Home Finance ଓଡିଶାକୁ ସମ୍ବଳ ସଂଗ୍ରହ ଅନୁମତି

ଓଡିଶାକୁ ସମ୍ବଳ ସଂଗ୍ରହ ଅନୁମତି

ଭୁବନେଶ୍ୱର : ଓଡିଶାକୁ ୭୧୪୫ କୋଟିର ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ।

୨୦୨୧-୨୨ ଆର୍ôଥକ ବର୍ଷର ବଜେଟ୍‍ ଏବଂ ୨୦୨୦-୨୨ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟ ଉପରେ ‘ତଥ୍ୟ’ ସମ୍ବାଦ ସରବରାହ ସଂସ୍ଥାକୁ ସ୍ୱତନ୍ତ୍ର ଅନ୍‍ଲାଇନ୍‍ ସାକ୍ଷାତକାର ସମୟରେ ଶ୍ରୀ ଠାକୁର ଏହା କହିଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ସମେତ ସମସ୍ତ ରାଜ୍ୟକୁ ଆମେ ସହାୟତା ଯୋଗାଇ ଦେଉଛୁ ।

ଋଣ କରିବାର ପରିମାଣ ଜିଏସ୍‍ଡିପିର ୩ ପ୍ରତିଶତରୁ ୫ ପ୍ରତିଶତକୁ ବଢାଯାଇଛି । ଓଡିଶା ବର୍ତ୍ତମାନ ସୁଦ୍ଧା ୫୭୧୬କୋଟି ଟଙ୍କାର ଋଣ ପାଇଁ ଅନୁମତି ପାଇଥିବାବେଳେ ୪ଟି ସଂସ୍କାର ସର୍ତ୍ତ ମଧ୍ୟରୁ ଗୋଟିଏ ପୂରଣ କରିଥିବାରୁ ଆଉ ୧୪୨୯କୋଟି ଟଙ୍କାର ଋଣ ଅନୁମତି ପାଇଛି । ଏହିଭଳି ଓଡିଶାକୁ ମୋଟ୍‍ ୭୪୧୫କୋଟି ଟଙ୍କାର ଋଣ ଅନୁମତି ପ୍ରଦାନ କରାଯାଇଛି ।

ସେହିଭଳି ଏସ୍‍ଡିଆରଏଫ୍‍ ବାବଦରେ ଓଡିଶାକୁ ୮୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଏ ବାବଦରେ କେନ୍ଦ୍ର ସରକାର ମୋଟ୍‍ ୧୧,୫୬୫କୋଟି ୯୩ ଲକ୍ଷ ଟଙ୍କା ରାଜ୍ୟଗୁଡିକୁ ଯୋଗାଇଛନ୍ତି । ତେବେ ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ ପାଦଦେଶରେ ଥିବା ରାଜ୍ୟମାନଙ୍କୁ ଯେଉଁ ହାରରେ କେନ୍ଦ୍ରୀୟ ଅନୁଦାନ ଦିଆଯାଉଛି ପ୍ରାକୃତିକ ବିପର୍ଯ୍ୟୟକୁ ଆଧାର କରି ରାଜ୍ୟକୁ ଏଭଳି ଅନୁଦାନ ଦେବାର ବ୍ୟବସ୍ଥା ନଥିବା ସେ କହିଛନ୍ତି ।

ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶଧନ ହ୍ରାସ ଧାରାକୁ ସେ ଅଗ୍ରାହ୍ୟ କରିଛନ୍ତି । ଜାମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇବାପରେ ତାହାକୁ କେନ୍ଦ୍ରୀୟ ଅଂଶ ପ୍ରଦାନ ଯୋଗୁଁ ରାଜ୍ୟମାନଙ୍କର ଅଂଶ ୪୨ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ ପାଇଛି ।

ସେସ୍‍, ସରଚାର୍ଜ, ପ୍ରତ୍ୟକ୍ଷ କର ଓ କଷ୍ଟମ ଡ୍ୟୁଟି ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଏହାକୁ ଉଚ୍ଛେଦ କରିବାର କୌଣସି ପ୍ରସ୍ତାବ ନାହିଁ । ସେହଭଳି ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥ ହ୍ରାସ ପାଇନାହିଁ ଓ କେନ୍ଦ୍ର ସରକାର ପଞ୍ଚଦର୍ଶ ଅର୍ଥ କମିଶନ ସୁପାରିଶ୍‍ ଅନୁଯାୟୀ ରାଜ୍ୟମାନଙ୍କୁ ୪୧ ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି । କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ରାଜ୍ୟକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

ବେକାରୀ ସମସ୍ୟା ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ଶ୍ର୍ରୀ ଠାକୁର କହିଛନ୍ତି ଯେ ପୁଞ୍ଜି ବ୍ୟୟ କ୍ଷେତ୍ରରେ ଅଧିକ ଅର୍ଥ ବରାଦ ହେଉଥିବାରୁ କୋଠାବାଡି, ସଡକ, ରେଳବାଇ, ବନ୍ଦର, ଶୀତଳଭଣ୍ଡାର, ଗୋଦାମଗୃହ ଓ ବିମାନ ଆଦି ନିର୍ମାଣ ଫଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । କେନ୍ଦ୍ର ସରକାର ବଜେଟ୍‍ରେ ୭ଟି ବୃହତ୍‍ ବୟନଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବାବେଳେ ଏହାଦ୍ୱାରା ଲକ୍ଷାଧିକ କର୍ମନିଯୁକ୍ତି ସୃଷ୍ଟିହେବ ।

ସେହିଭଳି ପିଏଲ୍‍ଆଇ ଯୋଜନାରେ ପାଖାପାଖି ୧.୯୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଥିବାରୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବ୍ୟାପକ ନିଯୁକ୍ତି ହୋଇପାରିବ । କୁଶଳୀ ମାନବସମ୍ବଳ ସୃଷ୍ଟି କ୍ଷେତ୍ରରେ ଭାରତ ଯେଭଳି ବିଶ୍ୱର ନେତୃତ୍ୱ ନେଇପାରିବ ତାହା ଉପରେ ଫୋକସ ସହିତ ଏ ଦିଗରେ କାର୍ଯ୍ୟ ଜାରି ରହିଥିବା ଶ୍ରୀ ଠାକୁର କହିଛନ୍ତି ।