Home News in Odia ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ

ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ

ଭୁବନେଶ୍ୱର : ସଂସଦର ଆଗାମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଭାବେ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ସାଂସଦମାନଙ୍କୁ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆମ ଦେଶର ସର୍ବୋଚ୍ଚ ପଦବୀକୁ ମନୋନୀତ ହୋଇଛନ୍ତି । ଏହା ବାସ୍ତବରେ ଆମ ରାଜ୍ୟ ପାଇଁ ସମ୍ମାନ ଓ ଗର୍ବର ବିଷୟ । ଓଡିଶାବାସୀ ଏବଂ ବିଜେଡି ତରଫରୁ, ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ର୍ନିବାଚନରେ ତାଙ୍କ ପ୍ରାର୍ଥୀତ୍ୱକୁ ଆମର ପୂର୍ଣ୍ଣ ସମର୍ଥନ ଦେବା ଜରୁରୀ ।

ମଇ ୩୦ ତାରିଖରେ ନୂଆଦିଲ୍ଲୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମୋର ସାକ୍ଷାତ ସମୟରେ ମୁଁ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଅନେକ ଆଲୋଚନା କରିଛି ଏବଂ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛି । ସଂପୃକ୍ତ ମନ୍ତ୍ରଣାଳୟ ସହିତ ସମସ୍ତ ବିଚାରାଧୀନ ପ୍ରସଙ୍ଗଗୁଡିକ ଗ୍ରହଣ କରିବାକୁ କହିଛି ଯାହା ଦ୍ୱାରା ଏଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ ।

ନିକଟରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୨୧-୨୨ ଖରିଫ ଋତୁ ପାଇଁ ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍‍ ବଳକା ଭିଟାମିନ୍‍ ଯୁକ୍ତ ଉଷୁନା ଚାଉଳ ଉଠାଇବା, ୫୮% ଗ୍ରେଡରୁ କମ୍‍ ମାନର ଲୁହାପଥର ଏବଂ ପେଲେଟ ଉପରେ ରପ୍ତାନି ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ପରିବାର ପାଇଁ ୧.୮୪ ଲକ୍ଷ ପିଏମ୍‍ଏୱାଇ (ଗ୍ରାମୀଣ) (ସ୍ୱତନ୍ତ୍ର ଘର) ମଞ୍ଜୁର ଏବଂ ଆୱାସ + ଜରିଆରେ ୫.୦୯ ଲକ୍ଷ ତଥ୍ୟ ଆର.ଏଚ୍‍ ପୋର୍ଟାଲରୁ ପିଡବ୍ଲ୍ୟୁଏଲ୍‍କୁ ସ୍ଥାନାନ୍ତର କରିବାକୁ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ୨୦୨୨-୨୩ ପରଠାରୁ ଡିଏମ୍‍ଏଫ୍‍ ଟ୍ରଷ୍ଟକୁ ଆୟକର ଶୁଳ୍ପ ଛାଡ ପାଇଁ ଚିଠି ଲେଖିଛି । ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଆଗେଇ ନେବା ଆବଶ୍ୟକ ।

ରାଜ୍ୟରେ ବିଚାରାଧୀନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ଆମ କୃଷକଙ୍କ ସ୍ୱାର୍ଥ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ଉଭୟ ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ଓଡିଶା ବିଧାନ ପରିଷଦର ଗଠନ, ଆମର ଦାବି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଏହି ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନ କରିବା ଆବଶ୍ୟକ ।

ରେଳବାଇ, ବ୍ୟାଙ୍କିଙ୍ଗ୍‌, ଟେଲି ସାନ୍ଧ୍ରତା, କୋଇଲା ରୟାଲଟି ଦେୟ, ସ୍ୱଚ୍ଛ ଶକ୍ତି ସେସ୍ ଏବଂ ଉପକୂଳ ରାଜପଥ ର୍ନିମାଣ କ୍ଷେତ୍ରରେ ଆମେ ଅବହେଳିତ । ଓଡିଶାର ସ୍ୱାର୍ଥକୁ ନେଇ ଉପରୋକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଉଠାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।