Home General ଓଡିଶାରେ ୨.୯ କୋଟି ବ୍ରଡବ୍ୟାଣ୍ଡ୍‍ ଗ୍ରାହକ

ଓଡିଶାରେ ୨.୯ କୋଟି ବ୍ରଡବ୍ୟାଣ୍ଡ୍‍ ଗ୍ରାହକ

ଭୁବନେଶ୍ୱର : ଓଡିଶାରେ ବିଏସ୍‍ଏନ୍‍ଏଲ୍‍ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ନେଇଥିବା ଗ୍ରାହକଙ୍କ ସଂଖ୍ୟା ୨କୋଟିରୁ ଅଧିକ ରହିଛି । କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ଲୋକସଭାରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହା ଦର୍ଶାଇଛନ୍ତି ।

ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିତବର୍ଷ ପ୍ରାରମ୍ଭରେ ଟ୍ରାଇ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡିଶା ଟେଲିକମ ସର୍କଲରେ ବ୍ରଡବ୍ୟାଣ୍ଡ୍‍ ଗ୍ରାହକଙ୍କ ସଂଖ୍ୟା ୨.୦୯ କୋଟି ରହିଛି । ଓଡିଶା ସମେତ ଦେଶର ସମସ୍ତ ପଞ୍ଚାୟତକୁ ପର୍ଯ୍ୟାୟକ୍ରମେ ବ୍ରଡବ୍ୟାଣ୍ଡ ସଂଯୋଗ ଦେବାପାଇଁ ଭାରତ ନେଟ୍‍ ପ୍ରକଳ୍ପରେ କାର୍ଯ୍ୟ ଜାରି ରହିଛି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ୨୯୪୬ ଗ୍ରାମପଞ୍ଚାୟତ ମଧ୍ୟରୁ ୧୭୮୬ଟିରେ ବ୍ରଡବ୍ୟାଣ୍ଡ ସେବା ପହଞ୍ଚି ପାରିଛି ।

ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮୧୦ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କାର୍ଯ୍ୟ ପିଜିସିଆଇଏଲ୍‍ ଦ୍ୱାରା ହୋଇଥିବାବେଳେ ଏଥି ମଧ୍ୟରେ ୩୮୦୯ଟିରେ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ପହଞ୍ଚିପାରିଛି । ତେଣୁ ଓଡିଶାରେ ମୋଟ୍‍ ୬୬୧୭ ପଞ୍ଚାୟତରେ ଫେବୃୟାରୀ ଶେଷ ସୁଦ୍ଧା ବ୍ରଡବ୍ୟାଣ୍ଡ୍‍ ସେବା ଉପଲବ୍ଧ ହୋଇପାରିଛି । ଇତି ମଧ୍ୟରେ ପଞ୍ଚାୟତ ବ୍ୟତିତ ଅନ୍ୟ ସ୍ଥାନରେ ଲୋକେ ବସବାସ କରୁଥିବା ପଡାଗ୍ରାମଗୁଡିକୁ ବ୍ରଡବ୍ୟାଣ୍ଡ୍‍ ସେବା ଯୋଗାଣ ପାଇଁ ଓଡିଶା ସମେତ ସମଗ୍ର ଦେଶରେ କାର୍ଯ୍ୟ ଆରମ୍ଭ ହୋଇଛି ।

ସେହିଭଳି ଇଣ୍ଟରନେଟ୍‍ ସେବା ପହଞ୍ଚି ପାରିନଥିବା ଓଡିଶା ସମେତ ଦେଶର ଅପହଞ୍ଚ ଗ୍ରାମ ଗୁଡିକୁ ପର୍ଯ୍ୟାୟକ୍ରମେ ବ୍ରଡବ୍ୟାଣ୍ଡ୍‍ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାର ଏବଂ ଟେଲିକମ୍‍ ସେବା ପ୍ରଦାନକାରୀ (ଟିଏସ୍‍ପିଏସ୍‍) ଗୁଡିକ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ଯୋଜନାରେ ଦେଶର ଆଙ୍କାକ୍ଷୀ ଜିଲ୍ଲା ଗୁଡିକର ୭୨୮୭ ଗ୍ରାମକୁ ୪ଜି ସେବା ଯୋଗାଇବାର ବ୍ୟବସ୍ଥା ଥିବାବେଳେ ଏଥି ମଧ୍ୟରେ ଓଡିଶାର ୩୯୩୩ଟି ଗ୍ରାମ ରହିଛି । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୪ଜି ମୋବାଇଲ୍‍ ସେବା ପାଇଁ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୫୪୨ଟି ମୋବାଇଲ୍‍ ଟାୱାର ସ୍ଥାପନ ହେବ ଯେଉଁଥିରେ ଓଡିଶାରେ ୪୮୩ଟି ଟାୱାର ରହିଛି ।

ଭାରତ ନେଟ୍‍ ଯୋଜନାରେ ୱାଇ ଫାଇ ହଟ୍‍ସ୍ପଟ୍‍, ଫାଇବର ସହ ହୋମ୍‍, ଲିଜ୍‍ଡ ଲାଇନ୍‍, ଡାର୍କ ଫାଇବର, ବ୍ଲାକହୋଲ ଟୁ ମୋବାଇଲ୍‍ ଟାୱାର ଭିତ୍ତିଭୂମି ଜରିଆରେ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ସେବା ଯୋଗାଇ ଦିଆଯିବ । ଏହି କାର୍ଯ୍ୟ ପାଇଁ ୟୁନିଭର୍ସାଲ ସର୍ଭିିସେସ୍‍ ଓବଲିଗେସନ ଫଣ୍ଡ୍‍ (ୟୁଏସ୍‍ଓଏଫ୍‍) ରୁ ଅର୍ଥ ଯୋଗାଇ ଦିଆଯାଉଛି ।

ଚଳିତବର୍ଷ ଫେବୃଆରୀ ଶେଷ ସୁଦ୍ଦା ୨୫୧୧ ଗ୍ରାମପଞ୍ଚାୟତରେ ୱାଇଫାଇ ହଟସ୍ପଷ୍ଟ ସ୍ଥାପନ ହୋଇଥିବାବେଳେ ଭାରତ ନେଟ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଭାରତ ବ୍ରଡ୍‍ବ୍ୟାଣ୍ଡ୍‍ ନେଟୱାର୍କ ଲିମିଟେଡ୍‍ (ବିବିଏନଏଲ୍‍) ପକ୍ଷରୁ ୭୪ଜଣ ଟେଲିକମ୍‍ ସେବା ପ୍ରଦାନକାରୀ ସଂସ୍ଥା ସହିତ ରାଜିନାମା ହୋଇଛି । ଏହି ରାଜିନାମା ଅନୁଯାୟୀ ୪ଟି ସଂସ୍ଥା ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ସେବା ଯୋଗାଣ ଆରମ୍ଭ କରିଛନ୍ତି । (ତଥ୍ୟ)