Home General ଓଡିଶାରେ ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି

ଓଡିଶାରେ ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି

ଭୁବନେଶ୍ୱର : ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ଖାଦ୍ୟ ଅଭାବ ରାଜ୍ୟରୁ ଏକ ଖାଦ୍ୟ ବଳକା ରାଜ୍ୟ ହେବା, ପ୍ରବନ୍ଧନରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିବା, କ୍ରୀଡା ହବ୍‍ ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ସଫଳତା ଆମ ଓଡିଶାର ଜୟଯାତ୍ରାର ପ୍ରତୀକ ।ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ । ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଉକ୍ଟଙ୍ଖସୟ ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆମର ସ୍ୱାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ. ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି ।

ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି ।

ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡିଶା ଅନେକ ସଫଳତା ହାସଲ କରି ଦେଶକୁ ରାସ୍ତା ଦେଖାଇଛି ।

ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ଖାଦ୍ୟ ଅଭାବ ରାଜ୍ୟରୁ ଏକ ଖାଦ୍ୟ ବଳକା ରାଜ୍ୟ ହେବା, ପ୍ରବନ୍ଧନରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିବା, କ୍ରୀଡା ହବ୍‍ ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ସଫଳତା ଆମ ଓଡିଶାର ଜୟଯାତ୍ରାର ପ୍ରତୀକ ।

ଶିକ୍ଷା ଆମର ଫୋକସ୍‍ । ଆମ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ଗୁଣାତ୍ମକ ଶିକ୍ଷା ଦୃଢ ପ୍ରତିଶ୍ରୁତି ବହନ କରୁଛି । ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଗାଁର ଭଲ ପାଠ ପଢୁଥିବା ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ୱରର ଆଇକନିକ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି । ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି ।

ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ ।

ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁôବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ନିଯୁକ୍ତି ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ପ୍ରାଥମିକ ସ୍ତରରେ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ।

ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି । ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି । ନିକଟରେ ରୋମରେ ଆମ ଓଡିଆ ପିଲା ଶେଷ କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।

ଖାଦ୍ୟ ସୁରକ୍ଷା ପରେ ପୁଷ୍ଟିକର ସୁରକ୍ଷା ଆମର ଫୋକସ । ମାଣ୍ଡିଆ ମିଶନ ରାଜ୍ୟର ଉଣେଇଶ ଟି ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ ୨୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି । ଓଡିଆ ମାନେ ସବୁବେଳେ ଧାର୍ମିକ ମାନସିକତାରୁ ଉପରକୁ ଉଠି ଜାତୀୟ ଆବେଗରେ କାମ କରନ୍ତି । ଭାରତୀୟ ଜାତୀୟ ହକିର ଉଭୟ ମହିଳା ଓ ପୁରୁଷ ଟିମ୍‍କୁ ଓଡିଶା ପ୍ରାୟୋଜିତ କରିବା ଆମ ଜାତୀୟ ଭାବନାର ସବୁଠାରୁ ବଡ ଉଦାହରଣ ।

ଆଉ ୨୫ ବର୍ଷ ପରେ ଆମେ ସ୍ୱାଧୀନତାର ଶତବାର୍ଷିକ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ପଡିବ । ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ । ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।