Home General ଓଡିଶାରେ ୧୦୦ଟି ଦୁର୍ଘଟଣାରେ ୪୮ ମୃତ୍ୟୁ

ଓଡିଶାରେ ୧୦୦ଟି ଦୁର୍ଘଟଣାରେ ୪୮ ମୃତ୍ୟୁ

ଭୁବନେଶ୍ୱର : ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଏହି ସୂଚନା ଦିଆଯାଇଛି ।

ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ସଡ଼କ ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ କରିଛନ୍ତି ।

ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ୨୦୧୯ ମସିହା ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ପ୍ରାୟ ୧୧% ହ୍ରାସ ପାଇଛି ଓ ଏହାର ମୁଖ୍ୟ କାରଣ ହେଲା କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହେବା କାରଣରୁ ମୃତ୍ୟୁହାର ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି ।

ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ମୃତ୍ୟୁ ବରଣ କରୁଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସେ୍ୱଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ ଫାର୍ଷ୍ଟ ରେସ୍‌ପଣ୍ଡର ଟ୍ରେନିଂ ଦିଆଯାଇଛି । ଯାନଚାଳକମାନଙ୍କ ପାଇଁ ରିଫ୍ରେସ୍‌ର ଟ୍ରେନିଂ କରାଯାଉଛି । ବ୍ଲାକ୍‌ ସ୍ପଟ୍‌ଗୁଡ଼ିକୁ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ଆଇନ ସଚିବ, ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।