍ୟକତା ପୂରଣ କରିବ । ସିଏମ୍‍ପିଡିଆଏଲ୍‍ ଏବଂ ଡବ୍ଲ୍ୟୁସିଏଲ୍‍ର ସିଏମ୍‍ଡି ମନୋଜ କୁମାର କହିଛନ୍ତିଯେ ୬୭ଟି କୋଇଲା ବ୍ଲକ ମଧ୍ୟରୁ ୨୩ଟି ସିଏମ୍‍ଏସ୍‍ପି ଏବଂ ୪୪ଟି ଏମ୍‍ଏମଡିଆର କୋଲ ଲକ୍‍ସ । ୩୭ଟି ଖଣିର ପୂର୍ଣର୍ ଅନୁସନ୍ଧାନ ସରିଥିବାବେଳେ ୩୦ଟି ଆଂଶିକ ଅନୁସନ୍ଧାନ ହୋଇଛି ।

ଗତବର୍ଷ ଜୁନ୍‍ ୧୮ତାରିଖରେ କୋଇଲା ଖଣି ପାଇଁ ବ୍ୟବସାୟିକ ଟେଣ୍ଡର ଜାରିପରେ କୋଇଲା ମନ୍ତ୍ରାଳୟ ଓ ଫିକି ପକ୍ଷରୁ ମିଳିତଭାବେ ଉଚ୍ଚ ସ୍ତରୀୟ ଇଭେଣ୍ଟ ଆୟୋଜିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଖନନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଆର୍ନ୍ତଜାତୀୟ ସ୍ତରର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବା ସହିତ ଆଗାମୀ ଦିନରେ ଏହା ଦେଶର ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ପ୍ରଦାନକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରି ପ୍ରକ୍ରିୟା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବାବେଳେ ଜୁନ୍‍ ୨୪ତାରିଖ ଆବେଦନର ଶେଷ ତାରିଖ ରହିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here