Home Administration ଓଡିଆ ଭାଷା ଦପ୍ତର ପାଇଁ ସ୍ଥାନ ମିଳୁନାହିଁ

ଓଡିଆ ଭାଷା ଦପ୍ତର ପାଇଁ ସ୍ଥାନ ମିଳୁନାହିଁ

ଭୁବନେଶ୍ୱର : ଓଡିଆ ଭାଷାକୁ ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ମିଳିବାପରେ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ସଂସ୍କାର ଆଣି ସ୍ୱତନ୍ତ୍ର ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଗଠନ କରିଥିବାବେଳେ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ନିଜସ୍ୱ ଘର ଖଣ୍ଡିଏ ନିର୍ମାଣ କରାଯାଇ ପାରୁନାହିଁ ।

ଓଡିଶା ସରକାରଙ୍କ ଓଡିଆ ଭାଷା ପ୍ରତିଷ୍ଠାନ କେତେବେଳେ କେଉଁ ପ୍ରଶାସନିକ ବିଭାଗ ଅଧିନରେ ରହିବ ତାହା ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ପୂର୍ବରୁ ଓଡିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବାବେଳେ ଏବେ ତାହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ରହିଛି । ଓଡିଆ ଭାଷାର ବିକାଶ କ୍ଷେତ୍ରରେ ଏହି ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାବେଳେ ଏହି ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟି ଓ ସାଧାରଣ ପରିଷଦ ବୈଠକ ବର୍ଷ ବର୍ଷ ଧରି ବସୁନଥିବା ଘେନି ବରିଷ୍ଠ ସାହିତ୍ୟିକମାନେ ଅଭିଯୋଗ କରୁଛନ୍ତି ।

ଏମିତିକି ଏହି ସଂସ୍ଥା ଲାଗି ସ୍ଥାୟୀ ନିର୍ଦ୍ଦେଶକ ମଧ୍ୟ ରହୁନାହାନ୍ତି । କେତେବେଳେ ସଂଗୀତ ନାଟକ କଲେଜରୁ ଶିକ୍ଷକଙ୍କୁ ଆଣି ଏହି ପଦବୀରେ ବସାଯାଉଛି ତ ଆଉ କେତେବେଳେ ରାଜ୍ୟ ସଂଗ୍ରହାଳୟର କୌଣସି ଅଧିକାରୀ ଅଥବା ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ଭାବେ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବାକୁ କୁହାଯାଉଛି ।

୨୦୦୯ ମସିହାରେ ଓଡିଶା ସରକାର ଓଡିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ରାଜଧାନୀର ଖାରବେଳନଗର ଅଞ୍ଚଳରେ ୫୩,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳର ଜମି ଯୋଗାଇ ଦେଇଥିଲେ । ଏହି ସଂସ୍ଥାର ଭିତ୍ତିଭୂମି ବିକାଶ ପାଇଁ ୨୦୦୫-୦୬ ବର୍ଷରେ ସରକାର ଏକ କୋଟି ୫ହଜାର ଟଙ୍କା ଯୋଗାଇଥିଲେ ମଧ୍ୟ ଏହି ଅର୍ଥ ଘର ତିଆରି କାମରେ ନଲାଗି ବ୍ୟାଙ୍କ୍‍ରେ ଜମା ରହି କେବଳ ସୁଧ ବଢାଉଛି ।

ଆବଣ୍ଟିତ ଜମିରେ ଭାଷା ଭବନ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା ଏବଂ ତାହା ବିଭାଗର ପ୍ରଶାସନିକ ମଞ୍ଜୁରୀ ପାଇବାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଭାଷା ଭବନ ନିର୍ମାଣ ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଭୁବନେଶ୍ୱର ସ୍ମାର୍ଟ ସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ ଆବଣ୍ଟିତ ଜମିରେ ଓଡିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ଉପରେ କଟକଣା ଲଗାଇଥିଲେ । ସେବେଠାରୁ ଏହି ଜମି କିଛି ବ୍ୟକ୍ତି ବିଶେଷଙ୍କ ଜବରଦଖଲରେ ରହିଥିଲେ ମଧ୍ୟ ସରକାର ବିକଳ୍ପ ଜମି ଯୋଗାଉ ନାହାନ୍ତି କିମ୍ବା ଆବଣ୍ଟିତ ଜମିରେ ଭାଷା ଭବନ ନିର୍ମାଣ କାମ ବି ଆରମ୍ଭ କରୁନଥିବା ଘେନି ଅଭିଯୋଗ ହେଉଛି ।

ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ କଟକଣା ଲାଗୁ ପରେ ଓଡିଆ ଭାଷା ପ୍ରତିଷ୍ଠାନ କାର୍ଯ୍ୟାଳୟ ପାଇଁ ଖାରବେଳ ଭବନରେ ସ୍ଥାନ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପୂର୍ତ୍ତ ବିଭାଗ ସହିତ ସଂସ୍କୃତି ବିଭାଗର ଶାସନ ସଚିବ ବି ଉପସ୍ଥିତ ଥିଲେ । ତେବେ ପରବର୍ତ୍ତୀ ସମୟରେ ଖାରବେଳ ଭବନକୁ ରାଜ୍ୟ ସଚିବାଳୟରୁ କେତେକ ବିଭାଗ ସ୍ଥାନାନ୍ତରିତ ହେବା ଫଳରେ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ଏହି ଭବନର ଦ୍ୱାର ବନ୍ଦହୋଇ ଯାଇଛି ।

ପଡୋଶୀ ପଶ୍ଚିମବଙ୍ଗରେ ବିସ୍ତୀର୍ଣ୍ଣ ଜାଗାରେ ସେଠାକାର ସରକାର ‘ବିଶ୍ୱ ବାଙ୍ଗଲା ସଦନ’ ନିର୍ମାଣ କରିବା ସହ ଏକ ପ୍ରମୁଖ ରାସ୍ତାକୁ ବିଶ୍ୱ ବାଙ୍ଗଲା ସରଣୀ ନାମରେ ନାମିତ କରିଛନ୍ତି । ଅଥଚ ଓଡିଆ ଭାଷା ପ୍ରତିଷ୍ଠାନ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ କେତେବେଳେ ଜନ ଶିକ୍ଷଣ ସାଧନ କେନ୍ଦ୍ର ଭିତରେ ତ ଆଉ କେତେବେଳେ ସଂସ୍କୃତି ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଛି । ମାତୃଭାଷା ଓଡିଆର ବିକାଶ ପାଇଁ ଏହି ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ତୁରନ୍ତ ଭାଷା ଭବନ ନିର୍ମାଣ ଲାଗି ସାହିତ୍ୟିକମାନେ ଦାବି କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here