Home Agriculture ଓଡିଶାରେ ପ୍ରଥମ ବାୟୋ ଫ୍ଲକ ଚିଙ୍ଗୁଡି ଚାଷ

ଓଡିଶାରେ ପ୍ରଥମ ବାୟୋ ଫ୍ଲକ ଚିଙ୍ଗୁଡି ଚାଷ

ଭୁବନେଶ୍ୱର : ବାୟୋ ଫ୍ଲକ ପ୍ରଣାଳୀରେ ରାଜ୍ୟରେ ବିଭିନ୍ନ ପ୍ରକାର ମାଛ ଚାଷ ହେଉଥିବାବେଳେ ପ୍ରଥମଥର ପାଇଁ ବାଗଦା ଚିଙ୍ଗୁଡି ଚାଷ ଆରମ୍ଭ ହୋଇଛି । ରାଜ୍ୟରେ ଏହାକୁ ଆରମ୍ଭ କରିଛନ୍ତି ଅନ୍ୟତମ ସଫଳ ଯୁବ ଉଦ୍ୟୋଗୀ ମାନସ ଚୌଧୁରୀ । ବୟାଶିଳମୌଜାରେ ନିଜସ୍ୱ ବାୟୋ ଫ୍ଲକ ଫାର୍ମରେ ଆରମ୍ଭ ହୋଇଥିବା ଏହି ଚିଙ୍ଗୁଡି ଚାଷ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି ।

ବାଗଦା ଚିଙ୍ଗୁଡି ଚାଷ ସଂକ୍ରାନ୍ତରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ତାଙ୍କ ଫାର୍ମରେ ୫୦ହଜାର ଲିଟର ବିଶିଷ୍ଟ ୪ଟି ବୃହତ୍‍ କୁଣ୍ଡ ଥିବାବେଳେ ୨୦ହଜାର, ୧୫ହଜାର ଓ ୧୦ ହଜାର ବିଶିଷ୍ଟ ୩ଟି କୁଣ୍ଡ ରହିଛି । ଏଥିରେ ପୂର୍ବରୁ ସେ ଭିଏତନାମ କଉ ଓ ଅମୁଲକ୍ରାପ ମାଛ ଚାଷ କରିଆସୁଥିଲେ । ତେବେ ପ୍ରଥମଥର ପାଇଁ ବାଗଦା ଚିଙ୍ଗୁଡିଚାଷ ଆରମ୍ଭ କରିଛନ୍ତି ।

ଏଥିପାଇଁ ବାଲେଶ୍ୱରରୁ ଏକ ଲକ୍ଷ ୧୦ହଜାର ଉନ୍ନତମାନର ବାଗଦା ଚିଙ୍ଗୁଡି ଯାଆଁଳ ଆଣିଥିବାବେଳେ ସେଗୁଡିକ ସାଢେ ତିନିରୁ ୪ମାସ ମଧ୍ୟରେ ବିକ୍ରି ଯୋଗ୍ୟ ହୋଇଯିବେ । ବର୍ତ୍ତମାନ ଯାଆଁଳଗୁଡିକ ଦେଢମାସର ହୋଇଗଲେଣି । ଓଡିଶା ବଜାରରେ ଏବେ ଏହି କିସମର ଚିଙ୍ଗୁଡି ଦର ୩୫୦ରୁ ୪୦୦ ଟଙ୍କା ରହିଥିବାବେଳେ ବିଦେଶକୁ ରପ୍ତାନି କରିବାର ମଧ୍ୟ ବ୍ୟାପକ ସୁଯୋଗ ରହିଛି ।

ତେବେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଚାଷରୁ ପ୍ରଥମେ ୧୬କୁଇଣ୍ଟାଲ ପର୍ଯ୍ୟନ୍ତ ଚିଙ୍ଗୁଡି ଉତ୍ପାଦନ ପାଇଁ ଶ୍ରୀ ଚୌଧୁରୀ ଆଶା ରଖିଛନ୍ତି । ତେବେ ଏହି ଚିଙ୍ଗୁଡିମାନଙ୍କୁ କୌଣସି ରସାୟନିକ ଯୁକ୍ତ ଖାଦ୍ୟ ଦିଆଯାଉ ନଥିବାରୁ ଭବିଷ୍ୟତରେ ଏହା ବିଭିନ୍ନ ଦେଶକୁ ରପ୍ତାନି କରାଯିବାର ଆଶା ଉଜ୍ୱଳ ରହିଛି । କାରଣ ବିଭିନ୍ନ ଜଳାଶୟରେ ଥିବା ଚିଙ୍ଗୁଡି ଫାର୍ମରେ ଚାଷ ହେଉଥିବା ବାଗଦା ଚିଙ୍ଗୁଡି ରପ୍ତାନି ସମୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏଥିରେ ରସାୟନିକ ପଦାର୍ଥ ମିଳୁଥିବା ନେଇ ଅନେକ ସମୟରେ ଅଭିଯୋଗ କରିଆସୁଛନ୍ତି ।

ଓଡିଶାରେ ବାୟୋ ଫ୍ଲକ ମାଛଚାଷକୁ ବେଶ୍‍ ଲୋକପ୍ରିୟ କରିପାରିଥିବା ଶ୍ରୀ ଚୌଧୁରୀ କେବଳ ତାଙ୍କ ଫାର୍ମ ହାଉସ୍‍ରେ ମାଛ ଚାଷ କରୁନାହାନ୍ତି ବରଂ ସେଠାରେ ଏହି ଧରଣର ଚାଷ ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ତାଲିମ ଓ ଭିତ୍ତିଭୂମି ପାଇଁ ସହାୟତା ଯୋଗାଇ ଦେଉଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି ଯେ ବାୟୋ ଫ୍ଲକ ମାଛ ଚାଷ ଅଳ୍ପ ସ୍ଥାନରେ ଏପରିକି ଘରର ଛାତ ଉପରେ ମଧ୍ୟ ଜଣେ କରିପାରିବ । ଏଥିପାଇଁ କମ୍‍ ପରିମାଣରେ ଜଳ ଓ ମାନବ ସମ୍ବଳ ଆବଶ୍ୟକ ଥିବାରୁ ଏହାଦ୍ୱାରା ଗାଁ ଗହଳର ଯୁବକ ଯୁବତୀମାନେ ଅତି ସହଜରେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେବେ ଏହି ପ୍ରଣାଳୀରେ ଚିଙ୍ଗୁଡି ଚାଷରୁ ଅନ୍ୟ ମାଛ ଅପେକ୍ଷା ଅଧିକ ଲାଭ ମିଳିପାରିବ ।

ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ମଧ୍ୟ ଇତି ମଧ୍ୟରେ ବାୟୋ ଫ୍ଲକ ମାଛଚାଷ ଉପରେ ଗୁରୁତ୍ୱ ଦେବା ସହିତ ଏହା ଜରିଆରେ ଉଦ୍ୟୋଗୀ ସୃଷ୍ଟି ପାଇଁ ଉଦ୍ୟମ ଚଳାଇଛନ୍ତି । (ତଥ୍ୟ)