Home Covid କଟକଣା କୋହଳ ନେଇ ଭିନ୍ନମତ

କଟକଣା କୋହଳ ନେଇ ଭିନ୍ନମତ

ଭୁବନେଶ୍ୱର : କରୋନା ସଂକ୍ରମଣ ହାର କମୁଥିବାରୁ ଚଳିତ ମାସ ୧୭ତାରିଖ ପରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ କଟକଣା କୋହଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରର ଭୟାବହତାକୁ ଆଖିଆଗରେ ରଖି ସରକାର ଯେଭଳି ପ୍ରସ୍ତୁତି କାର୍ଯ୍ୟ ଚଳାଉଛନ୍ତି ସେଥିରୁ କଟକଣା କୋହଳ କରାଗଲେ ପରିସ୍ଥିତି ବିଗିଡିପାରେ ବୋଲି ସର୍ବସାଧାରଣରେ ମତପ୍ରକାଶ ପାଉଛି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ।

ତୃତୀୟ ଲହରରେ ପିଲାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ନିକଟ ଭବିଷ୍ୟତରେ ବିଦ୍ୟାଳୟ ଖୋଲିବା ସମ୍ଭାବନା କମ୍‍ । ସାବିତ୍ରୀ ବ୍ରତ ଅବସରରେ କଟକଣାସତ୍ୱେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଭଳି ହାଟବଜାର ଓ ରାସ୍ତାଘାଟରେ ବ୍ୟାପକ ଜନସମାଗମ ହେଲା ତାହାକୁ ଆଖିଆଗରେ ରଖି ଜୁନ୍‍ ୧୭ପରର ନିଷ୍ପତ୍ତି ନିଆଯାଇପାରେ ବୋଲି ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଏବେ ସୁଦ୍ଧା ଓଡିଶାରେ ୮ଲକ୍ଷ ୪୨ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ଲକ୍ଷ ୭୨ହଜାରରୁ ଅଧିକ ସୁସ୍ଥହୋଇ ସାରିଛନ୍ତି । ଆଜିର ଦିନରେ ଓଡିଶାରେ ୫୭ହଜାରରୁ ଅଧିକ କରୋନା ସଂକ୍ରମିତ ବିଭିନ୍ନ ସ୍ଥାନରେ ରହି ଚିକିତ୍ସିତ ହେଉଥିବା ସରକାରୀ ପରିସଂଖ୍ୟାନ ଘୋଷଣା କରୁଥିବାବେଳେ ବାସ୍ତବରେ କିନ୍ତୁ ଏହି ସଂଖ୍ୟା ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି ।

ଗତ ଜୁନ୍‍ ୧୨ ତାରିଖ ବେଳକୁ ରାଜ୍ୟରେ ମୋଟ୍‍ କୋରାନା ସଂକ୍ରମିତଙ୍କ ସଂଖ୍ୟା ୪ହଜାରରୁ କମ୍‍ ଥିବାବେଳେ ମାତ୍ର ୧୧୩୧ ଜଣ ଚିକିତ୍ସିତ ହେଉଥିଲେ ଓ ସେତେବେଳକୁ ଓଡିଶାରେ କରୋନା ଜନିତ ମୃତ୍ୟୁସଂଖ୍ୟା ମାତ୍ର ୧୦ରେ ସୀମିତ ଥିଲା । ତେବେ ଆଜିର ସରକାରୀ ହିସାବ ମୁତାବକ ଏବେ ସୁଦ୍ଧା ରାଜ୍ୟରେ କରୋନାରେ ୩୨୧୦ଜଣଙ୍କର ପ୍ରାଣହାନି ଘଟିଲାଣି । କେବଳ ଦିନକ ଭିତରେ ଏହି ମହାମାରୀରେ ଆମ ରାଜ୍ୟରେ ୪୩ଜଣ ମରିଥିବା ଦର୍ଶାଯାଉଛି । ତେବେ ବିରୋଧିମାନେ ମୃତ୍ୟୁସଂଖ୍ୟା ଢେର ଅଧିକ ହେବବୋଲି ବାରମ୍ବାର ଆରୋପ ଲଗାଉଛନ୍ତି ।

ଗତବର୍ଷର ଏହି ଦିନରେ ମାତ୍ର ୧୧୩୧ଜଣ କରୋନା ରୋଗୀ ଚିକିତ୍ସାଧିନ ଥିବାବେଳେ ଏବେ କିନ୍ତୁ ଏହି ସଂଖ୍ୟା ୫୭ହଜାରରୁ ଅଧିକ ରହିଛି । ପରିସଂଖ୍ୟାନ ବିଶ୍ଲେଷଣରୁ ଜଣାପଡିଛି ଯେ ରାଜ୍ୟରେ କରୋନା ସଂକ୍ରମଣ ହାର ଯାହା ଥିଲା ତାହା କମିବାରେ ଲାଗିଛି । କିନ୍ତୁ ଆଜିର ଦିନରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ଅଛନ୍ତି ଓ ପ୍ରତିଦିନ ଯେତେ ନୂଆ ସଂକ୍ରମିତ ବାହାରୁଛନ୍ତି ତାହାକୁ ହିସାବକୁ ନେଲେ ଓଡିଶା ଏଯାବତ୍‍ କରୋନା ବିପଦରୁ ମୁକ୍ତ ହୋଇନାହିଁ ।

ଗତବର୍ଷର କରୋନା ପ୍ରଥମ ଲହର ଶିଥିଳ ପଡିବାପରେ ଅକ୍ଟୋବର ମାସ ପରଠାରୁ ଚଳିତବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଯେପରି ପରିସ୍ଥିତିକୁ ହାଲକାଭାବେ ନିଆଗଲା ତାହାର ପ୍ରତିଫଳନ ଏପ୍ରିଲମାସ ପରଠାରୁ ଓଡିଶା ସମେତ ସାରା ଦେଶରେ କରୋନା ବୃଦ୍ଧି ଜନିତ ପରିସ୍ଥିତିରୁ ବାରିହୋଇ ପଡିଲା । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏବେ କିଛିମାତ୍ରାରେ କମିଥିବାବେଳେ ତାହାକୁ ହାଲୁକାରେ ନେଇ ଖୁସି ମନାଇଲେ ତୃତୀୟ ପର୍ଯ୍ୟାୟ ସଂକ୍ରମଣବେଳେ ଢେର ଅଧିକ ମୂଲ୍ୟ ଦେବାକୁ ପଡିପାରେ ବୋଲି ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଉଛନ୍ତି ।

ଏହା ସତ୍ୱେ ବି ଆମ ରାଜ୍ୟରେ କୋଭିଡ କଟକଣା ଉଲଙ୍ଗନକାରୀମାନଙ୍କ ଠାରୁ ପ୍ରାୟ ୧୪କୋଟି ୬୦ଲକ୍ଷ ଟଙ୍କା ଜୋରିମାନା ଆଦାୟ ସହ ସାଢେ ୩ହଜାର ଦୋକାନ ସିଲ୍‍, ୮୫ହଜାର ଲିଟର ମଦ ସମେତ କୋଟି କୋଟି ଟଙ୍କାର ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ,ବ୍ୟାପକ ସଂଖ୍ୟକ ଗାଡି ଜବତ ଓ ମାମଲା ରୁଜୁ ସତ୍ୱେ ଅମାନିଆମାନେ ଯେମିତି ଉତ୍ପାତ ହେଉଛନ୍ତି ସେଥିପାଇଁ ଆଇନ୍‍ମାନି ଚଳୁଥିବା ଲୋକଙ୍କ ଜୀବନ ବିପନ୍ନ ହୋଇପଡୁଛି । (ତଥ୍ୟ)