Home General ଓଡିଶାକୁ ମିଳିପାରେ ଅଧିକ ପଦ୍ମ

ଓଡିଶାକୁ ମିଳିପାରେ ଅଧିକ ପଦ୍ମ

ଭୁବନେଶ୍ୱର : ପୂର୍ବବର୍ଷଗୁଡିକ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟର କେତେକ ସାଧାରଣ ଲୋକେ ସମ୍ମାନଜନକ ପଦ୍ମ ସମ୍ମାନ ପାଇବାର ଆଶା ଉଜ୍ୱଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ପ୍ରେରଣାଦାୟୀ ସାଜିଥିବା ଲୋକଙ୍କ ନାମ ପଦ୍ମ ପୁରସ୍କାର ପାଇଁ ସୁପାରିଶ୍‍ କରିବାକୁ କହିଛନ୍ତି ଯାହାକୁ ସେ ‘ଲୋକଙ୍କ ପଦ୍ମ’ ବୋଲି ଅବିହିତ କରିଛନ୍ତି । ଏଥିପାଇଁ ନାମ ସୁପାରିଶ୍‍ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ରଖାଯାଇଛି ।

ଭାରତରେ ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ହେଲେ ଆମେ ସେମାନଙ୍କୁ ଦେଖପାରୁ ନାହୁଁ । ଆପଣ ଏଭଳି ପ୍ରେରଣାଦାୟୀ ଲୋକଙ୍କୁ ଦେଖିଛନ୍ତି କି ? ଆପଣ ସେମାନଙ୍କୁ ‘ଲୋକଙ୍କ ପଦ୍ମ’ ପୁରସ୍କାର ପାଇଁ ମନୋନୀତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି । ତୃଣମୂଳ ସ୍ତରରୁ ଏଭଳି ଲୋକଙ୍କୁ ବାଛି ସେମାନଙ୍କ ନାମ ସୁପାରିଶ ଲାଗି କେନ୍ଦ୍ର ସରକାର ଟୁଇଟ୍‍ କରିଛନ୍ତି ।

ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ସାଧାରଣ ଲୋକେ ପଦ୍ମ ସମ୍ମାନ ପାଇଛନ୍ତି । ଏଥି ମଧ୍ୟରେ ରହିଛି ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ । ଏହା ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ୧୯୫୪ ମସିହାରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନ ସବୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଦିଆଯାଇଥାଏ ।

ବର୍ତ୍ତମାନ ସୁଦ୍ଧା ଗୋଟିଏ ଭାରତ ରତ୍ନ, ୪ଟି ପଦ୍ମ ବିଭୂଷଣ, ୧୧ ପଦ୍ମ ଭୂଷଣ ଏବଂ ୭୫ଟି ପଦ୍ମଶ୍ରୀ ସମ୍ମାନ ଓଡିଶାର ବିଭିନ୍ନ ବ୍ୟକ୍ତିବିଶେଷ ପାଇଛନ୍ତି । ଏଥିରୁ ପ୍ରାୟ ୨୪ଟି ପଦ୍ମଶ୍ରୀ ଓ ଗୋଟିଏ ପଦ୍ମ ବିଭୂଷଣ ସମ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବାପରେ ଓଡିଶାକୁ ଆସିଛି । ଏଥିରୁ ଲକ୍ଷ୍ୟ କରାଯାଉଛି ଯେ ଦେଶର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ ସମୟରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବହୁ ସାଧାରଣ ଲୋକେ ଏହି ସମ୍ମାନ ପାଇପାରିଛନ୍ତି ।

ଏମାନଙ୍କ ମଧ୍ୟରେ ସମ୍ବଲପୁରୀ କବି ହଳଧର ନାଗ, ସମ୍ବଲପୁରୀ କଣ୍ଠଶିଳ୍ପୀ ଜୀତେନ୍ଦ୍ର ହରିପାଲ, କବି ପୂର୍ଣର୍ମାସି ଜାନି, ସାମାଜିକ କର୍ମୀ କମଳା ପୂଜାରୀ, ଚା’ ବିକ୍ରି କରୁଥିବା ସ୍ୱର୍ଗତ ଡି.ପ୍ରଭାକର ରାଓ ଏବଂ ରାୟଗଡାରେ କାର୍ଯ୍ୟରତ ସାମାଜିକ କର୍ମୀ ଶାନ୍ତି ଦେବୀ ପ୍ରମୁଖ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି । ଏହି ସମସ୍ତ ବ୍ୟକ୍ତି ଧନୀ ନଥିଲେ କି କୌଣସି ପ୍ରତିଷ୍ଠିତ ପରିବାରରୁ ଆସି ନଥିଲେ । ଏମାନେ କେବଳ ନିଜର କଠିନ, ଉତ୍ସର୍ଗୀକୃତ ସେବା କାର୍ଯ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦ୍ୱାରା ଏହି ସମ୍ମାନ ପାଇପାରିଥିଲେ । ତେଣୁ ଏମାନଙ୍କ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟର ଆଉ କେତେଜଣ ସାଧାରଣ ଲୋକେ ସମ୍ମାନଜନକ ପଦ୍ମ ପୁରସ୍କାର ପାଇପାରନ୍ତି ବୋଲି ଆଶା କରାଯାଉଛି । (ତଥ୍ୟ)